ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶେଷଜ୍ଞଙ୍କ ମତରେ କରୋନା ଭାଇରସର ସମୂହ ସଂକ୍ରମଣକୁ ରୋକିବା ପାଇଁ ଭାରତ ହାତରେ ଆଉ ମାତ୍ର ୩୦ ଦିନ ସମୟ ରହିଛି। ଏବେ ଦେଶରେ ଏହି ବିପଦ ଦ୍ଵିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ କେବଳ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କ ନିକଟରେ ହିଁ ସମୟ ସୀମିତ ରହିଛି। ଏଣୁ ଏଇକ୍ଷଣି ସରକାରମାନଙ୍କ କାମ ହେଉଛି ରୋଗଟି ଯେମିତି ତୃତୀୟ ପର୍ଯ୍ୟାୟରେ ପହଞ୍ଚି ନଯାଏ ତାକୁ ରୋକିବା। ଇତି ମଧ୍ୟରେ ଆଇସିଏମ୍‌ଆର୍‌ର ମହା ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ କୋରୋନାକୁ ରୋକିବା ପାଇଁ ଆମ ପାଖରେ ଆଉ ବିଶେଷ ସମୟ ନାହିଁ।

ତାଙ୍କ କହିବା ଅନୁଯାୟୀ ଏହି ୩୦ ଦିନ ମଧ୍ୟରେ ସବୁ ସ୍ତରରେ ଉଦ୍ୟମ ହେବା ଦରକାର। ତେବେ ଯାଇ ସମୂହ ସଂକ୍ରମଣକୁ ରୋକି ହେବ। ବିଗତ କିଛି ଦିନ ଭିତରେ ଭାରତରେ ଏହି ସଂକ୍ରମଣ ସ୍ଥାନୀୟ ଭାବରେ ହିଁ ଦେଖାଯାଇଛି। ସମଗ୍ର ଦେଶରେ ଏହା ବ୍ୟାପିବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଭାର୍ଗବ କହିଛନ୍ତି।

ତାଙ୍କ ମତରେ ଭାଇରସ ସଂକ୍ରମଣ ତୃତୀୟ ପର୍ଯ୍ୟାୟରେ ହିଁ ବହୁଳ ଭାବେ ହୋଇଥାଏ। ତା’ପରେ ଯେଉଁ ପର୍ଯ୍ୟାୟ (ଅର୍ଥାତ ଚତୁର୍ଥ ପର୍ଯ୍ୟାୟ )ଆସେ ତାହା ମହାମାରୀର ରୂପ ନେଇଥାଏ। ଯଦି କୌଣସି ଦେଶ ଚତୁର୍ଥ ପର୍ଯ୍ୟାୟରେ ପହଂଚିଯାଏ ରୋଗକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇ ପଡ଼ିଥାଏ। ସଂକ୍ରମଣ ଦୃଷ୍ଟିରୁ ଚତୁର୍ଥ ପର୍ଯ୍ୟାୟକୁ ସାଙ୍ଘାତିକ ପର୍ଯ୍ୟାୟ ଭାବେ ଧରା ଯାଇଥାଏ ଓ ମୃତ୍ୟୁ ସଂଖ୍ୟା ହୁ ହୁ ବଢ଼ିଥାଏ। ଚୀନ ଓ ଇଟାଲୀରେ କରୋନା ଭାଇରସ ସଂକ୍ରମଣର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଯାଇଛନ୍ତି ଏବଂ ସେଥି ପାଇଁ ସେହି ଦେଶରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି।

ଆଇସିଏମ୍‌ଆର୍‌ର ମୁଖ୍ୟ ମହାମାରୀ ବିଶେଷଜ୍ଞ ଡା ଆରଆର ଗଙ୍ଗାଖେଦକର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ଥଣ୍ଡା କାଶ ହେଉଥିବା ବ୍ୟକ୍ତିଙ୍କ ପରୀକ୍ଷା ଆବଶ୍ୟକ ନାହିଁ କାରଣ ବେମାରୀର ପ୍ରଭାବ ଏବେ ଦେଶରେ ଅତ୍ୟନ୍ତ ସୀମିତ ରହିଛି। ଯେଉଁମାନେ ବିଦେଶରୁ ସଦ୍ୟ ଫେରିଛନ୍ତି ଓ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କର ପରୀକ୍ଷା ବି ଦରକାର ନାହିଁ କାରଣ ରୋଗର ଲକ୍ଷଣ ନଥିଲେ ରକ୍ତ ପରୀକ୍ଷା କରି କିଛି ଲାଭ ନାହିଁ। ଏହି ସଂସ୍ଥାର ବୈଜ୍ଞାନିକମାନଙ୍କ କହିବା କଥା ଯେ ଯଦି କରୋନା ଦେଶରେ ତୃତୀୟ ସ୍ତରରେ ପହଂଚିଯାଏ ତେବେ ଆମକୁ ଆମ ରଣନୀତି ବଦଳାଇବାକୁ ପଡ଼ିବ।

ଭଲ ଖବର ହେଉଛି ଯେ ଆଇସିଏମ୍‌ଆର୍‌ ପକ୍ଷରୁ ଯେଉଁ ୧୦୬ଟି ଲ୍ୟାବ ନେଟୱର୍କ ସ୍ଥାପନ କରାଯାଇଛି ସେ ସବୁର ରକ୍ତ ପରୀକ୍ଷା କ୍ଷମତା ଆବଶ୍ୟକତା ଅପେକ୍ଷା ବେଶୀ। ଏହି ୧୦୬ ଲ୍ୟାବ ମଧ୍ୟରୁ ୫୧ଟି ଲ୍ୟାବରେ କେବଳ କରୋନା ଟେଷ୍ଟ ହୋଇଥାଏ। ଏହି ୫୧ ଲ୍ୟାବର ଦୈନିକ ପରୀକ୍ଷଣ କ୍ଷମତା ୪୫୯୦ ହୋଇଥିବା ବେଳେ ଏଠାକୁ ଏବେ ମାତ୍ର ୬୦-୭୦ ସାମ୍ପୁଲ ଆସୁଛି। ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦେଶର ୬୫୦୦ ସାମ୍ପୁଲ ଟେଷ୍ଟ ହୋଇଛି ଏବଂ ଏଥିରୁ ମାତ୍ର ୭୮ଟି ପଜିଟିବ ବାହାରିଛି। ଶତକଡ଼ା ହିସାବରେ ଏହା ୧.୪%।

Comment