ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ଶେଷ ହୋଇ ଆସୁଥିବା କାରଣରୁ ଶେଷ ମୁହୂର୍ତ୍ତରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଯେଉଁ ଆତୁରତା ପ୍ରକାଶ ପାଏ ତା’ ଉପରେ ସରକାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି ମାର୍ଚ୍ଚ ୩୧ ତାରିଖ ଭିତରେ ଟଙ୍କା ଖର୍ଚ୍ଚ କରାଯାଇ ନପାରିବ ତେବେ ସେ ସମ୍ପର୍କିତ ବିଲକୁ ଟ୍ରେଜେରୀ କିମ୍ବା ସବ ଟ୍ରେଜେରୀକୁ ପଠା ଯାଇପାରିବ ନାହିଁ। ଯଦି କୌଣସି ବିଭାଗ ଚଳିତ ୩୧ ସୁଦ୍ଧା ମଞ୍ଜୁରୀ ହୋଇଥିବା ଟଙ୍କା ଖର୍ଚ୍ଚ କରି ପାରୁନାହାନ୍ତି ତେବେ ସେହି ଅର୍ଥକୁ ଫେରାଇବା ପାଇଁ କୁହାଯାଇଛି।
ଯେଉଁ ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ ଅର୍ଥ ବିଭାଗର ଜାଣତରେ ତାହା ସରକାରୀ ଖାତାକୁ ଫେରିବ ବୋଲି ସ୍ପଷ୍ଟ ଭାବରେ ଚିଠିରେ ଉଲ୍ଲେଖ କରାଯାଇଛି।
ସବୁ ବିଭାଗକୁ ଚିଠି ଲେଖି ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ଯେ, ବିଦ୍ୟୁତ ବିଲ, ରିଲିଫ ସାମଗ୍ରୀ, ଗ୍ରାମ୍ୟ ବିଦ୍ୟୁତକରଣ, ହସ୍ପିଟାଲରେ ରୋଗୀ ଖର୍ଚ୍ଚ, ଜେଲ ଖର୍ଚ୍ଚ ଏବଂ ବାର୍ଦ୍ଧକ୍ୟ ଭତ୍ତା ଆଦି ବାବଦକୁ ବିଭାଗମାନେ ଟ୍ରେଜେରୀରୁ ଟଙ୍କା ଡ୍ର କରି ତାହାକୁ ଫିକ୍ସଡ୍ ଡିପୋଜିଟ କିମ୍ବା ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ରଖିପାରିବେ ନାହିଁ। ଯଦି ବିନା ଖର୍ଚ୍ଚରେ ଟଙ୍କା ବ୍ୟାଙ୍କରେ ରଖା ଯାଏ ତାହାକୁ ଅସ୍ଥାୟୀ ତୋଷରପାତ ବୋଲି ଧରାଯିବ।
ବିଶେଷକରି ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଯେ ଖର୍ଚ୍ଚ ନହୋଇପାରୁଥିବା ଟଙ୍କାକୁ ଆଣି ଅନ୍ୟତ୍ର ପାର୍କିଂ କରିବା କାର୍ଯ୍ୟରୁ ବିଭାଗମାନେ ବିରତ ରହିବେ।


















