ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ୩୦ଟି ଜିଲ୍ଲାପାଳଙ୍କ ସହ ମୁଖ୍ୟ ସଚିବଙ୍କ ସମୀକ୍ଷା
  • ୧୦୪ – କରୋନା ହେଲ୍‌ପଲାଇନ୍‌ ନମ୍ବର ଜାରି
  • ପ୍ରତି ଜିଲ୍ଲା ଓ ମେଡିକାଲ କଲେଜ୍‌ରେ କଣ୍ଟ୍ରୋଲ ରୁମ୍‌ ସ୍ଥାପିତ
  • ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗାଇଡ୍‌ଲାଇନ୍‌
  • ମେଡିକାଲ କମିଟି ଗଠନ କରାଯାଇଛି

“କରୋନାକୁ ଡରନା। କରୋନା ଭାଇରସ(COVID-19) ବିରୋଧରେ ଲଢ଼େଇ କରିବା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି। ଏହି ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଲୋକେ ସଚେତନ ହେଲେ କରୋନାକୁ ମୁକାବିଲା କରାଯାଇ ପାରିବ। ଏହା କେବଳ ସରକାରଙ୍କ ଲଢ଼େଇ ନୁହେଁ ବରଂ ଆମ ସମସ୍ତଙ୍କୁ ଏହି ଲଢେଇରେ ଭାଗ ନେବାକୁ ହେବ” ରବିବାର କରୋନା ମୁକାବିଲା ସମ୍ପର୍କିତ ପ୍ରଥମ ସାମ୍ଵାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ରବିବାର ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ କରୋନା ସମ୍ପର୍କିତ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ମୁଖପାତ୍ର ଭାବେ ସୁବ୍ରତ ବାଗ୍‌ଚି କରୋନାକୁ ନେଇ ରାଜ୍ୟ ସରକାର କିଭଳି ପ୍ରସ୍ତୁତ ଅଛନ୍ତି, ସେ ବିଷୟରେ ସୂଚନା ଦେଇଥିଲେ।

କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି। କରୋନାକୁ କିଭଳି ଭାବେ ମୁକାବିଲା କରାଯିବ, ଏଥିପାଇଁ କିଭଳି ସଚେତନତା ଅବଲମ୍ବନ କରାଯିବ, ସେନେଇ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସ୍ତରରେ ସମସ୍ତଙ୍କ ଦାୟିତ୍ୱ ବିଷୟରେ ଲୋକମାନଙ୍କୁ ସଚେତନତା କରାଯିବ।

ବିପର୍ଯ୍ୟୟ ଅଧିନିୟମ ଏବଂ ମାହାମାରୀ ରୋଗ ଅଧିନିୟମରେ କରୋନା ଭାଇରସ(COVID-19)କୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ରାଜ୍ୟସ୍ତରରେ ଓ ଜିଲ୍ଲାରେ ସ୍ତରରେ, ବିଭିନ୍ନ ମେଡିକାଲ କଲେଜ୍‌ରେ କଣ୍ଟ୍ରୋଲ ରୁମ୍‌ ସ୍ଥାପିତ କରାଯାଇଛି। ଭୂତାଣୁ ସମ୍ପର୍କରେ ଲୋକମାନଙ୍କୁ କିଭଳି ସଚେତନତା କରାଯିବ, ସେନେଇ ଏକ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ଲୋକେ ‘୧୦୪’ ନମ୍ବରକୁ କଲ୍‌ କରି କରୋନା ଭୂତାଣୁ ସମ୍ପର୍କିତ ସବୁ ସୂଚନା ପାଇପାରିବେ।

କରୋନା ଭୂତାଣୁ ସମ୍ପର୍କରେ ସରକାର କୌଣସି ନିର୍ଦ୍ଦିଷ୍ଟ ଘୋଷଣା ନକରି ଲଗାତାର ଏହା ଉପରେ କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏକ ମେଡିକାଲ କମିଟି ଗଠନ କରାଯାଇଛି। କରୋନା ଭୂତାଣୁ ପାଇଁ ବର୍ତ୍ତମାନ କୌଣସି ଔଷଧ ବାହାରିନାହିଁ। ସ୍ୱଚ୍ଛତା ସଚେତନତା ହିଁ ଏହାର ଏକମାତ୍ର ଔଷଧ। ଲୋକମାନେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଭାରତ ସରକାରଙ୍କ ସହ ନିୟମିତ ଯୋଗଯୋଗ ରଖି ରାଜ୍ୟ ସରକାର କରୋନା ଭୂତାଣୁ ବିରୋଧରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଗାମୀ ୬ ମାସ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଏହି ଲଢେଇରେ ଭାଗ ନେବାକୁ ହେବ। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସ୍ୱଚ୍ଛତା ଗାଇଡ୍‌ଲାଇନ୍‌ ପାଳନ କରିବା ଦରକାର ବୋଲି ସୁବ୍ରତ ବାଗ୍‌ଚି କହିଛନ୍ତି।

ଶନିବାର ଦିନ ରାଜ୍ୟସରକାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚିଙ୍କୁ କରୋନା କମ୍ୟନିକେସନ ସେଲ୍‌ର ମୁଖପାତ୍ର ଭାବେ ଘୋଷଣା କରିଥିଲେ। ବାଗ୍‌ଚି ଆଜି ଅପରାହ୍‌ଣରେ ଏହି ସାମ୍ଵାଦିକ ସମ୍ମିଳନୀରେ କୋରନା ମୁକାବିଲା ପାଇଁ ରାଜ୍ୟ ସରକାର କ’ଣ କରୁଛନ୍ତି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ସଞ୍ଜୟ ସିଂହ ଉପସ୍ଥିତ ଥିଲେ।

ପ୍ରତିଦିନ ଅପରାହ୍‌ଣ ୪ଟା ୩୦ରେ ଏହି ସାମ୍ଵାଦିକ ସମ୍ମିଳନୀ ମାଧ୍ୟମରେ ସରକାର ଜନସାଧାରଣଙ୍କୁ ସୂଚନା ଓ ସଚେତନତାର ବାର୍ତ୍ତା ଦେବେ।

ଆଜିର ପ୍ରଥମ ସାମ୍ଵାଦିକ ସମ୍ମିଳନୀରେ କରୋନାର ଭୟବହତା ସମ୍ପର୍କରେ ସୂଚନା ଦେଇଥିଲେ ବାଗ୍‌ଚି। ସେ କହିଥିଲେ ଯେ, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ସାବୁନରେ ହାତ ଧୋଇବା, ଆଖି, ନାକ ଓ ପାଟିରେ ହାତ ଲଗାଇବା ନାହିଁ, ବିଦେଶର ବା କୌଣସି କରୋନା ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରିଥିଲେ ବା ସେଠାରୁ ଓଡ଼ିଶା ଆସିଥିଲେ ତାହା ନଲୁଚାଇ ଜଣାଇବା ଏବଂ କାହାଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ ଚିକିତ୍ସା ପାଇଁ ହେଲ୍‌ପ ଲାଇନରେ ନମ୍ଵରରେ ଯୋଗଯୋଗ କରିବା – ଏହି ଭଳି କୋତୋଟି ପଦକ୍ଷେପ ନେଲେ ଆମେ କରୋନା ପ୍ରଭାବରୁ ଆମ ରାଜ୍ୟକୁ ରକ୍ଷା କରିପାରିବା।

LEAVE A REPLY

Please enter your comment!
Please enter your name here