ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କଟକ: ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ମାତ୍ର ଏହି ନିର୍ଦ୍ଦେଶକୁ କିଛି ବିଦେଶ ଫେରନ୍ତା ବ୍ୟକ୍ତି ଅମାନ୍ୟ କରୁଥିବା ନେଇ ଆଜି ପୋଲିସ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୋଲିସ ଓ ମେଡିକାଲ୍ ଷ୍ଟାଫ୍ ଘଟଣାସ୍ଥଳକୁ ଯାଇ ପ୍ରାୟ ୩ ଜଣ ବିଦେଶ ଫେରନ୍ତାଙ୍କୁ ଧରି ଆଣି ସରକାରୀ କ୍ୱାରେଣ୍ଟାଇନ୍ ରୁମ୍‌ରେ ରଖିଛନ୍ତି। ଏପରିକି ଜଣେ ବିଦେଶ ଫେରନ୍ତା ନିୟମ ଓ କଟକଣା ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଛି।

କଟକ ଜିଲ୍ଲାକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିବା ପରେ ଆଜି ଥିଲା ତଥାକଥିତ ସରକାରୀ ବନ୍ଦର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପୋଲିସ ଓ ପ୍ରଶାସନ ନିକଟକୁ ସହରର ବିଭିନ୍ନ ସ୍ଥାନରୁ ଫୋନ୍ ଆସିଥିଲା। ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ସରକାରୀ ନିର୍ଦ୍ଦେଶକୁ ଉଲଂଘନ କରି ସାଧାରଣରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ।

ଏହା ପରେ ପୋଲିସ, ପ୍ରଶାସନ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଗଠିତ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ମର୍କତନଗର ଥାନା ଅଧୀନରେ ଗୋଟିଏ ସ୍ଥାନରେ, ମଙ୍ଗଳାବାଗ ଥାନା ଅଧୀନରେ ଗୋଟିଏ, ମଧୁପାଟଣା ଥାନାର ଗୋଟିଏ, ପୁରୀଘାଟ ଥାନାର ତିନୋଟି ଓ ସଦର ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ପୋଲିସ ଟିମ୍ ଚଢ଼ଉ କରି ଅଭିଯୋଗର ତଦନ୍ତ କରିଥିଲା। ତିନୋଟି ସ୍ଥାନରେ ତିନି ଜଣ ବିଦେଶ ଫେରନ୍ତା ବ୍ୟକ୍ତି ହୋମ୍ କ୍ୱାରେଣ୍ଟାଇନ୍ କଟକଣାକୁ ଠିକ୍ ଭାବେ ମାନୁ ନଥିବା ‘ରେସ୍‌ପନ୍ସ’ ଟିମ୍ ଦେଖିବାକୁ ପାଇବାରୁ ସେମାନଙ୍କୁ ତୁରନ୍ତ ଧରି ନିଆଯାଇଥିଲା।

ପରେ ସେମାନଙ୍କୁ ନେଇ ପ୍ରଶାସନ ପକ୍ଷରୁ ଗଠିତ ବାରବାଟୀ ଷ୍ଟାଡିୟମ୍ ନିକଟ ଓସିଏ କ୍ଲବ୍ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୁରୀଘାଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି କ୍ୱାରେଣ୍ଟାଇନ୍ ନିୟମକୁ ଅମାନ୍ୟ କରିଥିବାରୁ ତାଙ୍କ ନାଁରେ ପୁରୀଘାଟ ଥାନାରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା କହିଛି।

ସେହିପରି ପ୍ରାୟ ୫ ଜଣଙ୍କୁ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାରେ ବା ଆଇସୋଲେସନ୍‌ରେ ରହିବା ପାଇଁ ତାଗିଦ୍‌ କରାଯାଇଛି। ଯଦି ଉକ୍ତ ବ୍ୟକ୍ତିମାନେ ଅବହେଳା କରନ୍ତି ବା ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ପୋଲିସ ଆଜି ଚେତାଇ ଦେଇଛି।

Comment