ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବୟସ୍କ ଲୋକଙ୍କୁ କରୋନାଠାରୁ ଦୂରେଇ ରଖିବା ସହ ସେମାନେ କିଭଳି ମାନସିକ ସ୍ତରରେ ଖୁସି ରହିବେ ସେ ନେଇ ବାଗ୍‌ଚି ଦେଇଛନ୍ତି ୧୨ଟି ଫର୍ମୁଲା ବା ସୂତ୍ର।

କରୋନା ଭୂତାଣୁ ସଂକ୍ରମଣର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଉଛି। ଏହାର ନେତୃତ୍ୱ ନେଉଥିବା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚି ଗୁରୁବାର ଦିନ ବରିଷ୍ଠ  ନାଗରିକଙ୍କ କଥା ଉଠାଇଛନ୍ତି। ସେ କହିଛନ୍ତି ଯେ, ‘ସଙ୍ଗରୋଧ ନିଶ୍ଚୟ, କିନ୍ତୁ ନିଃସଙ୍ଗତା ନୁହଁ’। ତେଣୁ ଘରେ ଘରେ ବୟସ୍କ ଲୋକଙ୍କୁ କରୋନାଠାରୁ ଦୂରେଇ ରଖିବା ସହ ସେମାନେ କିଭଳି ମାନସିକ ସ୍ତରରେ ଖୁସି ରହିବେ ସେ ନେଇ ବାଗ୍‌ଚି ଦେଇଛନ୍ତି ୧୨ଟି ଫର୍ମୁଲା ବା ସୂତ୍ର।

୧. ବୟସ୍କଙ୍କ ସାଙ୍ଗରେ କଥାବାର୍ତ୍ତା କରିବା, ତାଙ୍କର କଥାମାନ ଶୁଣିବା।

୨. କରୋନା କଥା ହେବା, କିନ୍ତୁ ସବୁବେଳେ ନୁହଁ।

୩. କରୋନା ବ୍ୟତୀତ ଅନ୍ୟ ବିଷୟରେ ଅଧିକା କଥା ହେବା। ପୁରୁଣା ସୁନ୍ଦର ସ୍ମୃତିକୁ ନେଇ ଆଲୋଚନା କରିବା।

୪. ତାଙ୍କ ମନ ପସନ୍ଦର ବହି, ପତ୍ରିକା ଆଣିଦେବା। ସେ ବିଷୟରେ ତାଙ୍କ ସହିତ ଆଲୋଚନା କରିବା।

୫. ହ୍ୱାଟସଆପ୍‍, ଭିଡିଓ/ଅଡିଓ କଲ୍‌ରେ ତାଙ୍କୁ ତାଙ୍କ ସାଙ୍ଗ ଓ ଦୂରରେ ଥିବା ପରିବାରର ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରାଇବା।

୬. ତାଙ୍କ ସାଙ୍ଗରେ ମିଶି ଘରେ ଛୋଟ ଛୋଟ କାମ କରିବା।

୭. ତାଙ୍କ ମନ ପସନ୍ଦର ରୋଷେଇ ଘରେ କରିବା।

୮. ସାମାଜିକ ଦୂରତ୍ୱ ରଖି ଓଳିଏ ଅନ୍ତତଃ ଏକାଠି ଖାଇବା।

୯. ତାଙ୍କ ସମୟର ଗୀତଟିଏ ବା ସିନେମାଟିଏ ୟୁଟ୍ୟୁବ୍‌ରୁ ଶୁଣେଇବା ବା ଦେଖାଇବା।

୧୦. ବୟସ୍କମାନଙ୍କୁ ପରିଚ୍ଛନ୍ନ ରଖିବା।

୧୧. ତାଙ୍କର ନିତିଦିନିଆ ଔଷଧର ଦାୟିତ୍ୱ ନେବା।

୧୨. ନାତିନାତୁଣୀଙ୍କ ସହିତ ଖେଳ ଏବଂ ତତ୍‍ଜନିତ ସ୍ପର୍ଶରୁ ସେମାନଙ୍କୁ ଦୂରେଇ ରଖିବା।

ଘରେ ଘରେ ବୟସ୍କ ବ୍ୟକ୍ତିମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଲେ, ପରିବାରର ସମସ୍ତେ ଖୁସିରେ ରହିବେ। ତେଣୁ ସେମାନଙ୍କୁ କରୋନାଠାରୁ ସୁରକ୍ଷିତ ରଖିବା ଲାଗି ସବୁପ୍ରକାର ସଚେତନତା ଓ ପଦକ୍ଷେପ ନେବାକୁ ସୁବ୍ରତ ବାଗ୍‌ଚି ପରାମର୍ଶ ଦେଇଛନ୍ତି।

Comment