ତପନ କୁମାର ମିଶ୍ର

ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।

କୌଣସି ଏକ ଦୃଶ୍ୟମାନ ଘଟଣା ଘଟିବା ପୂର୍ବରୁ ଏଥିପାଇଁ ଏକ ଅଦୃଶ୍ୟମାନ ଧାରା ସୃଷ୍ଟି ହୋଇଥାଏ। ତା’ ପଛରେ ଜଣେ, କିଛି, ଅଳ୍ପ କେତେକ ଅଥବା ଏକ ଗୋଷ୍ଠୀର ଚିନ୍ତା ଚେତନା ନିହିତ ଥାଏ। ସେହି ଅଦୃଶ୍ୟମାନ ଧାରା ଆବଶ୍ୟକ ଅନୁକୂଳ ପରିବେଶ ଓ ପରିସ୍ଥିତି ପାଇଲେ କଳ୍ପନାକୁ ବାସ୍ତବତାର ରୂପ ଦେଇଥାଏ। ଏହା ଇତିହାସର ଏକ ନିୟମ। ଜାତି, ସମାଜ, ସମୁଦାୟ ବା ଜାତୀୟତା କ୍ଷେତ୍ରରେ ଯେତେବେଳେ ଏକ ନବଜାଗରଣର ଚିନ୍ତା ଉଦ୍ରେକ ହୁଏ ତାହା ଅଧିକ ଲୋକଙ୍କ ମଗଜରୁ ବାହାରିନଥାଏ। ଜଣେ ଅଧେ ବା ଅଳ୍ପ କେତେଜଣ ଏ ଦିଗରେ  ଚିନ୍ତା କରିଥାନ୍ତି। ସମୟକ୍ରମେ ସମ ମନୋଭାବାପନ୍ନମାନେ ଏଥିରେ ସାମିଲ ହୁଅନ୍ତି।

ଓଡ଼ିଆ ଜାତୀୟତାର ନବଜାଗରଣ ଯଦି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୁହାଯାଏ; ତା’ ହେଲେ ଖୋଜିବାକୁ ପଡ଼ିବ ଏହାର ଆଦି ସୂତ୍ରଧର କିଏ ଏବଂ କେବେଠୁ ଆରମ୍ଭ ହୋଇଥିଲା ଏହି ଚିନ୍ତନ। ଏ କଥା ଆଲୋଚନା କରିବା ବେଳେ ପ୍ରଥମରୁ ଆମେ ସ୍ପଷ୍ଟ ହୋଇଯିବା ଉଚିତ୍ ଯେ ଯେଉଁ ନବଜାଗରଣ କଥା ଆମେ କହୁଛୁ ତାହା ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡର; ଅର୍ଥାତ ବ୍ରିଟିଶ ଶାସନ କାଳର ଓଡ଼ିଆ ଜାତିର କଥା। ତା’ର ବହୁ ଆଗକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକତା ଓ ଶାସନ କଥା ଏହି  ପ୍ରବନ୍ଧର ପରିସରଭୁକ୍ତ ନୁହେଁ। ସେମିତି ଦେଖିଲେ ଓଡ଼ିଆ ଜନଜୀବନରେ ବିଭିନ୍ନ ସମୟରେ ଅତୀତରେ ନବଜାଗରଣମାନ ଆସିଛି ବିଭିନ୍ନ କାଳ ଖଣ୍ଡରେ। ସେ ଯଯାତି -୨ୟଙ୍କ ଶାସନକାଳ ହେଉ ଅଥବା, ଓଡ଼ିଆ ଅକ୍ଷରର ସୃଷ୍ଟି ଓ ଭାଷାର ବିକାଶ କିମ୍ବା ସାରଳା ଦାସଙ୍କ ମହାଭାରତ ରଚନା, ପଞ୍ଚଶଖାଙ୍କ ବୌଦ୍ଧିକ ଅବଦାନ ବା ଆହୁରି କେତେ କଥା।

