ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ, କର୍ମବ୍ୟସ୍ତତା ଓ ଚାପ ଯୋଗୁଁ ଅଧିକାଂଶ ଲୋକ ଉଚ୍ଚରକ୍ତଚାପ ବା ହାଇପରଟେନ୍‌ସନ୍‌ ସମସ୍ୟାରେ ପୀଡ଼ିତ ହୋଇଥା’ନ୍ତି। କିନ୍ତୁ ଗର୍ଭାବସ୍ଥା ସମୟରେ ଉଚ୍ଚରକ୍ତଚାପ ସମସ୍ୟା ଦେଖାଦିଏ, ତେବେ ଏହା ଉଭୟ ମା’ ଓ ଗର୍ଭସ୍ଥ ସନ୍ତାନ ପାଇଁ କ୍ଷତିକାରକ ହୋଇଥାଏ।

ଗର୍ଭାବସ୍ଥା ସମୟରେ କେତେଗୁଡ଼ିଏ ମହିଳାଙ୍କଠାରେ ଉଚ୍ଚରକ୍ତଚାପ ସମସ୍ୟା ଦେଖାଦେଇଥାଏ। ଯେଉଁ ମହିଳାମାନେ ପ୍ରଥମଥର ପାଇଁ ଗର୍ଭଧାରଣ କରିଥା’ନ୍ତି ସେମାନଙ୍କଠାରେ ଉଚ୍ଚରକ୍ତଚାପ ହେବା ଆଶଙ୍କା ଅଧିକ ଥାଏ। ଏହାଛଡ଼ା ଯଦି ଉଚ୍ଚରକ୍ତଚାପ ବଂଶଗତ ରହିଛି କିମ୍ବା ଗର୍ଭସ୍ଥ ମହିଳାଙ୍କର ଯାଆଁଳା ଛୁଆ ଥାଏ, ତେବେ ହାଇପରଟେନ୍‌ସନ୍‌ ହେବାର ଆଶଙ୍କା ଥାଏ। ଏହାଛଡ଼ା ଯଦି ଜଣେ ମହିଳାଙ୍କର ପ୍ରଥମ ସନ୍ତାନ ବେଳେକୁ ଉଚ୍ଚରକ୍ତଚାପ ସମସ୍ୟା ଥିଲା, ଦ୍ୱିତୀୟ ସନ୍ତାନ ବେଳକୁ ଉଚ୍ଚରକ୍ତଚାପ ହେବାର ଆଶଙ୍କା ଥାଏ। ଏହା ୨୫ରୁ ୩୦ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦେଖାଦେଇଥାଏ।

ଯଦି ଗର୍ଭସ୍ଥ ମହିଳାଙ୍କର ଡାଏବେଟିସ୍‌, ଥାଇରଏଡ୍‌ ଓ ମୋଟାପଣ ରହିଥାଏ, ତେବେ ସେମାନଙ୍କଠାରେ ଉଚ୍ଚରକ୍ତଚାପ ହୋଇଥାଏ। ଏହାଛଡ଼ା ଯଦି ମହିଳାମାନେ ୨୦ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କରୁଛନ୍ତି, ସେହି ମହିଳାଙ୍କଠାରେ ଉଚ୍ଚରକ୍ତଚାପ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ।

ଗର୍ଭାବସ୍ଥାରେ ବ୍ଲଡ୍‌ପ୍ରେସର ୧୪୦/୯୦ ତଳକୁ ରହିବା ଦରକାର। କିନ୍ତୁ ଏହି ସ୍ତର ୧୬୦/୧୧୦ରୁ ଅଧିକ ହୁଏ, ତେବେ ଏହା ସିଭିୟର ଉଚ୍ଚରକ୍ତଚାପ ବୋଲି କୁହାଯିବ। ଯଦି ଗର୍ଭସ୍ଥ ମହିଳାମାନଙ୍କଠାରେ ଉଚ୍ଚରକ୍ତଚାପ ରହେ ଏବଂ ତାକୁ କଣ୍ଟ୍ରୋଲ ନ କରାଯାଏ ତେବେ ଏହା ପରବର୍ତ୍ତୀ ସମସୟରେ ଜଟିଳ ହୋଇଥାଏ।

ଯଦି ଜଣେ ମହିଳା ଗର୍ଭବତୀ ଓ ତାଙ୍କର ଉଚ୍ଚରକ୍ତଚାପ ଅଛି ତେବେ ସେମାନେ ଖାଦ୍ୟରେ ଲୁଣ କମ୍‌ ଖାଇବା ଭଲ। ଚାପ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ। ଷ୍ଟ୍ରେସ୍‌, ଅବସାଦଠାରୁ ଦୂରେଇ ରହନ୍ତୁ। ଯଥେଷ୍ଟ ବିଶ୍ରାମ ନିଅନ୍ତୁ। ଠିକ୍‌ ସମୟରେ ଶୁଅନ୍ତୁ। ଏହାସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମେଡିଟେସନ୍‌ କରିପାରିବେ।

