ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ମହା ଆଡମ୍ବରରେ ପାଳନ ହେବ। ଏନେଇ କଟକରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସମୀକ୍ଷା ବୈଠକ ଆଜି ବସିଥିଲା। କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହିତ ଏହାକୁ କିଭଳି ସଫଳ କରାଯିବ ସେ ନେଇ ପ୍ରସ୍ତୁତି ଜୋର୍ ଧରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ। ଭୁବେନଶ୍ୱରରୁ ହେଲିକପ୍ଟର ଯୋଗେ ଆସି ବାଲିଯାତ୍ରା ଉପର ପଡ଼ିଆରେ ପହଞ୍ଚିବେ। ସେଠାରୁ ପ୍ରଥମେ ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ଏସ୍‌ଡିସି କପ୍‌ରେ ଯୋଗ ଦେବେ। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆୟୋଜିତ ଏହି ଫୁଟବଲ୍ ପ୍ରତିଯୋଗିତାର ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିବେ। ପରେ ୬ଲେନ୍ ବିଶିଷ୍ଟ ରିଂରୋଡ୍‌ର ଶୁଭ ଦିଆଯିବ। ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ସେଠାରୁ ଏସ୍‌ସିବି ମେଡିକାଲ ଆଡକୁ ଅଗ୍ରସର ହେବେ। ଏସ୍‌ସିବି ମିଶନ୍ ନବକଳେବରକୁ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପରିଶେଷରେ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଗତ ୨୦ବର୍ଷ ଧରି ରାଜ୍ୟ ସରକାରଙ୍କ ଜନଅଭିମୁଖୀ କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନା କରାଯିବ। କିଛି ନୂଆ ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅବିଭକ୍ତ କଟକ ଜିଲ୍ଲାର ବରିଷ୍ଠ ମନ୍ତ୍ରୀ ଓ ବିଜେଡି ନେତୃବୃନ୍ଦ ମଞ୍ଚରେ ଉପସ୍ଥିତ ରହିବେ। ଏହି ଅବସରରେ ବିଜେଡିର ଦଳୀୟ ପତାକା ବ୍ୟବହାର କଟକଣା ଜାରି କରାଯାଇଛି। ଏମିତିକି ସଭା ସ୍ଥଳକୁ ବିଜେଡିର ପତାକା ଯେମିତି ନଯାଏ ସେଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଜଗିବ।

୫ ତାରିଖରୁ କଟକରୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ୧୪ତାରିଖ ଯାଏଁ ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ସବ ଆୟୋଜନ କରିବାକୁ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ପ୍ରଶାସନିକ ସ୍ତରରେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରସାରଥି ବେହେରା, ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଡ଼ିଶା ଆଥ୍‌ଲେଟିକ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା, ବିଜେଡି ନେତା ପ୍ରଫୁଲ୍ଲ ସିଂହ, କଟକ ଜିଲ୍ଲା ଯୁବ ବିଜେଡି ସଭାପତି ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଟିମ୍ ବାଲିଯାତ୍ରା ତଳ ପଡ଼ିଆ ସମେତ ବାରବାଟୀ ଷ୍ଟାଡିୟମ୍ ପହଞ୍ଚି ସେଠାକାର ସ୍ଥିତି ଯାଞ୍ଚ୍ କରିଥିଲେ।

Comment