ପ୍ରସଙ୍ଗକୁ ଆସିବା। ମୋଗଲ ଓ ମରାଠା ଶାସନ ପରେ ବ୍ରିଟିଶ ଶାସକଙ୍କ ନିୟନ୍ତ୍ରଣକୁ ଓଡ଼ିଶା ଆସିବା ପରେ ଓଡ଼ିଶା ତାହାର ସ୍ଥିତି ଓ ପରିଚୟର ଏକ ସଙ୍କଟଜନକ ସ୍ଥିତିରେ ଥିଲା। ଏହାର ବସୁଧା କେବଳ ବିଖଣ୍ଡିତ ହୋଇନଥିଲା; ବୌଦ୍ଧିକ ଭାବନାର ଓ ଜାତୀୟତାବାଦୀ ପ୍ରାଣ ଚେତନା ମଧ୍ୟ ଅବରୁଦ୍ଧ ହୋଇରହିଥିଲା। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ ବୈଦେଶିକ ଆକ୍ରମଣ ପୀଡ଼ିତ ଓଡ଼ିଶା ସତେ ଯେପରି ତାହାର ପ୍ରାଣଶକ୍ତି ହରାଇଥିଲା। ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରୁ କିଞ୍ଚିତ ଲାଭାନ୍ୱିତ ହୋଇ ଯେଉଁ କେତେକ ଓଡ଼ିଆ ସେତେବେଳେ ମୁଣ୍ଡ ଟେକୁଥିଲେ ସେମାନଙ୍କ  ପ୍ରଭାବ ଓ ପ୍ରତିଷ୍ଠା ଅତ୍ୟନ୍ତ ସୀମିତ ଥିଲା।  କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର, ଉତ୍କଳମଣି ଗୋପବନ୍ଧୁ ଦାସ ଆଦି ସେତେବେଳକୁ ଜାତୀୟ ଓ ସାଧାରଣ ଜୀବନକୁ ଆସିନଥିଲେ।

MADHU BABU

ଏହିସମୟରେ ଯେଉଁ କେତେକ ସୁପୁରୁଷ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ବିଚିତ୍ରାନନ୍ଦ ଦାସ ଅନ୍ୟତମ। ସେ ମହାଶୟଙ୍କ ଜନ୍ମ ବର୍ତ୍ତମାନର ଯାଜପୁର ଜିଲ୍ଲା ଅନ୍ତର୍ଗତ କଣ୍ଟାବଣିଆ ଗାଁର ଏକ ସମ୍ଭ୍ରାନ୍ତ ପରିବାରେ ୧୮୨୭ ମସିହାରେ। ତାଙ୍କର ଜୀବନକାଳ ସ୍ୱଳ୍ପ ଥିଲା। ସେ ମାତ୍ର ୪୮ ବର୍ଷ ପଞ୍ଚିଥିଲେ; କିନ୍ତୁ ତାଙ୍କର ଏହି ଛୋଟିଆ ଜୀବନଟି ଘଟଣାବହୁଳ ଥିଲା।

ସେ ମହାଶୟ କଟକ କିଲଟରୀରେ ଛୋଟିଆ ଚାକିରି କରିଥିଲେ ଓ ଅବିବାହିତ ଥିଲେ। ତାଙ୍କର ଅଧିକାଂଶ ସମୟ ଓଡ଼ିଆ ଭାଷା ସୁରକ୍ଷା , ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି  ପାଇଁ କଟିଥିଲା। ଅର୍ଥାଭାବ ଯୋଗୁଁ ମଧୁସୂଦନ ଦାସ ଉଚ୍ଚଶିକ୍ଷା ପାଇଁ କଲିକତା ଯାଇପାରୁନଥିଲେ। ସେ ବିଚିତ୍ରାନନ୍ଦଙ୍କ ସହାୟତା ଲୋଡିଥିଲେ। ବିଚିତ୍ରାନନ୍ଦ ଚାହୁଁନଥିଲେ ଯେ ଜଣେ ପ୍ରତିଭାବାନ ଓଡ଼ିଆ ମଧୁସୂଦନଙ୍କ ପାଠପଢ଼ା ସେତିକିରେ ରହୁ ଓ ସେ ବ୍ରିଟିଶ ସରକାରଙ୍କ ଅଧିନରେ ଜଣେ କିରାଣୀ ହୋଇ ଜୀବିକା ନିର୍ବାହ କରନ୍ତୁ। ବିଚିନ୍ଦ୍ରାନନ୍ଦ କଲିକତା ହାଇକୋର୍ଟରେ ଚାକିରି କରିଥିବା ନିଜର ଜଣେ ସମ୍ପର୍କୀୟ ନୀଳମାଧବ ଦାସଙ୍କ ପାଖୁ ଚିଠି ଖଣ୍ଡିଏ ଲେଖି ମଧୁସୂଦନଙ୍କୁ ପଠାଇଲେ। ମଧୁସୂଦନ ତାଙ୍କ ଘର ରହି ଏଫଏ ଶ୍ରେଣୀରେ ନାମ ଲେଖାଇଲେ ଓ ତାଙ୍କ ପିଲାଙ୍କ ଟ୍ୟୁଟର ହୋଇଥିଲେ।