ଗର୍ଭବତୀ ମହିଳାଙ୍କୁ ଡାକ୍ତରମାନେ କ୍ୟାଲସିୟମ୍‌ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। ହେଲେ ଉଚ୍ଚ ରକ୍ତଚାପ ଥିବା ଗର୍ଭବତୀ ମହିଳାଙ୍କୁ ଅଧିକ କ୍ୟାଲସିୟମ୍‌ ଦିଆଯାଇଥାଏ। ଏହାଛଡ଼ା ଦିନକୁ କ୍ଷୀର ଗ୍ଲାସ୍‌, ଛେନା ଜାତୀୟ ଖାଦ୍ୟ ବା ଉଚ୍ଚ କ୍ୟାଲସିୟମ୍‌ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥା’ନ୍ତି। ଏହି ଖାଦ୍ୟ ନିଜ ଦୈନନ୍ଦିନ ଜୀବନରେ ସାମିଲ କଲେ ଏହା ଉଚ୍ଚରକ୍ତଚାପକୁ ସନ୍ତୁଳିତ ସ୍ତରକୁ ଆଣିଥାଏ।

ଗର୍ଭବସ୍ଥା ସମୟରେ ଉଚ୍ଚରକ୍ତଚାପ ରହିଲେ ଉଭୟ ମା’ ଓ ଗର୍ଭସ୍ଥ ସନ୍ତାନ ଉପରେ ଏହାର ପ୍ରଭାବ ପଡ଼ିଥାଏ। କେତେକ କ୍ଷେତ୍ରରେ ଗର୍ଭବତୀ ମହିଳାଙ୍କର ଷ୍ଟ୍ରୋକ୍‌, ହାର୍ଟ ଫେଲ୍ୟୁୟର, କିଡ୍‌ନି ଫେଲ୍ୟୁୟର ହେବାର ଆଶଙ୍କା ଅଧିକ ଥାଏ। ଉଚ୍ଚରକ୍ତଚାପ କାରଣରୁ ଗର୍ଭସ୍ଥ ଶିଶୁ ମଧ୍ୟ ଉପଯୁକ୍ତ ଭାବରେ ବଢ଼ିପାରି ନଥାଏ। ବେଳେବେଳେ ଗର୍ଭପାତ ହୋଇଥାଏ। ଅନେକ କ୍ଷେତ୍ରରେ ମା’କୁ ସୁରକ୍ଷିତ ରଖିବା ପାଇଁ ସମୟ ପୂର୍ବରୁ ଡାକ୍ତରମାନଙ୍କୁ ଡେଲିଭରି କରାଇବାକୁ ପଡ଼ିଥାଏ।

ଯେଉଁ ମହିଳାମାନଙ୍କର ଗର୍ଭାବସ୍ଥା ସମୟରେ ଉଚ୍ଚରକ୍ତଚାପ ରହିଛି, ଭବିଷ୍ୟତରେ ମଧ୍ୟ ଉଚ୍ଚରକ୍ତଚାପ ରହିବାର ସମ୍ଭାବନା ଥାଏ।

ଚିକିତ୍ସା

ଗର୍ଭବତୀ ମହିଳାମାନେ ନିୟବିତ ବ୍ୟବଧାନରେ ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।

ଗର୍ଭବତୀ ମହିଳାଙ୍କର ଯଦି ହଠାତ୍‌ ଅତ୍ୟଧିକ ଓଜନ ବୃଦ୍ଧି ହେଉଛି, ଗୋଡ଼ ଫୁଲିଯାଉଛି ବା ଇଡିମା, ଆଙ୍ଗୁଠି ମୋଟା ହୋଇଯାଉଛି, ମୁହଁ ଫୁଲିଯାଉଛି, ପେଟରେ ପାଣି ଜମିଲା ପରି ଲାଗୁଛି, ତେବେ ଉଚ୍ଚରକ୍ତଚାପ ଥିବା ଆଶଙ୍କା ଅଧିକ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ।

ଅନ୍ୟପଟେ ଗର୍ଭବତୀ ମହିଳାଙ୍କର ଯଦି ସିଭିୟର ରକ୍ତଚାପ ହୁଏ, ତେବେ ମୁଣ୍ଡ ବୁଲାଇବ, ପଛ ପଟ ମୁଣ୍ଡ ବିନ୍ଧିବ, ଆଖିକୁ ଜାଲିଜୁଲିଆ ଦେଖାଯିବ, ବାନ୍ତି ହେବ, ପରିସ୍ରା କମିଯିବା ଭଳି ସମସ୍ୟା ଉପୁଜିବ। ଯଦି ଏଗୁଡ଼ିକ ନିୟନ୍ତ୍ରଣ ନ କରାଯାଏ, ତେବେ ଗର୍ଭସ୍ଥ ମହିଳାଙ୍କୁ ବାତ ମାରିପାରେ ଯାହାକୁ କହନ୍ତି ଏକ୍‌ଲାମ୍ପସିଆ। ଏକ୍‌ଲାମ୍ପସିଆ ଏକ ଗୁରୁତର ରୋଗ, ଯାହା ଉଭୟ ମା’ ଓ ପିଲା ପାଇଁ କ୍ଷତିକାରକ ହୋଇଥାଏ।

Comment