ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟ୍ରେସ୍‌, ଖାଦ୍ୟପେୟରେ ଅନିୟମିତତା, ମେଦବହୁଳତା, କ୍ୟାଫେନ୍‌ଯୁକ୍ତ ପାନୀୟ, ଧୂମପାନ ଓ ମଦ୍ୟପାନ ହୋଇଥାଏ ଉଚ୍ଚ ରକ୍ତଚାପର କାରଣ।

ଅତ୍ୟଧିକ ମଦ୍ୟପାନ ରକ୍ତଚାପ ସ୍ତର ବଢ଼ାଇଥାଏ। ଯଦି ଗୋଟିଏ ଥରରେ ଆପଣ ଅଧିକ ମଦ ପିଉଛନ୍ତି, ତେବେ ରକ୍ତଚାପ ସାମୟିକ ଭାବେ ବୃଦ୍ଧି ପାଇଥାଏ। କିନ୍ତୁ, ବାରମ୍ବାର ମଦ୍ୟପାନ ଦ୍ୱାରା ରକ୍ତଚାପ ଦୀର୍ଘ ସମୟ ପାଇଁ ବୃଦ୍ଧି ପାଇଥାଏ। ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ଯଦି ଧୀରେ ଧୀରେ ମଦ ପିଇବା କମାଇବେ, ତେବେ ରକ୍ତଚାପର ସିଷ୍ଟୋଲିକ୍‌ ସ୍ତର ୨ରୁ ୪ ମିଲିମିଟର ମରକ୍ୟୁରୀ କମିଥାଏ ଓ ଡାଇଷ୍ଟୋଲିକ ସ୍ତର ୧ରୁ ୨ ମିଲିମିଟର ମରକ୍ୟୁରୀ କମିଥାଏ।

ଅତ୍ୟଧିକ ମଦ୍ୟପ ବ୍ୟକ୍ତି ଯଦି ସେମାନଙ୍କର ଉଚ୍ଚ ରକ୍ତଚାପକୁ କମାଇବାକୁ ଚାହୁଁଛନ୍ତି, ତେବେ ସେମାନେ ମଦ୍ୟପାନ କରିବା ଧୀରେ ଧୀରେ କମାଇବା ଉଚିତ୍‌। ଗୋଟିଏରୁ ଦୁଇ ସପ୍ତାହ ପରେ ସେମାନେ ମଦର ମାତ୍ରା କମ୍‌ କରିବାକୁ ହେବ। ହେଲେ ଅତ୍ୟଧିକ ମଦ୍ୟପ ବ୍ୟକ୍ତି ଯଦି ହଠାତ୍‌ ମଦ୍ୟପାନ କରିବା ବନ୍ଦ କରନ୍ତି, ତେବେ ତାଙ୍କଠାରେ ସିଭିୟର ହାଇପରଟେନ୍‌ସନ୍‌ ବା ସିଭିୟର ଉଚ୍ଚରକ୍ତଚାପ ଦେଖାଦେଇଥାଏ।

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି, ତେବେ ମଦ ପିଇବା ଛାଡ଼ି ଦିଅନ୍ତୁ ବା ମଦ ପିଇବା କମ୍‌ କରନ୍ତୁ।

ମନେ ରଖନ୍ତୁ ଯେ, ମଦରେ କ୍ୟାଲୋରୀ ଥାଏ, ଯାହା ଓଜନ ବୃଦ୍ଧି କରିଥାଏ ଏବଂ ଅତ୍ୟଧିକ ଓଜନ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ।

ଅତ୍ୟଧିକ ଓଜନ ଓ ଉଚ୍ଚରକ୍ତଚାପ:

ମେଦବହୁଳତା ଉଚ୍ଚ ରକ୍ତଚାପକୁ ପ୍ରଭାବିତ କରିଥାଏ। ଯଦି ଆପଣ ନିଜ ଓଜନ ୨ରୁ ୪ କିଲୋଗ୍ରାମ କମାଇବେ, ତେବେ ରକ୍ତଚାପ କିଛିଟା କମିଥାଏ। ମନେ ରଖନ୍ତୁ, ଉଚ୍ଚ ରକ୍ତଚାପ ଏକ ରୋଗ ନୁହେଁ, ଯାହାକୁ ଆପଣ ଚିକିତ୍ସା କରିବେ ଓ ପରେ ଏହା ଠିକ୍‌ ହୋଇଯିବ। ସୁସ୍ଥ ଜୀବନଶୈଳୀ ଓ ସ୍ୱାସ୍ଥ୍ୟକର ଖାଦ୍ୟପେୟ ହିଁ ଏହାକୁ କଣ୍ଟ୍ରୋଲ କରିପାରିବ।

ଯଦି ଆପଣ ଉଚ୍ଚ ରକ୍ତଚାପ ମେଡିସିନ୍‌ ଖାଇବା ବନ୍ଦ କରୁଛନ୍ତି, ତେବେ ଆପଣଙ୍କୁ ଦୈନନ୍ଦିନ ଅଭ୍ୟାସକୁ ବଦଳାଇବାକୁ ପଡ଼ିବ।

ସ୍ଵାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।

ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ, ଯୋଗ କରନ୍ତୁ।

ମଦ୍ୟପାନ କମ୍‌ କରନ୍ତୁ।

ଧୂମପାନ ଛାଡ଼ନ୍ତୁ।

ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

Comment