ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲଡାଉନ ପାଇଁ ଏବେ ପ୍ରାୟ ସମସ୍ତେ ଘରେ ଅଛନ୍ତି।  ଘରେ ବସି କ’ଣ କରିବେ ନିଶ୍ଚୟ ଭାବୁଥିବେ?  ଯଦି ଆପଣ ବି ସେମିତି ଭାବୁଛନ୍ତି ତାହେଲେ ଆଜି ଘରେ ସୁଜି, ଆଳୁ କଟଲେଟ ପ୍ରସ୍ତୁତ କରି ପ୍ରିୟଜନଙ୍କୁ ପରସନ୍ତୁ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ?

ସାମଗ୍ରୀ:

  • ସୁଜି ୧ କପ୍‌
  • ମଟରଛୁଇଁ ୧ କପ୍
  • ୩ଟି ସିଝା ଆଳୁ
  • ୨-୩ ଚାମଚ ଧନିଆପତ୍ର(କଟା ହୋଇଥିବା),
  • କଞ୍ଚା ଲଙ୍କା ୨ଟି
  • ହଳଦୀ ପାଉଡର ଅଧ ଚାମଚ
  • ଧନିଆ ପାଉଡ଼ର ଅଧ ଚାମଚ,
  • ଲଙ୍କା ପାଉଡ଼ର ଅଧ ଚାମଚ,
  • ଆମଚୁର ପାଉଡ଼ର ଅଧ ଚାମଚ
  • ଆବଶ୍ୟକ ଅନୁସାରେ ଗରମ ମସଲା, ଲୁଣ ଓ ତେଲ

ପ୍ରଣାଳୀ: ପ୍ରଥମେ କଡ଼ାଇରେ ୨ କପ୍ ପାଣି, ଲୁଣ, ୨ ଚାମଚ ତେଲ ପକାଇ ଫୁଟାନ୍ତୁ। ପାଣି ଫୁଟିଗଲା ପରେ ଗ୍ୟାସକୁ କମ୍ କରିଦେଇ ସେଥିରେ ଧୀରେ ଧୀରେ ସୁଜି ମିଶାନ୍ତୁ। ମିଶ୍ରଣ ଟିକେ ଗାଢ଼ା ହୋଇଗଲା ପରେ ତାକୁ ହାଲ୍‌କା ଥଣ୍ଡା କରନ୍ତୁ। ହାତରେ ଟିକେ ତେଲ ମାରି ତାକୁ ଭଲ ଭାବେ ଚଟକନ୍ତୁ। ତାକୁ ଘୋଡାଇ ରଖି ଦିଅନ୍ତୁ ଯେପରିକି ତାହା ଗରମ ରହିବ।

ଏଥରକ ଷ୍ଟଫିଂ ବା ପୁର ପାଇଁ ସିଝା ଆଳୁକୁ ଚକଟନ୍ତୁ। ଗୋଟିଏ ପ୍ୟାନରେ ତେଲ ପକାଇ ସେଥିରେ ମଟରଛୁଇଁକୁ ୨-୩ମିନିଟ୍ ଭାଜନ୍ତୁ। ମଟର ନରମ ହୋଇଯିବା ପରେ ତାକୁ ଚାମଚରେ ଦାବି ଦିଅନ୍ତୁ। ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା, ଧନିଆ ପାଉଡ଼ର, ହଳଦୀ ପାଉଡର, ଲଙ୍କା ପାଉଡ଼ର, ଆମଚୁର ପାଉଡ଼ର, ଗରମ ମସଲା ପାଉଡ଼ର, ଅଳ୍ପ ଧନିଆ ପତ୍ର ପକାଇ ଆଉ ଟିକେ ଭାଜନ୍ତୁ। ଏଥରକ ଚକଟା ଆଳୁ, ଲୁଣକୁ ସେଥିରେ ମିଶାନ୍ତୁ। ୫ ମିନିଟ୍ ଏପଟସେପଟ କରିବା ପରେ ଗ୍ୟାସ ବନ୍ଦ କରନ୍ତୁ।

ପୂର ଥଣ୍ଡା ହୋଇଯିବା ପରେ ହାତରେ ତାକୁ ଗୋଲ ଗୋଲ ଲଡୁ ଭଳି କରି ଗୋଟିଏ ପ୍ଲେଟରେ ରଖନ୍ତୁ। ଏଥରକ ସୁଜିର ମିଶ୍ରଣକୁ ଛୋଟ ପୁରି ଭଳି ବେଲି ଦିଅନ୍ତୁ। ସେଥିରେ ଆଳୁର ପୂର ଦେଇ ବନ୍ଦ କରି ତାକୁ କଟଲେଟ ରୂପ ଦିଅନ୍ତୁ। ଏହାପରେ କଟଲେଟ୍‌ଗୁଡ଼ିକୁ ଛାଣି ନିଅନ୍ତୁ। ଏହାକୁ ଧନିଆ ଚଟଣୀ କିମ୍ବା ଟମାଟୋ ସସ୍ ସହିତ ଖାଇହେବ।

Comment