ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬, ଓଡ଼ିଶାରେ ଜଣେ
  • ଓଡ଼ିଶାରେ ୩୧ ନମୁନା ନେଗେଟିଭ୍‌
  • ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ନୂଆ ୱେବସାଇଟ୍‌
  • ୨୪ ଘଣ୍ଟାରେ ପଞ୍ଜୀକରଣ କଲେ ୧୨୩୯ ଜଣ
  • ସମ୍ପୂର୍ଣ୍ଣ ବନ୍ଦ ହେବନି ମଲ୍‌
  • ବିଭିନ୍ନ ହସ୍ପିଟାଲରେ ୫୪୬ ଆଇସୋଲେସନ ଶଯ୍ୟା ବ୍ୟବସ୍ଥା

କରୋନାକୁ ଦୂରେଇବା ପାଇଁ ଜୋରଦାର ଉଦ୍ୟମ କରୁଛି ଓଡ଼ିଶା। ଗାଁଠୁ ସହର ଯାଏଁ ସବୁଠି କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ସଚେତନ ରହିଲେ କରୋନାକୁ ଜିଣିପାରିବା ମନ୍ତ୍ର ଫୁଙ୍କି ସରକାର ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି।

ଦିନ ଗଡୁଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ସରକାରଙ୍କ ରିପୋର୍ଟ ଅନୁସାରେ ଗତକାଲି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧୫। ଆଜି ତାହା ବଢ଼ି ୧୨୬ରେ ପହଞ୍ଚିଛି। ଓଡ଼ିଶାରେ କେବଳ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

‘‘ବର୍ତ୍ତମାନ ୧୬୨ଟି ଦେଶରେ କରୋନା ଭାଇରସ୍‌ ବ୍ୟାପିଛି। ଗତକାଲି ୧ ଲକ୍ଷ ୭୦ ହଜାର ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାହା ଆଜି ବଢ଼ି ୧ ଲକ୍ଷ ୮୩ ହଜାର ୧୧୬ରେ ପହଞ୍ଚିଛି। ଚୀନ, ଇଟାଲୀ, ଇରାନ ଏବଂ ଦକ୍ଷିଣକୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। କରୋନାରେ ଭାରତରେ ୩ ଜଣ ଲୋକଙ୍କ ଜୀବନ ଯାଇଛି’’, କହିଛନ୍ତି ସୁବ୍ରତ ବାଗ୍‌ଚୀ।

ମୋବାଇଲ ଫୋନ ଆଣିପାରେ କରୋନା

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ମୋବାଇଲ ଫୋନ୍‌ କରୋନାକୁ ଡାକିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ସେ କହିଥିଲେ ଯେ, ଜଣେ ବ୍ୟକ୍ତି ଦିନକୁ ୨୬୦୦ ଥର ମୋବାଇଲ ଫୋନ ଛୁଇଁଥାଏ ଏବଂ ୭୬ ଥର ବ୍ୟବହାର କରିଥାଏ। ଏଣୁ ମୋବାଇଲ ଫୋନ ବାରମ୍ବାର ଛୁଇଁବା ଫଳରେ କରୋନା ଆସିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଏଣୁ ମୋବାଇଲ ଫୋନକୁ ଦିନକୁ ୪ରୁ ୬ଥର ସାନିଟାଇଜରରେ ଧୋଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ମୋବାଇଲ ଫୋନକୁ ଏଣେତେଣେ ନରଖି ନିଜ ବ୍ୟାଗରେ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗ୍‌ଚୀ।

ପଞ୍ଜୀକରଣ କଲେ ୧୨୩୯

ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଗତକାଲି ଗାଇଡଲାଇନ୍‌ ଜାରି କରିଥିଲେ। ଯେଉଁମାନେ ମାର୍ଚ୍ଚ ୪ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିଛନ୍ତି ସେମାନେ ରାଜ୍ୟ ସରକାରଙ୍କ ପାଖରେ ପଞ୍ଜୀକରଣ କରନ୍ତୁ। ଏଥିପାଇଁ ଆଜିଠୁ ସରକାର www.covid19.odisha.gov.in ୱେବସାଇଟ୍ ଶୁଭାରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ମୋଟ ୧୨୩୯ ଜଣ ଏହି ୱେବସାଇଟ୍‌ ଏବଂ ୧୦୪ ନମ୍ବରକୁ କଲ୍‌ କରି ପଞ୍ଜୀକରଣ କରିଛନ୍ତି।

ପ୍ରତି ପଞ୍ଚାୟତରେ ହେବ ସଚେତନତା

ଗାଁ ଲୋକଙ୍କୁ ସଚେତନତା କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ। ଏଥିପାଇଁ ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନେ ଏହି କାମରେ ଲାଗିଛନ୍ତି। କରୋନା ମୁକାବିଲା ପାଇଁ ତୃଣମୂଳ ସ୍ତରରୁ ପଦକ୍ଷେପ ନିଆଯାଉଥିବା ସରକାର କହିଛନ୍ତି। ଅଗାମୀ ଦିନରେ ପଞ୍ଚାୟତ ପ୍ରତିନିଧିମାନେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ସଚେନତତା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସରକାର କହିଛନ୍ତି।

ସମ୍ପୂର୍ଣ୍ଣ ବନ୍ଦ ହେବନି ମଲ୍‌

କରୋନା ପାଇଁ ଗତ ଦୁଇ ଦିନ ହେଲା ପ୍ରମୁଖ ସହରରେ ସପିଂ ମଲ୍‌ ବନ୍ଦ ପାର୍ଇ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଅସୁବିଧା ହେବାରୁ ଆଜି ଏହି ନିୟମରେ ସରକାର ପରିବର୍ତ୍ତନ ଆଣିଛନ୍ତି। ମଲ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବନି ବୋଲି ସରକାର କହିଛନ୍ତି। ମଲ୍‌ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ରହିଛି। ଗ୍ରୋସରୀ, ଔଷଧ ଦୋକାନ ଯେଉଁ ମଲ୍‌ରେ ରହିଛି ସେସବୁ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସାମାଜିକ ଦୂରତା ବଜାୟ ରହୁ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭଲଭାବେ ହାତ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଆହ୍ୱାନ ଦେଇଛନ୍ତି।

ସୁସ୍ଥ ଅଛନ୍ତି ଓଡ଼ିଶାର କରୋନା ଆକ୍ରାନ୍ତ

ଓଡ଼ିଶାର କରୋନା ଆକ୍ରାନ୍ତ ଏବେ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଏବଂ ଖିଆପିଆ ଠିକ୍‌ଠାକ୍‌ କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଗତ ରବିବାର ଦିନ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଇଟାଲୀରୁ ଓଡ଼ିଶା ଆସିଥିଲେ। ମୋଟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ କରୋନା ଆକ୍ରାନ୍ତ। ସେମାନଙ୍କୁ ରାଜ୍ୟ ସରକାର ଠାବ କରୁଥିଲେ। ଏହାସହ ଏହି ଆକ୍ରାନ୍ତ ପ୍ରଥମେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ସେ କ୍ଲିନିକକୁ ସରକାର ସିଲ୍‌ କରିଦେଇଛନ୍ତି।

Comment