ଓଡ଼ିଶାଲାଇଭ୍ ବ୍ୟୁରୋ

ସିଏଏ ହିଂସାକାଣ୍ଡକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏଥିରେ କୋର୍ଟ ଦିଲ୍ଲୀ ପୋଲିସ୍ ଓ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୧୩ ତାରିଖ ସୁଦ୍ଧା ନିଜର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହାର ପରବର୍ତ୍ତୀ ଶୁଣାଣି ମଧ୍ୟ ସେହି ଏପ୍ରିଲ ୧୩ ତାରିଖରେ ହେବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।ଗୁରୁବାର ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ୍ ଓ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ, ଯେଉଁ ନେତାମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ ସେମାନଙ୍କ ବିରୋଧରେ ଏବେ ଏଫ୍ଆଇଆର୍ ରୁଜୁ କରିବା ସଠିକ୍ ସମୟ ନୁହେଁ। ସଠିକ୍ ସମୟ ଆସିଲେ ସେହି ନେତାମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯିବ। ଏଥିସହିତ ଏହି ନେତାମାନେ ଗୋଟିଏ ମାସ ପୂର୍ବରୁ ଏହି ଭାଷଣ ଦେଇଛନ୍ତି ବୋଲି ସେ କହିଥିଲେ। ସେହିପରି ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍ ୪୮ଟି ଏଫ୍ଆଇଆର୍ ରୁଜୁ ହୋଇଛି ବୋଲି ସେ କୋର୍ଟଙ୍କୁ କହିଥିଲେ।

ସେହିଭଳି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ମାମଲାରେ ପୋଲିସ୍ ଉତ୍ତର ମାଗିଛି। ପୋଲିସ୍ କହିଛି ଯେ ସେମାନେ ଏବେ ସେହି ନେତାମାନଙ୍କ ଭିଡିଓ ଯାଞ୍ଚ କରୁଛି। ଭିଡିଓକୁ ଯାଞ୍ଚ କରିବା ପରେ ପୋଲିସ୍ କୋର୍ଟ ଆଗରେ ନିଜର ରିପୋର୍ଟ ଦେବ। କୋର୍ଟ ମଧ୍ୟ ଦିଲ୍ଲୀ ପୋଲିସକୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି।ଗତ ସୋମବାରଠାରୁ ତିନିଦିନ ଧରି ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ଜଳାପୋଡ଼ା ଦେଖିବାକୁ ମିଳିଥିଲା। ସିଏଏକୁ ସମର୍ଥନ କରୁଥିବା ଓ ସିଏଏକୁ ବିରୋଧ କରୁଥିବା ଲୋକମାନେ ପରସ୍ପର ମଧ୍ୟରେ ପଥରମାଡ଼ କରିବା ଆରମ୍ଭ କରିଦେଇଥିଲେ। ପରେ ପରେ ଏହି ହିଂସା ଗୁଳିକାଣ୍ଡ ଓ ଜଳାପୋଡ଼ାର ମଧ୍ୟ ରୂପ ନେଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ୩୬ ଜଣ ଲୋକ ପ୍ରାଣ ହରାଇସାରିଥିବାବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ବୁଧବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହିଂସା ସ୍ଥଳ ପରିଦର୍ଶନ କରି ଶାନ୍ତି ପାଇଁ ଅପିଲ୍ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅନୁରୋଧ କରିଥିଲେ।

Comment