ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ ବା ପୋଷ୍ଚୁରାଲ ହାଇପୋଟେନ୍‌ସନ୍‌ ହେଉଛି ନିମ୍ନ ରକ୍ତଚାପର ଏକ ରୂପ। ଯେତେବେଳେ ଜଣେ ବ୍ୟକ୍ତି ଶୋଇବା ବା ବସିବା ପରେ ହଠାତ୍‌ ଛିଡ଼ା ହୁଏ ଏବଂ କିଛି ସମୟ ପାଇଁ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇଦିଏ, ତେବେ ଏହା ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ର କାରଣ ହୋଇପାରେ।

ଯେତେବେଳେ ଜଣେ ବ୍ୟକ୍ତି ବସିବା କିମ୍ବା ଶୋଇବାରୁ ଠିଆ ହୁଏ, ଶରୀର ସେହି ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିଥାଏ। ରକ୍ତକୁ ଉପରକୁ ଠେଲିବା ଏବଂ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଇବା ଶରୀର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଶରୀର ଏହାକୁ କରିବାରେ ବିଫଳ ହୁଏ, ତେବେ ରକ୍ତଚାପ କମିଯାଏ, ଏବଂ ଜଣେ ବ୍ୟକ୍ତି ହାଲୁକା ଅନୁଭବ କରିପାରନ୍ତି କିମ୍ବା ଅଚତ୍‌ ହୋଇପଡ଼ନ୍ତି ତଥା ମୁଣ୍ଡ ବୁଲାଇପାରେ। ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ହେଉଛି ହେଉଛି ଏଭଳି ଶବ୍ଦ ଯାହା ଜଣେ ବ୍ୟକ୍ତି ଠିଆ ହେବା ସମୟରେ ରକ୍ତଚାପର ହ୍ରାସକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ (ଅର୍ଥୋଷ୍ଟାଟିକ୍ = ଶରୀରର ସରଳ ସ୍ଥିତି ବା ଛିଡ଼ା ହେବା ସ୍ଥିତି; ହାଇପୋ = କମ୍ + ଟେନ୍ସନ୍ = ଚାପ)।

ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ ସାମାନ୍ୟ ହୋଇପାରେ ଏବଂ ସ୍ୱଳ୍ପ ସମୟ ଧରି ରହିପାରେ। କିନ୍ତୁ ଦୀର୍ଘସ୍ଥାୟୀ ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ ଗମ୍ଭୀର ସମସ୍ୟାକୁ ନେଇଥାଏ।

ଲକ୍ଷଣ

ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଯେତେବେଳେ ଆପଣ ବସିବା କିମ୍ବା ଶୋଇବା ପରେ ଠିଆ ହୁଅନ୍ତି ଓ ସେତେବେଳେ ଆପଣଙ୍କ ମୁଣ୍ଡ ବୁଲାଉଛି। ଏହାର ଲକ୍ଷଣ କିଛି ମିନିଟ୍‌ ପାଇଁ ଥାଏ।

ଠିଆ ହେବା ପରେ ହାଲୁକା ମୁଣ୍ଡ ବୁଲାଇବା
ଆଖିକୁ ଅସ୍ପଷ୍ଟ ଦେଖାଯିବା
ଦୁର୍ବଳତା
ଅଚେତ୍‌ ହୋଇଯିବା
ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା
ବାନ୍ତି ଲାଗିବା

ଯଦି ଏଭଳି କିଛି ଲକ୍ଷଣ ବେଳେବେଳେ ଘଟେ, ତେବେ ଚିନ୍ତାର କୌଣସି କାରଣ ନାହିଁ। ଯଦି ଏଭଳି ଲକ୍ଷଣ ବାରମ୍ବାର ହେଉଛି, ତେବେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।

କାରଣ

ଯେତେବେଳେ ଆପଣ ଛିଡ଼ା ହୁଅନ୍ତି, ମାଧ୍ୟାକର୍ଷଣ ଶକ୍ତି ଆପଣଙ୍କ ପେଟ ଓ ଗୋଡ଼ର ରକ୍ତକୁ ଟାଣି ଧରେ। ଏହା ରକ୍ତଚାପକୁ ହ୍ରାସ କରିଥାଏ କାରଣ ହୃଦୟକୁ କମ୍‌ ରକ୍ତ ପ୍ରବାହିତ ହୁଏ। ଜାଣନ୍ତୁ, ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ର କାରଣ?

