ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଷ୍ଟ୍ରାୟତ ନବରତ୍ନ କମ୍ପାନି ନାଲକୋ ଆଗକୁ ଆସିଛି। ନବରଙ୍ଗପୁରଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପଟାଲ ନାଲ୍‌କୋ ସହାୟତାରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏନେଇ ଜିଲ୍ଲା ପ୍ରଶାସନ, ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ଏବଂ ନାଲ୍‌କୋ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏହି ମେଡିକାଲରେ କରୋନା ସଂକ୍ରମଣଜନିତ ଚିକିତ୍ସା ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା ରହିଛି। ଏଥିପାଇଁ ନବରଙ୍ଗପୁରର ହିର୍ଲିଠାରେ ଥିବା ବିଇଡି କଲେଜ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ୍ କେୟାର୍ କେନ୍ଦ୍ରର ସଂଚାଳନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ଏହି ଚୁକ୍ତିରେ ଉଲ୍ଲେଖ ଅଛି।

coronaଏହି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଲୋକମାନେ ଉପକୃତ ହେବା ସହିତ ଆଖପାଖ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର ଅଧିବାସୀମାନେ ମଧ୍ୟ ଉପକୃତ ହୋଇପାରିବେ।

ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି, ‘‘ନାଲକୋ ଅତୀତରେ ମଧ୍ୟ ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶାର ଲୋକମାନଙ୍କ ପାଖରେ ଠିଆ ହୋଇଥିଲା। ତେଣୁ କରୋନା ଭଳି ମହାବିପତ୍ତି ସମୟରେ ମଧ୍ୟ ନାଲକୋ ପୂର୍ଣ୍ଣପ୍ରାଣରେ ନିଜର ସାହାଯ୍ୟର ହାତ ବଢ଼ାଇବାକୁ ପ୍ରତିଶ୍ରୁତିବଦ୍ଧ।’’

ନିକଟରେ ନାଲକୋ କର୍ମଚାରୀମାନେ କରୋନା ବିପତ୍ତିର ମୁକାବିଲା ପାଇଁ ସେମାନଙ୍କର ୨ ଦିନର ଦରମା ବାବଦକୁ ମୋଟ ୫.୨ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ ଫଣ୍ଡ୍ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିଲେ।

Comment