ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ବଲିଉଡର ଜଣେ ପୂର୍ବତନ ଅଭିନେତ୍ରୀଙ୍କ ଅସଦାଚରଣ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କେଉଁ ଉଦ୍ଦେଶ୍ୟ ନେଇ ଜଣେ  ପୁରୁଷ ମହିଳାଙ୍କୁ ସ୍ପର୍ଶ କରିଥାନ୍ତି କିମ୍ବା ତାଙ୍କ ଆଡ଼କୁ ଚାହିଁଥାନ୍ତି ସେକଥା ମହିଳା ଜଣକ ବେଶ ଠଉରେଇ ପାରନ୍ତି।

ଜଷ୍ଟିସ ପୃଥ୍ୱୀରାଜ ଚୌହାନ ବଲିଉଡର ଜଣେ ପୂର୍ବତନ ଅଭିନେତ୍ରୀଙ୍କୁ ଅସଦାଚରଣ ମାମଲାର ଶୁଣାଣି କରୁଥିଲେ। ୨୦୧୭ ଡିସେମ୍ବର ମାସରେ ୪୧ ବର୍ଷୀୟ ଜଣେ ବ୍ୟବସାୟୀ ବିକାଶ ସଚଦେବଙ୍କ ବିରୋଧରେ ଏହି ଅସଦାଚରଣ ଅଭିଯୋଗ ହୋଇଥିଲା ଏବଂ ମୁମ୍ବାଇର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ସଚଦେବ ଏହି ଦଣ୍ଡାଦେଶ ବିରୋଧରେ ହାଇକୋର୍ଟକୁ ଯାଇଥିଲେ। ସଚଦେବଙ୍କ ଆବେଦନକୁ ଗ୍ରହଣ କରିବା ସହ ମାମଲାର ଚୂଡାନ୍ତ ଶୁଣାଣୀ ପର୍ଯ୍ୟନ୍ତ ତଳ କୋର୍ଟର ଦଣ୍ଡାଦେଶକୁ ବମ୍ବେ ହାଇକୋର୍ଟ ସ୍ଥଗିତ ରଖିଛନ୍ତି।

ନିମ୍ନ ଅଦାଲତ ଜାନୁଆରି ୧୫ ତାରିଖରେ ସଚଦେବଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୪ (ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଅପରାଧ ମାନସିକତାର ସହ ବଳ ପ୍ରୟୋଗ)ଏବଂ ପୋକ୍ସ (ବାଳ ଯୌନ ଅପରାଧ ସଂରକ୍ଷଣ) ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ଘଟଣା ଘଟିବା ଦିନ ଉକ୍ତ ଅଭିନେତ୍ରୀ ନାବାଳିକା ଥିଲେ। ସ୍ମରଣ କରାଯାଇପାରେ ଯେ, ଅଭିନେତ୍ରୀ ଜଣକ ତାଙ୍କ ଖରାପ ଅନୁଭୂତିକୁ ଇନଷ୍ଟାଗ୍ରାମରେ ଭିଡିଓ ଆକାରରେ ପୋଷ୍ଟ କରିଥିଲେ।

ଅଭିଯୁକ୍ତ ବ୍ୟବସାୟୀଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଯୁକ୍ତି କରିଥିଲେ ଯେ, ତାଙ୍କ ମହକିଲଙ୍କୁ ଅଯଥା ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦି ତାଙ୍କ କ୍ଲାଏଣ୍ଟଙ୍କ ଗୋଡ଼ ଉପରୋକ୍ତ ଅଭିନେତ୍ରୀଙ୍କଠାରେ ବାଜିଥିଲା ତାହା ଭୁଲବଶତଃ ହୋଇ ଥାଇପାରେ। ଏହା ଶୁଣିବା ପରେ ଜଷ୍ଟିସ ଚୌହାନ ପଚାରିଲେ ଆପଣଙ୍କ ମହକିଲଙ୍କ ହାତ ଗୋଡ଼ ଅନ୍ୟଆଡ଼େ କାହିଁକି ଯାଉଥିଲା?

ଜଷ୍ଟିସ ଚୌହାନ ତାଙ୍କ ମତ ଦେଇ  କହିଛନ୍ତି ଯେ, ‘‘ହୁଏତ ମହିଳାଙ୍କ କ୍ଷେତ୍ରରେ ପୁରୁଷଙ୍କ ଅସଲ ଉଦ୍ଦେଶ୍ୟଟି କମ୍‌ ପ୍ରତୀୟମାନ ହୋଇପାରେ। କିନ୍ତୁ ପୁରୁଷ ଜଣକ କେଉଁ ଉଦ୍ଦେଶ୍ୟ ନେଇ ତାଙ୍କୁ ସ୍ପର୍ଶ କରୁଛନ୍ତି ତାହା ସେମାନେ ଜାଣିନେଇ ପାରନ୍ତି…. ସ୍ପର୍ଶ କରିବା ଓ ଚାହିଁବା … ଆଦି ଆଚରଣ ହୁଏତ ଜଣେ ପୁରୁଷ ପାଇଁ ସାମାନ୍ୟ ଘଟଣା ହୋଇପାରେ। କିନ୍ତୁ ମହିଳାମାନେ ତାହା ପଛରେ ଥିବା ଅଭିପ୍ରାୟକୁ ତତକ୍ଷଣାତ ଧରି ନେଇପାରନ୍ତି।’’

ଜଷ୍ଟିସ ଚୌହାନ କହିଛନ୍ତି ଯେ, ଜଣେ ପୀଡ଼ିତା ହିଁ ଅପରାଧୀର ଅସଲ ଉଦ୍ଦେଶ୍ୟକୁ ବୁଝିପାରିବ। କିନ୍ତୁ ଜଣେ ଅପରାଧୀ କେବେ ବି ମାନିବ ନାହିଁ ସେ ମନ୍ଦ ଉଦ୍ଦେଶ୍ୟ ନେଇ ପୀଡ଼ିତାକୁ ସ୍ପର୍ଶ କରିଥିଲା। ବିଚାରପତି ଏକଥା ମଧ୍ୟ ପଚାରିଥିଲେ ଯେ ସଚଦେବ  ବିଜନେସ କ୍ଲାସରେ ଯାଉଥିଲେ ଓ ତାଙ୍କ ପାଇଁ ସିଟରେ ଢେର ଜାଗା ଥିଲା।ତେବେ ତାଙ୍କ ହାତଗୋଡ଼ ଇତଃସ୍ତତଃ କାହିଁକି ହେଉଥିଲା।

ସଚଦେବଙ୍କ ଓକିଲ ଯେତେବେଳେ ଯୁକ୍ତି କଲେ ଯେ ଅଭିନେତ୍ରୀ ଜଣକ ବିମାନ କର୍ମଚାରୀଙ୍କ ନିକଟରେ ଏନେଇ କୌଣସି ଅଭିଯୋଗ କରିନଥିଲେ। ଯାତ୍ରା ଶେଷ ହେବା ପରେ ମୁରୁକି ହସି ଫ୍ଲାଇଟରୁ ଓହ୍ଲାଇ ଯାଇଥିଲେ ତାର ଜବାବରେ ଜଷ୍ଟିସ ଚୌହାନ କହିଲେ ଯେ, ‘‘ଅସଦାଚରଣ ଘଟଣାରେ ଜଣେ ମହିଳା କେମିତି ପ୍ରତିକ୍ରିୟା ପ୍ରକାଶ କରିବେ ତାର କୌଣସି ନିର୍ଦ୍ଦିଷ୍ଟ ଫର୍ମୁଲା ନାହିଁ।’’

Comment