ବିଚିତ୍ରାନନ୍ଦ କଟକର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ି ଏଣ୍ଟ୍ରାନ୍ସ  ପରୀକ୍ଷା ଦେବାର ଯୋଗ୍ୟତା ଲାଭ କରିଥିଲେ। ଅଧିକ ପାଠ ନ ପଢ଼ି ସେ କିଲଟରୀରେ ଜଣେ ମୋହରିର ଭାବେ ଯୋଗ ଦେଲେ। ଏଇ ପଦରେ ସେ ଦୀର୍ଘ ୧୬ ବର୍ଷ  କାଳ ରହିଥିଲେ ହେଁ ପ୍ରଶାସନରେ ବଙ୍ଗାଳୀମାନଙ୍କ ପ୍ରାଦୁର୍ଭାବ ଓ ଓଡ଼ିଆ ଭାଷାର ଅବହେଳା ବିରୋଧରେ ପାରୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ। ଟି ଏ ରେଭେନ୍ସା କମିଶନର ଭାବେ କଟକରେ ଯୋଗ ଦେବା ପରେ ତାଙ୍କ ସହିତ ବିଚିତ୍ରାନନ୍ଦଙ୍କର ସୁସମ୍ପର୍କ ବଢ଼ିଥିଲା। ରେଭେନ୍ସା ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ବିଶ୍ୱାସ କରୁଥିଲେ। ଥଟ୍ଟାରେ ରେଭେନ୍ସା ବିଚିତ୍ରାନନ୍ଦଙ୍କୁ କୁନି ପ୍ରଧାନମନ୍ତ୍ରୀ (ଲିଟିଲ୍ ପ୍ରାଇମିନିଷ୍ଟର) ବୋଲି ସମ୍ବୋଧନ କରୁଥିଲେ। ରେଭେନ୍ସା ତାଙ୍କୁ ମୋହରିରରୁ ଶିରସ୍ତାଦାର ପଦକୁ ଉନ୍ନୀତ କରିଥିଲେ।

ବିଚିତ୍ରାନନ୍ଦଙ୍କର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଅତି ଭଲ ସମ୍ପର୍କ ଥିଲା। ଅନେକ ସମୟରେ ସେ ଓଡ଼ିଶାର ସ୍ୱାର୍ଥଜନିତ ବିଷୟକୁ ଅଗ୍ରାଧିକାର ଦେବାକୁ ରେଭେନ୍ସା ସାହେବଙ୍କୁ ପ୍ରବର୍ତ୍ତାଇବାରେ ସଫଳ ହୋଇଥିଲେ। ୧୮୬୬ର ନଅଙ୍କ ଦୁର୍ଭିକ୍ଷରେ ସ୍ଥାୟୀ ଜଳସେଚନ ଓ ବନ୍ଧବାଡ଼ ନିର୍ମାଣ ଆଦି ନିଷ୍ପତ୍ତିରେ ତାଙ୍କର ବିଶେଷ ଭୂମିକା ଥିଲା। କେନାଲ ଖନନ ଓ ବନ୍ୟା ନିରୋଧକ ବନ୍ଧ ନିର୍ମାଣରେ ଓଡ଼ିଆ ଠିକାଦାର, ପେଟି ଠିକାଦାରଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବା ସହ ଲୋକେ କିପରି ସୁବିଧାରେ କାମ ପାଇବେ ସେଥିପାଇଁ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଏକ କଲେଜ ପ୍ରତିଷ୍ଠାରେ ବିଚିତ୍ରାନନ୍ଦଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ସେ ଏଥିପାଇଁ କମିଶନର ରେଭେନ୍ସାଙ୍କୁ ରାଜି କରାଇଥିଲେ। ପରବର୍ତ୍ତୀ କାଳରେ ଏହି କଲେଜର ନାମ ରେଭେନ୍ସା ରଖାଗଲା।

