ଭାସ୍କର ପରିଚ୍ଛା

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିବା ପରେ ଏନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଗୋଗୋଇ ରାଜ୍ୟସଭାକୁ ଗଲେ ନିଶ୍ଚିତ ଭାବରେ ତାଙ୍କ ଉପସ୍ଥିତି ଗୃହର ଗରିମାକୁ ବଢାଇବ ଏଥିରେ ସନ୍ଦେହ ନାହିଁ। ତାଙ୍କର ଅଭିଜ୍ଞତା, ଜ୍ଞାନ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ହୋଇଥିବା କାରଣରୁ ସେ ସଂସଦୀୟ କାର୍ଯ୍ୟଧାରାକୁ ଆହୁରି ରୁଦ୍ଧିମନ୍ତ କରିପାରିବେ ଏକଥା ମଧ୍ୟ ସତ। ଏପରିକି ଗୃହର ଦୈନନ୍ଦିନ କାର୍ଯ୍ୟରେ ତାଙ୍କର ଅଂଶଗ୍ରହଣ ଓ ଉପସ୍ଥିତି ବି ନିହାତି ଭାବରେ ଗଣତିକୁ ଆସିବ।

ପୂର୍ବେ ରଙ୍ଗନାଥ, ଏବେ ଗୋଗୋଇ

ଏକଥା କହିବା ବେଳେ, ଜଷ୍ଟିସ ଗୋଗୋଇ ଯେଉଁ ଅନୁଷ୍ଠାନର ମୁଖ୍ୟ ଥିଲେ ସେହି ଅନୁଷ୍ଠାନ ଉପରେ ମଧ୍ୟ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ। ଯିଏ ଯେତେ ରକମର ଯୁକ୍ତି କରନ୍ତୁ ନା କାହିଁକ, ଆମେ ଏହି ବାସ୍ତବ ସତ୍ୟଠାରୁ ନିଜକୁ କଦାପି ଦୂରେଇ ରଖିପାରିବା ନାହିଁ। ଅବଶ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହି ସାରିବା ପରେ  ସାଂସଦ ହେବା ଦେଶରେ ପ୍ରଥମ ଥର ପାଇଁ ହେଉନାହିଁ। ଜଷ୍ଟିସ ଗୋଗୋଇଙ୍କ ପୂର୍ବରୁ ମଧ୍ୟ ତାଙ୍କ ପୂର୍ବଜମାନେ ଲାଭଦାୟକ ପଦବୀରେ ରହିଛନ୍ତି। ଏଣୁ ସାଂସଦ ପଦ ଗ୍ରହଣ କରିବା କ୍ଷେତ୍ରରେ ଜଷ୍ଟିସ ଗୋଗୋଇ ପ୍ରଥମ ବ୍ୟକ୍ତି ନୁହନ୍ତି।

୧୯୯୧ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ନେବା ପରେ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କୁ ପ୍ରଥମେ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ କରାଯାଇଥିଲା। ତାହାର କିଛି ବର୍ଷ ପରେ ଜଷ୍ଟିସ ମିଶ୍ର କଂଗ୍ରେସ ଟିକେଟରେ ରାଜ୍ୟସଭାର ସାଂସଦ ହୋଇଥିଲେ। ଆହୁରି ପୂର୍ବରୁ ଅର୍ଥାତ ୧୯୫୮ରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମ୍‌ ସି ଚଗଲାଙ୍କୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଓ ପରେ ନେହେରୁଙ୍କ ସରକାର ଥିବା ବେଳେ ବ୍ରିଟେନର ହାଇ କମିଶନର ନିଯୁକ୍ତ କରାଯାଇଥିଲା।

ଲୋକୁର କ’ଣ କହିଲେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାରରେ ଅନ୍ୟ ଜଣେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ପି ସଦାଶିବମ କେରଳର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ଏଭଳି ଅବସରୋତ୍ତର ପଦବୀ ଗ୍ରହଣ କରିବାର  ଆହୁରି ଅନେକ ଦୃଷ୍ଟାନ୍ତ ରହିଛି। ତେବେ ଏହି ପ୍ରସଙ୍ଗରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଯାହା କହିଛନ୍ତି ତାହା ବିଚାର କରିବାର କଥା। ସେ କହିଛନ୍ତି ଯେ ଗୋଗୋଇଙ୍କ ଘଟଣା ପରେ ନ୍ୟାୟପାଳିକାରେ ଯାହା ଟିକିଏ ବାକି ଥିଲା ସେଇଟା ବି ଚାଲିଗଲା।

