ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତକୁ ଫୋକସ୍‌ କଲେ ରାଜ୍ୟ ସରକାର। ପଞ୍ଚାୟତ ସ୍ତରରୁ ବ୍ୟାପକ ସଚେତନତା କରିବା ପାଇଁ ରାଜ୍ୟ ସରକାର ଜୋର୍‌ ଦେଇଛନ୍ତି। ଘର ଘର ବୁଲି ଲୋକଙ୍କୁ କିପରି କରୋନା ସମ୍ପର୍କରେ ସଚେତନ କରାଯିବ ସେନେଇ ସରକାର ଗୁରୁତ୍ୱ ଦେଇଛନ୍ତି।

କରୋନା ମୁକାବିଲା ପାଇଁ ଆଜି ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତ ଅଫିସ୍‌ରେ ବସିଥିଲା ବୈଠକ। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ। ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ସରପଞ୍ଚ ଓ ସମିତିସଭ୍ୟମାନେ ବୈଠକରେ ଯୋଗ ଦେଇ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିଲେ। ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗରେ ତୃଣମୂଳ ସ୍ତରରୁ ସରକାର କରୋନା ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।

ଗାଁକୁ ବିଦେଶରୁ କେଉଁମାନେ ଆସୁଛନ୍ତି? ସେମାନଙ୍କ ସ୍ୱାସ୍ଥ୍ୟ କେମିତି ଅଛି? ଏହା ଉପରେ ପୂରା ନଜର ରଖିବେ ପଞ୍ଚାୟତ ପ୍ରତିନିଧି। ଯେଉଁମାନେ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଗାଁକୁ ଆସିବେ ସେମାନଙ୍କ ସମ୍ପର୍କରେ ପଞ୍ଚାୟତ ପ୍ରତିନିଧିମାନେ ତୁରନ୍ତ ରାଜ୍ୟ ସରକାରଙ୍କୁ ଖବର ଦେବେ। ରାଜ୍ୟ ସରକାରଙ୍କ ଟ୍ରୋଲ ଫ୍ରି ନମ୍ବର ୧୦୪ ଏବଂ ୱେବସାଇଟ୍‌ www.covid19.odisha.gov.in ରେ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ କରିବେ। ଏହାସହ ନିକଟସ୍ଥ ଡାକ୍ତରଖାନାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ। ସେମାନେ କିପରି ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ସେନେଇ ପଞ୍ଚାୟତ ପ୍ରତିନିଧିମାନେ ନଜର ରଖିବେ।

ଖାଲି ସେତିକି ନୁହେଁ, ପ୍ରତି ଗାଁରେ ଥିବା ଅଙ୍ଗନବାଡ଼ି ଏବଂ ଆଶା କର୍ମୀମାନେ ମଧ୍ୟ କରୋନା ଲଢ଼େଇରେ ସାମିଲ ହେବେ। ଘର ଘର ବୁଲି ଏମାନେ ଲୋକଙ୍କୁ ସଚେତନ କରିବେ। ବାରମ୍ବାର ସାବୁନ୍‌ କିମ୍ବା ସାନିଟାଇଜରରେ ହାତଧୋଇବାକୁ ପରାମର୍ଶ ଦେବେ। ପରିବେଶକୁ ସଫା ସୁତରା ରଖିବାକୁ ମଧ୍ୟ ପରାମର୍ଶ ଦେବେ ସ୍ୱାସ୍ଥ୍ୟ କର୍ମୀ।

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ସରକାର। କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। କରୋନାକୁ ନେଇ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏବେ ପ୍ରତି ପଞ୍ଚାୟତରୁ ସଚେତନତାମୂଳକ ଅଭିଯାନକୁ ବ୍ୟାପକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Comment