ଓଡ଼ିଶାଲାଇଭ୍ ବ୍ୟୁରୋ
“ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରି ଦେଖାନ୍ତି। ନହେଲେ ସେ ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇନଥାନ୍ତେ। ସେ ରାଜ୍ୟସଭା ପାଇଁ ମୋ ନାଁ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏହାପରେ ଏ କଥାକୁ ନେଇ ସନ୍ଦେହ କାଇଁ କରିବି।”
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଉପରେ ମୋର ଯଥେଷ୍ଟ ଭରସା ଅଛି। ସେ ଏଥର ମୋ ନାଁ ହି ରାଜ୍ୟସଭା ପାଇଁ ଘୋଷଣା କରିବେ। ନବୀନଙ୍କ ମୁହଁରୁ ଏହି କଥା ଶୁଣିବା ପାଇଁ ଆପଣମାନେ ଅପେକ୍ଷା କରନ୍ତୁ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ମାର୍ଚ୍ଚ ୨୬ ତାରିଖରେ ୪ଟି ଖାଲିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଯେଉଁଥିରୁ ବିଜେଡି ୩ଜଣ ପ୍ରାର୍ଥୀଙ୍କୁ ପଠାଇବା ସ୍ଥିର ଥିବା ବେଳେ ଗୋଟିଏ ଆସନକୁ ନେଇ ଛକାପଞ୍ଝା ଦେଖିବାକୁ ମିଳିଛି। ତେବେ ଏହି ତିନି ଆସନ ପାଇଁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ କାହାକୁ ବାଛୁଛନ୍ତି ଏବେ ତାକୁ ନେଇ ରାଜନୀତି ଚର୍ଚ୍ଚା ଉଠୁଛି ପଡୁଛି।
ଅନ୍ୟପଟେ ଚାରୋଟି ଆସନରୁ ଗୋଟିଏ ଆସନକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱର ଏପର୍ଯ୍ୟନ୍ତ ଉତ୍ତର ମିଳିନି। ଏହି ଆସନରେ ବିଜେଡି ବିଜେପିକୁ ସହଯୋଗ କରିବ ନା ବିଜେପି ସହଯୋଗରେ ଚାରିଜଣ ଯାକ ସଦସ୍ୟ ବିଜେଡିର ହେବେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

