ଜଳୀୟଅଂଶର ଅଭାବ: ଜ୍ଵର, ଝାଡ଼ା, ବାନ୍ତି, ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା, ଅଧିକ ଏକ୍ସରସାଇଜ, ଅତ୍ୟଧିକ ଝାଳ ବୋହିବା କାରଣରୁ ଶରୀରରେ ଜଳୀୟଅଂଶର ଅଭାବ ହୁଏ। ଜଳୀୟ ଅଂଶର ଅଭାବ ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ର କାରଣ ହୋଇଥାଏ।

ହୃଦୟ ସମସ୍ୟା: ହୃଦଘାତର ସମସ୍ୟା, ହୃଦୟଜନିତ ସମସ୍ୟା ଥିଲେ ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ ସମସ୍ୟା ସୃଷ୍ଟି କରିଥାଏ।

ଏଣ୍ଡୋକ୍ରାଇନ୍‌ ସମସ୍ୟା: ଥାଇରଏଡ୍‌ ସମସ୍ୟା, ରକ୍ତ ଶର୍କରା ଅଭାବ, ମଧୁମେହ କାରଣ ଯୋଗୁଁ ଅର୍ଥୋଷ୍ଟାଟିକ୍‌ ହାଇପୋଟେନ୍‌ସନ୍‌ ହେବାର ଆଶଙ୍କା ଥାଏ।

ଖାଇସାରିବା ପରେ: କିଛି ଲୋକଙ୍କର ଖାଇବା ପରେ ନିମ୍ନ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ବୟସ୍କମାନଙ୍କ କ୍ଷେତ୍ରରେ ଏଭଳି ଅବସ୍ଥା ଅଧିକ ଦେଖାଦିଏ।

୬୫ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହୋଇଥାଏ।

ତାପମାତ୍ର ବୃଦ୍ଧି : ତାପମାତ୍ରା ବୃଦ୍ଧି ହେଲେ ଅଧିକ ଝାଳ ବୋହିଥାଏ ଫଳରେ ଜଳୀୟଅଂଶର ଅଭାବ ଦେଖାଦେଇଥାଏ। ଏହା ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ କାରଣ ହୋଇପାରେ।

ଜ୍ୱର ବା ଥକ୍କା ଲାଗିବା କାରଣରୁ ଯଦି ଆପଣ ଅଧିକ ସମୟ ଧରି ଶୋଇ ରହୁଛନ୍ତି ଏବଂ ପରେ ଠିଆ ହେବାକୁ ଚେଷ୍ଟା କରୁଛନ୍ତି, ତେବେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହୋଇପାରେ। କିନ୍ତୁ ଏହା ସାମୟିକ ସମୟ ପାଇଁ ହୋଇଥାଏ।

ମଦ୍ୟପାନ: ଅତ୍ୟଧିକ ମଦ୍ୟପାନ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ କାରଣ ମଧ୍ୟ ହୋଇଥାଏ।

ସମସ୍ୟା

କ୍ରମାଗତ ଭାବେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହେଲେ ଏହା ଜଟିଳ ସମସ୍ୟା ସୃଷ୍ଟି କରେ। ବିଶେଷତଃ ବୟସ୍କ ଲୋକଙ୍କ ପାଇଁ ଏହା ସାଙ୍ଘାତିକ ସମସ୍ୟା।

ବେହୋସ ହୋଇଯିବା: ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହୋଇଥିଲେ ବ୍ୟକ୍ତି ବେହୋସ ବା ଅଚେତ୍‌ ହୋଇଯା’ନ୍ତି। ହେଲେ ବେଳେ ବେଳେ ହଠାତ୍‌ ଅଚେତ୍‌ ହୋଇଗଲେ ମୁଣ୍ଡ ମାଡ଼ ହେବା, ଗାଡ଼ିରୁ ପଡ଼ିଯିବା ଏଭଳି ନାନା ଅସୁବିଧା ଉପୁଜିଥାଏ।

