ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ତଥାଗତଙ୍କ ତେରଚ୍ଛା ଟୁଇଟ୍ ରାଜ୍ୟ ରାଜନୀତିରେ ଆଣିଲା ଝଡ଼।
ଏବେ ରାଜ୍ୟସଭା ନିର୍ବାଚନର ମଳୟ ବହୁଛି। ଓଡ଼ିଶାରୁ ଖାଲି ହେବାକୁ ଥିବା ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀ ତେରଛା ବାଣ ମାରିଛନ୍ତି। ଟୁଇଟ୍ କରି ତଥାଗତ ରାଜ୍ୟସଭା ପ୍ରାର୍ଥୀଙ୍କୁ ନିଜ ପୋଷା କୁକୁର ସହ ତୁଳନା କରିଛନ୍ତି। ଏହି ଟୁଇଟ୍କୁ ନେଇ ରାଜନୀତି କରିଡର ଉଠୁଛି ପଡୁଛି।
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତଥାଗତଙ୍କ ଟୁଇଟ୍ ଝଡ଼ ଆଣିଛି। ତଥାଗତଙ୍କ ଭଳି ଜଣେ ଅଭିଜ୍ଞ ନେତା ଟୁଇଟ୍ କରି କିଛି ଛୋଟିଆ କଥା କହି ନାହାନ୍ତି। ଏଣୁ ବିଜେଡି ଏନେଇ କି ଜବାବ ଦେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ନିଜ ପୋଷା କୁକୁର ଫଟୋ ଟୁଇଟ୍ କରି ତଥାଗତ କହିଛନ୍ତି, ‘‘
ଦେଶର ଯେ କୌଣସି ରାଜନୈତିକ ଦଳ ରାଜ୍ୟସଭା ପାଇଁ ଦେଇଥିବା ପ୍ରାର୍ଥୀଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ। ସେ ହେଉଛି ଅଧିକ ବିଶ୍ୱସ୍ତ। ସେ ସ୍ନେହିଁ ଏବଂ ବନ୍ଧୁ ବତ୍ସଳ। ଗୁଲୁକୁ ଭେଟିବା ପାଇଁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି।’’
I support Gullu (Satpathy) for RS. Trust me, he is more trustworthy(and totally cuddly, purebred, lovable and friendly) than anyone else named in this country by any political party. Everyone welcome to come meet him. He is a people’s bloke pic.twitter.com/HdUBnObbar
— Tathagata Satpathy (@SatpathyLive) March 8, 2020
ତଥାଗତ ଏହି ଟୁଇଟ୍ରେ ନକହି ନକହି ମଞ୍ଜ କଥା କହିଦେଇଥିବା ଚର୍ଚ୍ଚା ହେଉଛି। ଏହି ଟୁଇଟ୍ ମାଧ୍ୟମରେ ତଥାଗତ ବିଜେଡିକୁ ତେରଚ୍ଛା ବାଣ ମାରିଥିବା କୁହାଯାଉଛି। ତେବେ ତଥାଗତ କ’ଣ କହିବାକୁ ଚାହୁଁଛନ୍ତି ଏବଂ କାହା ଉଦ୍ଦେଶ୍ୟରେ ଏହି ଟୁଇଟ୍ ହୋଇଛି ତାହା ସମସ୍ତଙ୍କୁ ଭଲଭାବେ ଜଣା। ବିଜେଡିରେ ଥାଇ ତଥାଗତ ଏଭଳି ଟୁଇଟ୍ କରିଥିବାରୁ ଦଳ କ’ଣ ଜବାବ ଦେଉଛି ତା’ ଉପରେ ନଜର ରହିଛି।
୨୦୧୯ ନିର୍ବାଚନ ପୂର୍ବରୁ ତଥାଗତଙ୍କୁ ନେଇ ରାଜନୀତି କରିଡରରେ ସରଗରମ ଆଲୋଚନା ହୋଇଥିଲା। ଢେଙ୍କାନାଳ ଲୋକସଭା ଆସନରୁ ଲଗାତର ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ତଥାଗତ ଗତ ନିର୍ବାଚନ ବେଳେ ବଡ଼ ଘୋଷଣା କରିଥିଲେ। ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଥିଲେ। ସେ ସାମ୍ବାଦିକତା ପାଇଁ, ନିଜ ପରିବାରକୁ ସମୟ ଦେବା ପାଇଁ ଏବଂ ଯୁବପିଢ଼ିଙ୍କୁ ସୁଯୋଗ ଦେବା ପାଇଁ ନିର୍ବାଚନ ଲଢୁ ନଥିବା କହିଥିଲେ। ହେଲେ ଏହା ପଛରେ ଭିନ୍ନ କାରଣ ଥିବା କୁହାଯାଇଥିଲା।
ଗତ ଦୁଇ ବର୍ଷ ହେଲା ତଥାଗତ ଏବଂ ବିଜେଡି ଭିତରେ ଦୂରତା ବଢୁଥିବା ଚର୍ଚ୍ଚା ହୋଇଥିଲା। ବିଭିନ୍ନ ପ୍ରସଙ୍ଗରେ ସେ ନିଜ ସମ୍ପାଦିତ ଖବରକାଗଜରେ ରାଜ୍ୟ ସରକାରଙ୍କୁ ତୀର୍ଯ୍ୟକ ସମାଲୋଚନା କରି ଆସୁଥିଲେ। ଏହି ସମାଲୋଚନାକୁ ନେଇ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା।
୨୦୧୯ ନିର୍ବାଚନ ବେଳେ ତଥାଗତ ନିଜ ଆଡୁ ନିର୍ବାଚନ ଲଢ଼ିବାକୁ ନା କହିଥିଲେ। ବିଜେଡି ତାଙ୍କୁ ଟିକେଟ ‘ନା’ କହିବା ପୂର୍ବରୁ ତଥାଗତ ନିଜଆଡୁ ‘ନମସ୍କାର’ କହି ରାଜନୀତି ପାଣିପାଗକୁ ଗରମ କରିଥିଲେ।
ନିର୍ବାଚନ ଲଢ଼ି ନଥିବା ତଥାଗତ କିନ୍ତୁ ବିଜେଡି ଛାଡ଼ି ନଥିଲେ। ଏବେ ବି ସେ ବିଜେଡିରେ ଅଛନ୍ତି। ହେଲେ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ସେ ଦଳରେ ଥାଇ ମଧ୍ୟ ନଥିବା ଭଳି ମନେହେଉଛି।
ଦୀର୍ଘ ଦିନ ଧରି ତଥାଗତ ନୀରବ ରହିଥିଲେ। ରାଜନୀତିରେ ଅନେକ ପାଣିପାଗ ବଦଳିଥିଲେ ବି ତଥାଗତ ମୁହଁ ଖୋଲି ନଥିଲେ। ହେଲେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ତଥାଗତଙ୍କ ଏଭଳି ଟୁଇଟ୍କୁ ନେଇ ରାଜନୀତି ପାଣିପାଗ ହଲ୍ଚଲ୍ ହୋଇଯାଇଛି।








ତଥାଗତଙ୍କ ତେରଚ୍ଛା ଟୁଇଟ୍ ରାଜ୍ୟ ରାଜନୀତିରେ ଆଣିଲା ଝଡ଼।








