ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଶ୍ରୀମନ୍ଦିରରେ ଜାରି ହେଲା କରୋନା କଟକଣା। ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

କରୋନା ମୁକାବିଲା କରିବା ପାଇଁ ଗୁରୁବାର ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ମହାପ୍ରଭୁଙ୍କ ନିତିକାନ୍ତୀ ପାଇଁ ସେବାୟତମାନେ ମନ୍ଦିର ଭିତରକୁ ଯାଇପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି।

ପ୍ରତିଦିନ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମୁଛି। ଫଳରେ କରୋନା ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତି ନେଇଛନ୍ତି। ଭିଡ଼ରୁ ଦୁରେଇ ରହିବାକୁ ବାରମ୍ବାର ସରକାର ପରାମର୍ଶ ଦେଉଛନ୍ତି।

ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଭକ୍ତମାନଙ୍କୁ ଏକ କରୋନା ଘୋଷଣାପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଦେଶରେ କରୋନା ଦ୍ରୁତଗତିରେ ବ୍ୟାପୁଥିବାରୁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନାଠାରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ  ଦେଇଛନ୍ତି ସରକାର।

Comment