ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହା ହେବା ପାଇଁ ବରଯାତ୍ରୀ ନେଇ ଯାଉଥିଲେ ବର। ଆଉ କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଅଟକାଇ ବରକୁ ଉଠାଇନେଲା ପୋଲିସ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ଏକ ହତ୍ୟା ମାମଲାରେ ବରକୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।

ଢ଼େଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ଵାଇଁ ଆଠଗଡ଼ ସମସରପୁର ଗାଁର ଜଣେ ଝିଅକୁ ବିବାହ କରିବାକୁ ଯାଉଥିଲେ। ପ୍ରକାଶ ଫୁଲରେ ସଜା ହୋଇଥିବା ଗାଡ଼ିରେ ବସି ପ୍ରସେସନ କରି ଆସୁଥିଲେ। ବୀରକିଶୋରପୁର ଶିବ ମନ୍ଦିରରେ ଏହି ବିବାହ ହେବାର ଥିଲା। ହେଲେ ସାପୁଆ ବ୍ରିଜ ପାଖରେ ଏକ ବୋଲେରୋରେ ୭ରୁ ୮ ଜଣ ସାଧା ପୋଷାକଧାରୀ ପୋଲିସ ପହଞ୍ଚିଥିଲେ।

ପରେ ସେଠାରୁ ବରକୁ ଉଠାଇ ନେଇଥିଲା ବାଙ୍କୀ ପୋଲିସ। ବର ପ୍ରକାଶ ସ୍ଵାଇଁକୁ ଏକ ହତ୍ୟା ମାମଲାରେ ଗିରଫ କରାଯାଇଥିବା ନେଇ ସ୍ପଷ୍ଟିକରଣ ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି।

୨୦୧୮ ମସିହାରେ ବାଙ୍କୀ କଦଳୀବାଡ଼ିରେ ଏକ ହତ୍ୟାକାଣ୍ଡ ହୋଇଥିଲା। ଏହି ହତ୍ୟାକାଣ୍ଡରେ ପ୍ରକାଶର ହାତ ଥିଲା। ୨ ବର୍ଷ ହେବ ପ୍ରକାଶ ଫେରାର ରହିଥିଲା। ପରେ ବାହାଘର ସମ୍ପର୍କରେ ଆଜି ପୋଲିସ ସୂଚନା ପାଇ ପ୍ରକାଶକୁ ଉଠାଇ ନେଇଛି।

Comment