ଜଷ୍ଟିସ ଲୋକୁରଙ୍କ ଏହି ମନ୍ତବ୍ୟର ବିଶେଷ ତାତ୍ପର୍ଯ୍ୟ ରହିଛି। ଅତୀତରେ ଆମେ ଗୁଡ଼ିଏ ଭୁଲ କରିଥିଲେ ବୋଲି ଯେ ଭବିଷ୍ୟତରେ ବି ତାହା କରି ଚାଲିବୁ ଏହା ଏକ ଯୁକ୍ତିହୀନ କଥା। ଜଷ୍ଟିସ ଗୋଗୋଇଙ୍କ କ୍ଷେତ୍ରରେ ଆପାତତଃ ସେୟା ହିଁ ହୋଇଛି।

ୟେ କି ସୂତ୍ର?

ରାଜ୍ୟସଭା ସାଂସଦ ପଦ  ମିଳିବା ପରେ ଜଷ୍ଟିସ ଗୋଗୋଇ କହିଛନ୍ତି ଯେ, ଦେଶ ନିର୍ମାଣ ପାଇଁ କୋଉଠି ନା କୋଉଠି ‘ବ୍ୟବସ୍ଥାପକ ସଭା ଓ ନ୍ୟାୟପାଳିକା ହାତ ମିଳାଇ କାମ କରିବା ଦରକାର।’ ମନେହୁଏ ଏହା ଏକ ସମସ୍ୟାବହୁଳ ଚିନ୍ତାଧାରା। ସମ୍ବିଧାନ ସମ୍ପର୍କରେ ଖୁବ ଅଧିକ ଜ୍ଞାନ ଆହରଣ କରିଥିବା ଜଣେ ଅତି ବିଜ୍ଞ ବ୍ୟକ୍ତିଙ୍କଠାରୁ ଏହିଭଳି ଏକ ସୁତ୍ରୀକରଣ ଆସିବା ହିଁ ସମସ୍ୟାର ମୂଳ।

ସାଲିସ ହିଁ ସାଲିସ

ସମୟକୁ ଲକ୍ଷ୍ୟ କରାଯାଉ: ଜଷ୍ଟିସ ଗୋଗୋଇ ମାତ୍ର କେଇ ମାସ ତଳେ ଦେଶର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଅଧିକନ୍ତୁ, ତାଙ୍କରି କାର୍ଯ୍ୟକାଳ ଭିତରେ ହିଁ ନ୍ୟାୟପାଳିକାର ସ୍ୱାଧୀନତା କ୍ଷେତ୍ରରେ ଅନେକଟା ସାଲିସ କରାଯାଇଥିଲା। ଆହୁରି ମଧ୍ୟ, ବିଶାଳ ମ୍ୟାଣ୍ଡେଟ ପାଇଥିବା କାର୍ଯ୍ୟପାଳିକା ବା ଗୋଟିଏ ସରକାର ଯେତେବେଳେ ଅନ୍ୟ ଅନୁଷ୍ଠାନଗୁଡିକୁ ଅସ୍ତ୍ର ଭଳି ବ୍ୟବହାର କରିବା ଆରମ୍ଭ କରନ୍ତି ସେଇଠି ହିଁ ସମସ୍ୟା ସୃଷ୍ଟି ହୁଏ। ଜାଣତରେ ହେଉକି ଅଜାଣତରେ ହେଉ, ଜଷ୍ଟିସ ଗୋଗୋଇ ଏହିଭଳ ଏକ ଅସ୍ତ୍ରୀକରଣର ପକ୍ଷଭୁକ୍ତ ହୋଇଯାଇଛନ୍ତି ଏଥିରେ ଦ୍ୱିମତ ନାହିଁ।