ଷ୍ଟ୍ରୋକ୍‌: ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହେବା ଦ୍ୱାରା ମସ୍ତିଷ୍କକୁ କମ୍‌ ରକ୍ତ ପ୍ରବାହିତ ହୋଇଥାଏ ଫଳରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ।

ହୃଦରୋଗ: ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହୃଦଘାତର ମଧ୍ୟ କାରଣ ହୋଇପାରେ। ଯେପରିକି ଛାତି ଯନ୍ତ୍ରଣା, ହାର୍ଟ ଫେଲ୍ୟୁୟର, ହୃଦସ୍ପନ୍ଦନର ଗତି ଧୀର ହେବା।

ଚିକିତ୍ସା ଓ ଘରୋଇ ଟିପ୍ସ

ଅର୍ଥୋଷ୍ଟାଟିକ୍ ହାଇପୋଟେନ୍‌ସନ୍‌ ହେଲେ ଡାକ୍ତରଙ୍କ ପରାମର୍ଶ ନିହାତି ନେବା ଜରୁରୀ। ଡାକ୍ତର ଆପଣଙ୍କୁ ଔଷଧ ଖାଇବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେବେ।

ଖାଦ୍ୟରେ ଲୁଣର ମାତ୍ରା ବୃଦ୍ଧି କରିବାକୁ ହେବ। କିନ୍ତୁ ଏହା ଆପଣ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ କରିବେ। କାରଣ ଅଧିକମାତ୍ରାରେ ଲୁଣ ଖାଇବା ଦ୍ଵାରା ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ।

ଖାଇବା ପରେ ଯଦି ରକ୍ତଚାପ ହ୍ରାସ ହେଉଛି, ତେବେ ଅଳ୍ପ ଅଳ୍ପ ଖାଆନ୍ତୁ ଏବଂ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ର ମାତ୍ରା କମ୍‌ କରନ୍ତୁ।

ଅଧିକ ପରିମାଣର ପାଣି ପିଅନ୍ତୁ। ଦିନ ତମାମ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଆପଣ ଚାହିଁଲେ ଫଳ ରସ ପିଇପାରିବେ। ମଦ୍ୟପାନ କମ୍‌ କରନ୍ତୁ।

ତଳକୁ ନୁଅଁନ୍ତୁ ନାହିଁ। ଉଦାହରଣ ସ୍ୱରୂପ: ଯଦି ତଳେ କିଛି ପଡ଼ିଯାଇଛି ତେବେ ସିଧାସଳଖ ଅଣ୍ଟା ପାଖରୁ ନ ଭାଙ୍ଗି ଆଗ ତଳେ ଆଣ୍ଠୁ ସାହାଯ୍ୟରେ ବସନ୍ତୁ, ଏବଂ ପଡ଼ିଯାଇଥିବା ଜିନିଷ ଉଠାନ୍ତୁ।

ବସିଥିବା ବେଳେ ବା ଶୋଇଥିବା ବେଳେ ଆରମ କରି ଉଠନ୍ତୁ। ଶୋଇଥିବା ବେଳେ ଆଗ ଉଠିକରି ବସନ୍ତୁ, ଦୀର୍ଘ ନିଶ୍ୱାସ ନିଅନ୍ତୁ ଓ ପରେ ଉଠନ୍ତୁ।

ଗୋଟେ ସ୍ଥାନରେ ଛିଡ଼ା ହୋଇ ରହନ୍ତୁ ନାହିଁ, ଗୋଡ଼କୁ ଏପଟ ସେପଟ କରନ୍ତୁ ଫଳରେ ରକ୍ତ ସଞ୍ଚଳାନ ଠିକ୍‌ ଭାବରେ ହେବ। ବସିଥିବା ବେଳେ ଗୋଡ଼କୁ ଅଧିକ ସମୟ ପାଇଁ ତଳକୁ କରି ରଖନ୍ତୁ ନାହିଁ।

Comment