ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେତେବେଳେ ମହାମାରୀ ପଡ଼ିଛି ସେତେବେଳେ ବାଡ଼ିନୃସିଂହ ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଓହ୍ଲାଇଥିବା ଗବେଷକମାନେ କହନ୍ତି।

ଶ୍ରୀମନ୍ଦିରରୁ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇଲେ ବାଡ଼ିନୃସିଂହ। ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ବାଡ଼ିନୃସିଂହ ବିମାନରେ ବିରାଜମାନ କରି ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି। ପୁରୀର ଅଙ୍ଗିରା, ଭୃଗୁ, ମାର୍କେଣ୍ଡୟ ଆଦି ଆଶ୍ରମ ପରିକ୍ରମା କରିଛନ୍ତି ନୃସିଂହ ଠାକୁର।

ଏହାପରେ ପଂକ୍ତି ଭୋଗ ବାଡ଼ିନୃସିଂହ ଠାକୁରଙ୍କ ପାଖରେ ଲାଗି ହେବ ଏବଂ ଆଳତର ହେବ। ପରେ ବାଡ଼ିନୃସିଂହ ପୁଣି ବଡ଼ଦେଉଳକୁ ଫେରିଯିବେ।

ଓଡ଼ିଆରେ ବାଡ଼ି ଅର୍ଥ ହେଉଛି ମହାମାରୀ। ଏଣୁ ଯେତେବେଳେ ସାରା ବିଶ୍ୱରେ ମହାମାରୀ ଦେଖାଦେଇଛି ସେତେବେଳେ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ବାଡ଼ିନୃସିଂହ ଠାକୁର ଶ୍ରୀମନ୍ଦିରରୁ ଲୋକଙ୍କ ଦୁଃଖ ନାଶ କରିବା ପାଇଁ ବଡ଼ଦାଣ୍ଡକୁ ବାହାରି ଆସନ୍ତି।

ପୂର୍ବରୁ ବସନ୍ତ, ହଇଜା ଆଦି ମହାମାରୀ ଦେଖାଦେଇଥିଲା। ଲୋକମାନେ ଭୟରେ ତାଟି କବାଟ ଦେଇ ଘରେ ରହୁଥିଲେ। ଏହି ସମୟରେ ବାଡ଼ିନୃସିଂହ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ବଡ଼ଦାଣ୍ଡକୁ ଚାଲି ଆସିଥିଲେ। ଏବେ କରୋନା ଭାଇରସ୍‌ ଆତଙ୍କରେ ସାରା ବିଶ୍ୱ ଥରହର ହେଉଛି। ହଜାର ହଜାର ଲୋକଙ୍କର ମୃତ୍ୟୁ ହେଲାଣି। କରୋନାରୁ ବର୍ତ୍ତିବା ପାଇଁ ଲୋକେ ବାଟ ପାଉ ନାହାନ୍ତି।

କରୋନା ମହାମାରୀ ବେଳେ ବାଡ଼ିନୃସିଂହ ଠାକୁର ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଆସି ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି। ବଡ଼ଦାଣ୍ଡରେ ପଣାହାଣ୍ଡି ଭଙ୍ଗା ଯାଇଥିଲା। କରୋନା ମହାମାରୀରୁ ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ବାଡ଼ିନୃସିଂହ ବଡ଼ଦାଣ୍ଡକୁ ଓହ୍ଲାଇଥିବା ଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦିଅନ୍ତି।

Comment