ତାଙ୍କ ପ୍ରରୋଚନାରେ ପ୍ୟାରୀମୋହେନ ଆଚାର୍ଯ୍ୟ କଟକରେ ଏକ ହାଇସ୍କୁଲ (ଏକାଡେମୀ) ପ୍ରତିଷ୍ଠା କରିଥିଲେ। ବିଚିତ୍ରାନନ୍ଦ ମଧ୍ୟ କଟକର ଏକ ବାଳିକା ଉଚ୍ଚ ବିଦ୍ୟାଳୟ ପାଇଁ ନିଜର କିଛି ଜମି ଦାନ କରିଥିଲେ। ଏବେକାର ସନସାଇନ୍ ପଡ଼ିଆ ତାଙ୍କଠାରୁ ସରକାର ନେଇ ସ୍କୁଲର ଖେଳପଡ଼ିଆ କରିଥିଲେ ବୋଲି କୁହାଯାଏ।

ସେ ତାଙ୍କର କେତେକ ଘନିଷ୍ଠ ବନ୍ଧୁଙ୍କ ସହଯୋଗରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ଏଥିପାଇଁ ବ୍ରିଟିଶ୍ ଶାସକଙ୍କୁ ପିଟିସନ୍, ସ୍ମାରକପତ୍ର ଦେବାଠାରୁ ସଭା ସମ୍ମିଳନୀମାନେ ନିୟମିତ କରୁଥିଲେ। ଓଡ଼ିଶାରେ ରେଳ ପ୍ରସାରର ସେ ଥିଲେ ଜଣେ ଆଦି ପ୍ରବକ୍ତା।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ରାଜ୍ୟର ସାମାଜିକ, ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ଜୀବନର ବିକାଶକ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ତେଣୁ ତାଙ୍କୁ ଶ୍ରଦ୍ଧାରେ ଲୋକେ ‘ଆଦିନେତା’ର ଆଖ୍ୟା ଦେଇଛନ୍ତି। ପରିତାପର ବିଷୟ ସରକାର ଚାକିରିରେ ଥିବା ସମୟରେ ଅକାଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ତାଙ୍କ ଆତ୍ମଜୀବନୀ ଲେଖିବାକୁ ସମୟ ପାଇନଥିଲେ। ତାଙ୍କର କାର୍ଯ୍ୟାବଳି ଓ ଅବଦାନ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ବିଶେଷ କିଛି ତଥ୍ୟାବଳି ହୋଇନାହିଁ। ତେବେ ଉତ୍କଳଦୀପିକା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ନଟବର ସାମନ୍ତରାଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ବାମଦେବ ମିଶ୍ରଙ୍କ ଦ୍ୱାରା ରଚିତ ପୁସ୍ତକ, ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ରଚିତ ଦେଶପ୍ରାଣ ମଧୁସୂଦନ ଆଦି ବହିରୁ ଏହି ଜାତିପ୍ରାଣ ନେତାଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳେ।

ଏଭଳି ଜଣେ ମହାନ ସନ୍ତାନଙ୍କୁ ଏ ଜାତି ଓ ରାଜ୍ୟ ପ୍ରାୟ ଭୁଲିଯାଇଛି। ଗୋଟିଏ ଜାତି ତ ଅନେକ ବରପୁତ୍ରଙ୍କୁ ସମୟକ୍ରମେ ଭୁଲିଯାଏ; ମାତ୍ର ଏକ କୃତଜ୍ଞ ଜାତି ଏହି ସ୍ୱାଭାବିକ ବିସ୍ମରଣ ପ୍ରକ୍ରିୟାରେ ମଧ୍ୟ ସର୍ବଦା ତା’ର କୃତବିଦ୍ୟ ସନ୍ତାନମାନଙ୍କୁ ସ୍ମୃତିପଟରେ ସାଇତି ରଖି ଗୌରବାନ୍ୱିତ ହେବାକୁ ଚେଷ୍ଟା କରେ। ଆସନ୍ତୁ ଆମେ ଆମର ଏଭଳି ବିସ୍ମୃତ ବରପୁତ୍ରମାନଙ୍କୁ ଖୋଜିବା ଓ ସେମାନଙ୍କ ତ୍ୟାଗ ଓ ତିତିକ୍ଷାରେ ପ୍ରଭାବିତ ହେବା।

(ସୌଜନ୍ୟ – ଉତ୍କଳ ଗୌରବ- ୨୦୧୭)

Comment