ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏଣିକି ଶ୍ରୀମନ୍ଦିର ଭିତରକୁ ଯିବାକୁ ହେଲେ ଦାଖଲ କରିବାକୁ ହେବ କରୋନା ଫର୍ମ। ଏନେଇ ସୋମବାର ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଭାଇରସକୁ ରୋକିବାକୁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଛତିଶା ନିଯୋଗ ବୈଠକରେ ଶ୍ରଦ୍ଧାଳୁଙ୍କ ପାଇଁ କରୋନା ଭାଇରସ ସମ୍ପର୍କୀତ ଏକ ଘୋଷଣାନାମା ଫର୍ମ ଜାରି କରାଯାଇଛି। ଏହି ଫର୍ମରେ ଶ୍ରଦ୍ଧାଳୁମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣାନାମାରେ ସ୍ୱାକ୍ଷର କରିବାକୁ ହେବ। ଫର୍ମରେ ଥିବା ଘୋଷଣାନାମାଗୁଡ଼ିକ ହେଲା-

  • ଶ୍ରଦ୍ଧାଳୁ ୨୦୧୯ ମସିହା ଡିସେମ୍ବର ମାସରୁ କରୋନା ସଂକ୍ରମିତ ଅଞ୍ଚଳ ଗସ୍ତ କରିନଥିବା ନେଇ ଘୋଷଣା କରିବାକୁ ହେବ।
  • ଶ୍ରଦ୍ଧାଳୁଙ୍କ ପରିବାର କୌଣସି କରୋନା ସଂକ୍ରମିତ ଅଞ୍ଚଳ କିମ୍ବା ଦେଶକୁ ଗସ୍ତ କରିନଥିବା ଘୋଷଣା କରିବାକୁ ହେବ।
  • ଶ୍ରଦ୍ଧାଳୁ କିମ୍ବା ଶ୍ରଦ୍ଧାଳୁଙ୍କ ପରିବାର ବିଗତ ୧୫ ଦିନ ମଧ୍ୟରେ କାଶ, ଥଣ୍ଡା, ଛିଙ୍କ, ଜ୍ୱର, ସର୍ଦ୍ଦି ଭଳି କୌଣସି ଲକ୍ଷଣ ଦେଖାଦେଇନାହିଁ ବୋଲି ଘୋଷଣା କରିବାକୁ ହେବ।

ଏହାଛଡ଼ା ସୋମାବାରଠାରୁ ଶ୍ରୀମନ୍ଦିର ଭିତରକୁ ଯାଉଥିବା ଶ୍ରଦ୍ଧାଳୁ ମାନଙ୍କୁ ମୁହଁରେ ମାସ୍କ ଲଗାଇ ଦର୍ଶନ କରିବାକୁ ହେବ। ଗରୁଡ଼ସ୍ତମ୍ବକୁ ଯେଭଳି କୌଣସି ଶ୍ରଦ୍ଧାଳୁ ସ୍ପର୍ଶ କରିବେନାହିଁ ସନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗରୁଡ଼ସ୍ତମ୍ବ ଚାରିପାଖରେ ବ୍ୟାରିକେଡ୍ ଲଗାଯାଇଛି। ଶ୍ରଦ୍ଧାଳୁଙ୍କୁ ଶ୍ରିମନ୍ଦିର ଭିତରେ କୌଣସି ଦେବାଦେବୀଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏହାପରେ କରୋନାକୁ ନେଇ ସମସ୍ତ ସତର୍କତା ଅବଲମ୍ବନ କରୁଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ଆନନ୍ଦ ବଜାରରେ ଅଭଡ଼ା ଖାଇବାକୁ ନେଇ କଟକଣା ଜାରି କରାଯାଇଥିଲା। ଏହାସହ ଶ୍ରୀମନ୍ଦିର ସେବାୟତମାନେ ମୁହଁରେ ମାସ୍କ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comment