ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଶୀ ରୋକିବାକୁ ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀଙ୍କ ଓକିଲ ଏ ପି ସିଂହ।

ନୂଆ ଚାଲ୍‌ ଖେଳିଲେ ନିର୍ଭୟା ଦୋଷୀ। ତିନି ତିନି ଥର ଡେଥ୍‌ ୱାରେଣ୍ଟରେ ରୋକ୍ ଲାଗିବା ପରେ ଚତୁର୍ଥ ଡେଥ୍‌ ୱାରେଣ୍ଟରେ ରୋକ୍‌ ଲଗାଇବା ପାଇଁ ଦୋଷୀଙ୍କ ଓକିଲ ଏ ପି ସିଂହ ଆଉ ଏକ ନୂଆ ଚାଲ୍‌ ଖେଳିଛନ୍ତି। ଦୋଷୀମାନଙ୍କର କ୍ୟୁରେଟିଭ୍‌ ପିଟିସନ ଏବଂ ରାଜକ୍ଷମା ଆବେଦନ ବାରମ୍ବାର ଖାରଜ ହେବା ପରେ ଓକିଏ ଏ ପି ସିଂହ ଏଥର ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ମାର୍ଚ୍ଚ ୨୦ରେ ବେହକୁ ଥିବା ଫାଶୀକୁ ରୋକିବା ପାଇଁ ଓକିଲ ଏ ପି ସିଂହ ଅନ୍ତର୍ଜାତୀୟ କୋର୍ଟକୁ ସୋମବାର ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ଦର୍ଶରାଇଛନ୍ତି ଯେ, ଦୋଷୀମାନଙ୍କର ମାମଲା ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଚାଲିଛି। ଏଠାରେ ସମସ୍ତ ରେକର୍ଡ ରହିଛି। ଆପଣ ଚାହିଁଲେ ସମସ୍ତ ରେକର୍ଡ ଯାଞ୍ଚ୍‌ କରିପାରିବେ। ଯଦି ରେକର୍ଡ ତଳ କୋର୍ଟରୁ ଆପଣ ମଗାଇବେ ତାହାଲେ ଆମେ ଅନ୍ତର୍ଜାତୀୟ କୋର୍ଟରେ ପିଟିସନ ଦାୟର କରିବାରେ ସମର୍ଥ ହେବୁ। ନେଦରଲାଣ୍ଡ ଦୂତାବାସ ସହାୟତାରେ ଏହି ଚିଠି ଅନ୍ତର୍ଜାତୀୟ କୋର୍ଟକୁ ପଠାଯାଇଛି।

ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ୍‌ କୋର୍ଟ ତାରିଖ ନିର୍ଦ୍ଧାରଣ କରିଥିଲେ। ହେଲେ ଦୋଷୀମାନେ କ୍ୟୁରେଟିଭ୍‌ ପିଟିସନ ଏବଂ ରାଜକ୍ଷମା ଆବେଦନ କରିବାରୁ ଫାଶୀ ତାରିଖ ଘୁଞ୍ଚିଥିଲା। ମାର୍ଚ୍ଚ ୨୦ ଭୋର୍‌ ସାଢ଼େ ୫ଟାରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ।

ମାର୍ଚ୍ଚ ୨୦କୁ ଆଉ ୪ ଦିନ ବାକି ରହିଛି। ଏହା ପୂର୍ବରୁ ଓକିଲ ଏ ପି ସିଂହ ଅନ୍ତର୍ଜାତୀୟ କୋର୍ଟକୁ ଚିଠି ଲେଖି ଫାଶୀ ରୋକିବାକୁ ପ୍ରୟାସ କରିଛନ୍ତି। ପୂର୍ବରୁ ଫାଶୀ ଖୁଣ୍ଟରୁ ତିନି ତିନି ଥର ବର୍ତ୍ତିଥିବା ନିର୍ଭୟା ଦୋଷୀ ଏଥର ଫାଶୀ ଖୁଣ୍ଟରେ ଝୁଲିବେ କି ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ଅନ୍ତର୍ଜାତୀୟ କୋର୍ଟ ଦୋଷୀମାନଙ୍କ ଆବେଦନକୁ ଗ୍ରହଣ କରନ୍ତି ତାହାଲେ ଫାଶୀ ହେବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

ଗତ ମାର୍ଚ୍ଚ ୩ରେ ଦୋଷୀମାନଙ୍କୁ ଫାଶୀ ନହେବା ପରେ ଓକିଲ ଏ ପି ସିଂହ ଯୁକ୍ତି ବାଢ଼ିଥିଲେ। ଦୋଷୀମାନଙ୍କୁ କାହିଁକି ଫାଶୀ ଦିଆଯିବ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଦୋଷୀମାନେ ନିଜ ଭୁଲ୍‌କୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚକ୍ରାନ୍ତ କରି ସେମାନଙ୍କୁ ମାରିଦେବାକୁ ଉଦ୍ୟମ କରାଯାଉଛି। ଦେଶରେ ଆତଙ୍କବାଦୀ ଏବଂ ମାଓବାଦୀମାନେ ନାରକୀୟ କାଣ୍ଡ କରୁଥିଲେ ମଧ୍ୟ ସେମାନଙ୍କୁ ଫାଶୀ ଦିଆଯାଉଛି କି ବୋଲି ଓକିଲ ପ୍ରଶ୍ନ କରିଥିଲେ।

ଏ ପି ସିଂହ ଆହୁରି କହିଥିଲେ ଯେ, ଦଳିତ ନିଷ୍ପେସିତ ବର୍ଗଙ୍କ ପାଇଁ ସେ ଲଢ଼େଇ କରୁଛନ୍ତି। ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରହିବ।

ଏପଟେ ଦୋଷୀ ମୁକେଶ ସିଂହଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ଼ ଝଟ୍‌କା ମିଳିଛି। ମୁକେଶ ତାଙ୍କ ପ୍ରଥମ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

Comment