ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେଡିରେ ନବୀନଙ୍କ ପରେ ପ୍ରଣବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌।

ଯାହାକୁ କୁହାଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକ ଭାବରେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦଳୀୟ କାର୍ଯ୍ୟାଳୟରେ ନବୀନ ଗୁରୁବାର ଦିନ ଏହି ବିଷୟ ଘୋଷଣା କରିଥିଲେ।

ତାତ୍ପର୍ଯ୍ୟର ବିଷୟ ହେଲା ଅଷ୍ଟମ ଥର ପାଇଁ ଦଳର ସଭାପତି ନିର୍ବାଚିତ ହେବା ପରେ ନବୀନଙ୍କ ଏହା ହେଉଛି  ‘ପ୍ରଥମ’ ରାଜନୀତିକ ନିଯୁକ୍ତି। ଅନ୍ୟ ଏକ ‘ପ୍ରଥମ’ ବିଷୟ ହେଲା ବିଜେଡିରେ ଆଗରୁ ସାଙ୍ଗଠନିକ ସମ୍ପାଦକ ପଦ ନଥିଲା। ପ୍ରଣବଙ୍କ ପାଇଁ ଏହି ନୂଆ ପଦବୀ ସୃଷ୍ଟି  କରାଯାଇଛି। ତିନି ଥର ବିଧାୟକ ରହିଥିବା ବବି ଦାସ ଏବେ ପୂରାପୂରି ଶାସକ ଦଳର ସଂଗଠନ ଦାୟିତ୍ୱରେ ରହିବେ। ଅନ୍ୟ ଅର୍ଥରେ କହିଲେ , ବିଜେଡିରେ ନବୀନଙ୍କ ପରେ ପ୍ରଣବ ପ୍ରକାଶ ହେଉଛନ୍ତି ନମ୍ବର ଦୁଇ।

ବବିଙ୍କ ନିଯୁକ୍ତି ଘୋଷଣା ବେଳେ ନବୀନ ନିଜେ କହିଥିଲେ ୨୦୧୪ ଓ ୨୦୧୯ ନିର୍ବାଚନ ତଥା ଉପନିର୍ବାଚନଗୁଡ଼ିକରେ ପ୍ରଣବ ପ୍ରକାଶ ଭୀଷଣ ପରିଶ୍ରମ କରିଥିଲେ। ସେ ଏବେ ଦଳର ସଂଗଠନର ଦେଖାଚାହାଁ କରିବେ।

ଗତ ବର୍ଷ ମେ’ ମାସରେ ଯେତେବେଳେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ବବିଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିଲା। କିନ୍ତୁ ପାଟକୁରା ଉପନିର୍ବାଚନରେ  ବିଶେଷ ଦାୟିତ୍ୱ ତାଙ୍କୁ ମିଳିଥିଲା।

ଏମିତି ବି ବବି ତତ୍କାଳୀନ ତୃତୀୟ ମହଲାର ଏକ ବଡ଼ ଅଂଶୀଦାର ରହି ଆସିଛନ୍ତି। ବବି ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପଣ୍ଡିଆନ ହିଁ ଗତ କିଛି ବର୍ଷ ଧରି ଉଭୟ ଦଳ ଓ ସରକାରର ସବୁ କଥା ବୁଝି ଆସିଛନ୍ତି। ବବି ନବୀନ ପଟ୍ଟନାୟକଙ୍କ ନିକଟତର ହେବାର ଅନ୍ୟ ଏକ କାରଣ ତାଙ୍କ ବାପା ଅଶୋକ ଦାସ ବିଜୁ ପଟ୍ଟନାୟକଙ୍କ ନିକଟତର ଥିଲେ। ସେ ଜନତା ଦଳ ଓଡ଼ିଶା ଶାଖାର ସଭାପତି ରହିଥିଲେ। ଜଣେ ରଣନୀତିଜ୍ଞ  ଭାବରେ ଅଶୋକ ଦାସଙ୍କର ଜନତା ଦଳ ରାଜନୀତିରେ ଯେଉଁ ଦବଦବା ଥିଲା ତାଙ୍କ ପୁଅ ବି ସେହି କୌଶଳ ଆପଣେଇଥିବା ଯୋଗୁଁ ବିଜେଡିର ଏକ ବଳିଷ୍ଠ ସ୍ତମ୍ଭ ହୋଇପାରିଛନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

Comment