ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଲିଉଡ୍‌ର ଭେଟରାନ୍‌ ଅଭିନେତା ଶଶି କପୁରଙ୍କ ଜନ୍ମ ବାର୍ଷିକୀ। ୧୮ ମାର୍ଚ୍ଚ ୧୯୩୮ ମସିହାରେ ସେ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ। ୬୦ ଏବଂ ୭୦ ଦଶକର ହିନ୍ଦୀ ସିନେମାରେ ଚମତ୍କାର ଅଭିନୟ କରି ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିଥିଲେ ଲୋକପ୍ରିୟ ଅଭିନେତା ଶଶି କପୁର। ତାଙ୍କ ସମୟର ସେ ସବୁଠାରୁ ବ୍ୟସ୍ତ କଳାକାର ଥିଲେ। ପରେ ୨୦୧୭ ଡିସେମ୍ଵର ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୧୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିଲା। ୨୦୧୫ରେ ଶଶି କପୁରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୃଥିବୀରାଜ କପୁରଙ୍କ ସାନପୁଅ ଶଶି କପୁର  ପୃଥିବୀ ଥିଏଟରରେ ଶକୁନ୍ତଳା ନାଟକରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ରାଜ କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ‘ଆଗ’ ଓ ତୃତୀୟ ଚଳଚ୍ଚିତ୍ର ‘ଆୱାରା’ରେ ଶଶି କପୁର ବଡଭାଇ ରାଜ କପୁରଙ୍କ ସହିତ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତେବେ ଆସନ୍ତୁ ଜାଣିବା ଏହି ଭେଟେରାନ୍‌ ଅଭିନେତଙ୍କ ବିଷୟରେ ୧୦ଟି କଥା।

୧. ହିନ୍ଦୀ ସିନେମାର ପିତାମହ ଭାବେ ପରିଚିତ ପୃଥ୍ୱୀରାଜ କପୁରଙ୍କ ଘରେ ୧୯୩୮ ମାର୍ଚ୍ଚ ୧୮ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୭ ଡିସେମ୍ବର ୪ରେ ତାଙ୍କର ଦେହାନ୍ତ ହୋଇଛି। ଶଶି କପୁର ହେଉଛନ୍ତି ପୃଥ୍ୱୀରାଜଙ୍କ ସାନ ପୁଅ। ତାଙ୍କ ମା’ଙ୍କ ନାଁ ହେଉଛି ରାମଶରଣୀ କପୁର୍।

୨. ପିଲାବେଳେ ଶଶି କପୁରଙ୍କ ନାଁ ଥିଲା ବଲବୀର ରାଜ କପୁର। ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ରହିଥିଲା। ସ୍କୁଲରେ ପଢ଼ିବା ବେଳେ ସେ ନାଟକରେ ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ତାଙ୍କ ଇଚ୍ଛା ସେଠାରେ ପୂରଣ ହେଲାନାହିଁ। ହେଲେ ପରେ ପୃଥ୍ୱୀ ଥିଏଟରରେ ତାଙ୍କୁ ସୁଯୋଗ ମିଳିଥିଲା।

୩. ୧୯୪୪ରେ ନାଟକରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଶଶି।

୪. ଶଶି କପୁର ୨୦ ବର୍ଷ ବୟସରେ ବିବାହ କରିଥିଲେ। ଥିଏଟର ଗ୍ରୁପ୍ ଏସକ୍ସପିଏରାନାରେ ଅଭିନୟ କରିବା ବେଳେ ଜିନେଫରଙ୍କ ସହ ପ୍ରେମ ହୋଇଯାଇଥିଲା। ଜିନେଫର ତାଙ୍କଠାରୁ ୩ ବର୍ଷ ବଡ଼ ହୋଇଥିଲେ ମଧ୍ୟ ଶଶି ତାଙ୍କୁ ବିବାହ କରିଥିଲେ।

୫. ଶ୍ୟାମ ବେନେଗଲ୍, ଅପର୍ଣ୍ଣା ସେନ୍, ଗୋବିନ୍ଦ ନେହେଲାନି, ଗିରିଶ କର୍ଣ୍ଣାଡଙ୍କ ଭଳି ଆଗଧାଡ଼ିର ଫିଲ୍ମ ନିର୍ମାତାଙ୍କ ସହ ଶଶି କାମ କରିଛନ୍ତି।

୬. ଶଶି କପୁର ହେଉଛନ୍ତି ଏମିତି ଜଣେ କଳାକାର, ଯିଏକି ବ୍ରିଟିଶ ଏବଂ ଆମେରିକା ଫିଲ୍ମରେ କାମ କରିଛନ୍ତି। ହାଉସହୋଲ୍ଡର, ସେକ୍ସପିୟର ବାଲା, ବମ୍ବେ ଟକିଜ, ହିଟ୍ ଆଣ୍ଡ ଡଷ୍ଟ ଫିଲ୍ମରେ ଅଭିନୟ କରିଛନ୍ତି।

୭. ହିନ୍ଦୀ ଫିଲ୍ମରେ ସଫଳ ଅଭିନୟ ପାଇଁ ତାଙ୍କୁ ମିଳିଥିଲା ସମ୍ମାନଜନକ ଦାଦାସାହେବ ଫାଲ୍‌କେ ଆଓ୍ବାଡର୍।

୮. ଫିଲ୍ମ ‘ଜୁନୁନ୍’ ପାଇଁ ତାଙ୍କୁ ଶ୍ରେଷ୍ଠ ଫିଲ୍ମ ନିର୍ମାତା ପୁରସ୍କାର ମିଳିଥିଲା।

୯. ଫିଲ୍ମ ‘ଜବ ଜବ୍ ଫୁଲ ଖେଲେ’ ପାଇଁ ଶ୍ରେଷ୍ଠ ଅଭିନେତା, ବମ୍ବେ ଜର୍ଣ୍ଣାଲିଷ୍ଟ ଆଓ୍ବାର୍ଡ ପାଇଥିଲେ। ଫିଲ୍ମ ‘ମୁହାଫିଜ’ ପାଇଁ ସେ ସ୍ବତନ୍ତ୍ର ଜୁରୀ ପୁରସ୍କାର ପାଇଥିଲେ।

୧୦. ୨୦୧୧ରେ ସେ ପଦ୍ମଭୂଷଣ ସମ୍ମାନ ପାଇଥିଲେ। ୧୯୯୮ରେ ଫିଲ୍ମ ‘ଜିନ୍ନା’ ହେଉଛି ଶଶିଙ୍କ ଶେଷ ଅଭିନୀତ ଫିଲ୍ମ।

Comment