ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦ ଫୁଟ୍‌ବଲ ଚାମ୍ପିଅନ୍‌ସିପ୍‌ରେ ଡବଲ ଧମାକା କରିଛି ସୁନ୍ଦରଗଡ଼। ସୁନ୍ଦରଗଡ଼ର ଉଭୟ ପୁରୁଷ ଓ ମହିଳା ଫୁଟ୍‌ବଲ ଦଳ ଏସ୍‌ଡିସି କପ୍‌ ୨୦୨୦ର ଟାଇଟଲ ଜିତି ଚାମ୍ପିଅନ୍‌ ହୋଇଛନ୍ତି।

ସୁନ୍ଦରଗଡ଼ ମହିଳା ଟିମ୍‌ ରାଇରଙ୍ଗପୁରକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ସୁନ୍ଦରଗଡ଼ ପୁରୁଷ ଦଳ ବାରିପଦାକୁ ୪-୧ ଗୋଲ୍‌ରେ ହରାଇଛି। ସୁନ୍ଦରଗଡ଼ର ମହିଳା ଓ ପୁରୁଷ ବିଜେତା ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ଉଭୟ ପୁରୁଷ ଓ ମହିଳା ବର୍ଗର ଚାମ୍ପିଅନ୍‌ ଦଳକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ତା’ଛଡ଼ା ସୁନ୍ଦରଗଡ଼ର ଉଭୟ ମହିଳା ଓ ପୁରୁଷ ଫୁଟ୍‌ବଲ ଦଳର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌କୁ ୧୦ ହଜାର ଓ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟକୁ ୨୦ ହଜାର ଲେଖାଏଁ ପୁରସ୍କାର ମିଳିଛି।

ଗୁରୁବାର ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ଫାଇନାଲ ମ୍ୟାଚ୍‌ରେ ରାଇରଙ୍ଗପୁର ମହିଳା ଦଳ ରନର୍ସ ଅଫ୍ ହୋଇଛି। ସେହିପରି ପୁରୁଷ ବିଭାଗରେ ବାରିପଦା ଟିମ୍‌ ରନର୍ସ ଅଫ୍ ହୋଇଛି। ଉଭୟ ରନର୍ସ ଅଫ୍‌ ଦଳକୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି।

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଚାଲିଥିବା ୯ଟି ଜିଲ୍ଲାରେ ଆଦିବାସୀ ପିଲାମାନଙ୍କୁ କ୍ରୀଡ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ଏସ୍‌ଡିସି କପ୍‌ ୨୦୨୦ ଆୟୋଜିତ ହୋଇଥିଲା। ଫାଇନାଲକୁ ପୁରୁଷ ବର୍ଗରେ ବାରିପଦା ଓ ସୁନ୍ଦରଗଡ଼ ପ୍ରବେଶ କରିଥିବା ବେଳେ ମହିଳା ବର୍ଗରେ ସୁନ୍ଦରଗଡ଼ ଓ ରାଇରଙ୍ଗପୁର ମଧ୍ୟରେ ମୁକାବିଲା ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ଉଭୟ ସୁନ୍ଦରଗଡ଼ର ପୁରୁଷ ଓ ମହିଳା ଟିମ୍‌ ଚମତ୍କାର ପ୍ରଦର୍ଶନ କରି ଏସ୍‌ଡିସି କପ୍‌ ୨୦୨୦କୁ ହାସଲ କରିଛନ୍ତି।

Comment