ବାକ୍ୟବୀର ବନାମ କର୍ମବୀର

ମନେପକାଇ ଦିଆଯାଇପାରେ ଯେ, ଜାନୁଆରୀ ୨୦୧୮ରେ ସୁପ୍ରିମକୋର୍ଟର ଚାରି ଜଣ ବରିଷ୍ଠ ବିଚାରପତିଙ୍କ ଭିତରୁ ଜଷ୍ଟିସ ଗୋଗୋଇ ହିଁ ପ୍ରଥମେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟ ଢାଞ୍ଚା ଉପରେ ପ୍ରଶ୍ନ ଉଠାଇଥିଲେ। ନ୍ୟାୟପାଳିକାର ସ୍ୱାଧୀନତା ରକ୍ଷା ଓ ଏହି ବ୍ୟବସ୍ଥାକୁ ସୁଦୃଢ କରାଯିବା ଉପରେ ମଧ୍ୟ ଗୋଗୋଇ ବରାବର ଗୁରୁତ୍ୱ ଦେଇଆସିଛନ୍ତି। ମୁମ୍ବାଇର ଏକ ଦୈନିକ ଇଂଲିସ୍‌ ଖବରକାଗଜର ବାର୍ଷିକ ଉତ୍ସବରେ ଯୋଗଦେଇ ଗୋଗୋଇ କହିଥିଲେ ଯେ, ନ୍ୟାୟପାଳିକା ‘ଶକ୍ତିଶାଳୀ, ଅନମନୀୟ,ଓ ସାଲିସ ବିହୀନ’ ହେବା ଦରକାର। ଫଳରେ ଏହି ଅନୁଷ୍ଠାନର ମର୍ଯ୍ୟାଦା ବଜାୟ ରହି ପାରିବ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ ଗୋଗୋଇ ଏ କଥା ମଧ୍ୟ କହିଥିଲେ ଯେ, ‘ସ୍ୱାଧୀନତାରେ ବିଶ୍ୱାସ କରୁଥିବା ସାମ୍ବାଦିକ ଓ ପାଟି କରୁଥିବା ନ୍ୟାୟାଧୀଶଙ୍କ’ର ଆବଶ୍ୟକତା ବି  ରହିଛି।

କାଠଗଡ଼ାରେ ନ୍ୟାୟପାଳିକା

ଏବେ ଯେତେବେଳେ ରାଜ୍ୟସଭା ସଦସ୍ୟ ପଦ ଜଷ୍ଟିସ ଗୋଗୋଇ ଗ୍ରହଣ କରିନେଇଛନ୍ତି ତାଙ୍କର ଅତୀତ ମନ୍ତବ୍ୟ କିଛି ମାନେ ରଖୁନାହିଁ। ଅଳ୍ପ କିଛି ମାସ ତଳେ ସେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ – ଆସାମ ଏନଆରସି, ସାବରୀମାଲା, ଅଯୋଧ୍ୟା, ରାଫେଲ ଓ ସିବିଆଇ – ଯାହା ଅନେକ ପରିମାଣରେ ମୋଦୀ ସରକାରଙ୍କୁ ସୁହାଇଛି, ସେହି ପରିସ୍ଥିତିରେ ଗୋଗୋଇଙ୍କ ସାଂସଦ ପଦ ଗ୍ରହଣ ନିଷ୍ପତ୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଗୋଇଙ୍କ ନୂଆ ଦାୟିତ୍ୱ ନ୍ୟାୟପାଳିକାଠାରୁ କାର୍ଯ୍ୟପାଳିକାକୁ ଅଲଗା ରଖିବାର ସାମ୍ବିଧାନିକ ନୀତି ବା ତତ୍ତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉତ୍ଥାପନ କରିଛି।

କୁହାଯାଏ, ନ୍ୟାୟପାଳିକାର ମର୍ଯ୍ୟାଦା ଓ ବିଶ୍ଵସନୀୟତା କେବଳ ନ୍ୟାୟ ଦେବା ଉପରେ ନିର୍ଭର କରିଥାଏ ତାହା ନୁହେଁ, ସେ ସମ୍ପର୍କିତ ଦୃଷ୍ଟିକୋଣ ଉପରେ ମଧ୍ୟ  ନିର୍ଭର କରିଥାଏ।

ସତ କହିବାକୁ ଗଲେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ କି ଅଧେ ବିଚାରପତିଙ୍କ କଥା ନୁହେଁ, ଏହା ଏକ ପୂରା ବ୍ୟବସ୍ଥାର କଥା। ସରକାରଙ୍କ ଯାଚଜ୍ଞାକୁ ଗ୍ରହଣ କରି ଜଷ୍ଟିସ ରଞ୍ଜନ ଗୋଗୋଇ ନିଜକୁ କେବଳ ନୁହେଁ, ସମଗ୍ର ନ୍ୟାୟପାଳିକାକୁ କାଠଗଡ଼ାରେ ଛିଡ଼ା କରିଦେଇଛନ୍ତି ବୋଲି ବୁଝିବାକୁ ପଡ଼ିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment