ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେଓଲ୍ ତାନ୍ୟାଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ଏ ଦୁହିଁଙ୍କର ପ୍ରେମ କାହାଣୀ ବେଶ୍ ନିଆରା।

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ଦୁଇ ପୁଅ ସନ୍ନି ଦେଓଲ୍ ଓ ବବି ଦେଓଲ୍ ବେଶ୍ ସଫଳତା ହାସଲ କରିଛନ୍ତି। ବବି ଦେଓଲ ହେଉଛନ୍ତି ଧର୍ମେନ୍ଦ୍ରଙ୍କର ସାନ ପୁଅ। ବବି ଦେଓଲ୍ ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବରସାତ୍’ ଜରିଆରେ ହିରୋ ଭାବେ ଏଣ୍ଟ୍ରି ନେଇଥିଲେ ବଲିଉଡରେ। ଏଥିରେ ବବିଙ୍କ ଅପୋଜିଟରେ କାଷ୍ଟ୍ ହୋଇଥିଲେ ସୁପରଷ୍ଟାର ରାଜେଶ ଖାନ୍ନା ଓ ପ୍ରଖ୍ୟାତ ଅଭିନେତ୍ରୀ ଡିମ୍ପଲ କାପାଡ଼ିଆଙ୍କ ବଡ଼ଝିଅ ଟ୍ଵିଙ୍କିଲ ଖାନ୍ନା। “ବରସାତ୍’ ଏକ ବଡ଼ ହିଟ୍ ହୋଇନଥିଲେ ବି ବବିଙ୍କୁ ଦର୍ଶକ ପସନ୍ଦ କରିଥିଲେ।

ବବି ଦେଓଲ୍ ଏବେ ‘ରେସ୍‌-୩’ କାରଣରୁ ଚର୍ଚ୍ଚାରେ ଅଛନ୍ତି। ସେ ଏହି ସିନେମାରେ ପ୍ରଥମ ଥର ପାଇଁ ସଲମାନ୍ ଖାନ୍‌ଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି।

ଧର୍ମେନ୍ଦ୍ରଙ୍କ ସାନପୁଅ ବବି ଦେଓଲଙ୍କ ବ୍ୟକ୍ତିଗତ ଜୀବନ ବି କିଛି କମ୍ ରୋଚକ ନୁହେଁ। ବିଶେଷକରି ତାଙ୍କର ରୋମାନ୍ସ ଲାଇଫ୍‌ ଏକଦମ୍‌ ଫିଲ୍ମି ବୋଲି କୁହାଯାଏ।

ବବି ଦେଓଲ୍ ତାନ୍ୟା ଆହୁଜାଙ୍କୁ ବିବାହ କରିଛନ୍ତି। ତାନ୍ୟାଙ୍କ ପିତା ଜଣେ ବ୍ୟବସାୟୀ। ତାନ୍ୟାଙ୍କ ବାପାଙ୍କ ନାଆଁ ହେଲା ଦେବେନ୍ଦ୍ର ଆହୁଜା। ଦେବେନ୍ଦ୍ର ଟ୍ଵେଣ୍ଟିଏଥ୍ ସେଞ୍ଚୁରି ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଥିଲେ। ତା’ ଛଡ଼ା ସେ ସେଞ୍ଚୁରିଆନ୍ ବ୍ୟାଙ୍କର ପ୍ରମୋଟର ବି ଥିଲେ।

ତାନ୍ୟା ଓ ବବି ଦେଓଲଙ୍କର ଦେଖା ଏକଦମ୍ ସିନେମା ଷ୍ଟାଇଲରେ ହୋଇଥିଲା। ଥରେ ବବି ଦେଓଲ୍ ତାଙ୍କର ସାଙ୍ଗମାନଙ୍କ ସହ ଏକ ରେସ୍ତୁରାଁକୁ ଯାଇ ଚାହା ପିଉଥିଲେ। ସେହି ରେସ୍ତୁରାଁରେ ତାନ୍ୟା ବି ଚାହା ପିଉଥିଲେ।

ହଠାତ୍‌ ବବିଙ୍କ ଦୃଷ୍ଟି ପଡ଼ିଥିଲା ତାନ୍ୟାଙ୍କ ଉପରେ। ତାଙ୍କୁ ଦେଖି ବବି ଦେଓଲ ପାଗଳ ଭଳି ହୋଇଯାଇଥିଲେ। ସେ ପ୍ରେମରୋଗୀ ପାଲଟି ଯାଇଥିଲେ।

ଏହାପରେ ତାନ୍ୟାଙ୍କୁ ନିଜର ପରିଚୟ ଦେଇଥିଲେ ବବି ଦେଓଲ୍। ତାନ୍ୟାଙ୍କଠାରୁ ବି ତାଙ୍କର ପରିଚୟ ହାସଲ କରିଥିଲେ। ତା’ପର ଥର ବି ତାଙ୍କର ସେହି ସମାନ ରେସ୍ତୁରାଁରେ ଦେଖା ହେଲା। ଏଥର ବବି ଦେଓଲ୍ ଆଉ ନିଜକୁ ରୋକି ପାରିନଥିଲେ।

ବବି ଦେଓଲ୍ ଏଥର ନିଜର ମନକଥା ଖୋଲିକି କହିଦେଲେ। ସେହି ରେସ୍ତୁରାଁରେ ହିଁ ତାନ୍ୟାଙ୍କୁ ପ୍ରପୋଜ୍ କରିଥିଲେ ବବି ଦେଓଲ୍। ତାନ୍ୟା ବି ବବିଙ୍କୁ ପ୍ରସ୍ତାବରେ ସହମତି ଜଣାଇଥିଲେ। ଏହିଠାରେ ପ୍ରେମ କାହାଣୀ ସଫଳ ରୂପ ଦେଇଥିଲା।

୧୯୯୬ ମସିହା ମଇ ୩୦ ତାରିଖରେ ବବି ଦେଓଲ ଓ ତାନ୍ୟା ଆହୁଜା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ସେମାନେ ହେଲେ ଅର୍ଯ୍ୟାମନ୍ ଓ ଧରମ୍।

ତାନ୍ୟାଙ୍କର ସିନେମା ଲାଇନ୍ ସହ ବିଶେଷ ସମ୍ପର୍କ ନାହିଁ। ସେ ଫିଲ୍ମ ପାର୍ଟିକୁ ବି ଯାଆନ୍ତି ନାହିଁ। ତେବେ ଅଭିନେତା ସଞ୍ଜୟ କପୁରଙ୍କ ସ୍ତ୍ରୀ ମହୀପ୍, ସୋହେଲ ଖାନଙ୍କର ପତ୍ନୀ ସୀମା ତାନ୍ୟାଙ୍କର ବେଷ୍ଟ୍ ଫ୍ରେଣ୍ଡ୍।

ତାନ୍ୟା ‘ଜୁର୍ମ’, ସିନେମାର କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ। ସେ ଫର୍ଣ୍ଣିଚର ଓ ଇଣ୍ଟେରିଅର୍ ଡିଜାଇନରେ ମାଷ୍ଟର। ମୁମ୍ବାଇରେ ତାଙ୍କର ନିଜସ୍ୱ ଷ୍ଟୋର ବି ଅଛି। ବବି ଓ ତାନ୍ୟା ସୁଖ ଦାମ୍ପତ୍ୟ ନିର୍ବାହ କରୁଛନ୍ତି।

‘ବରସାତ୍’ ପରେ ବବି ଦେଓଲ୍ ଅନେକ ଫିଲ୍ମରେ ହିରୋ ଭାବେ ନଜର ଆସିଛନ୍ତି। ଏଥିମଧ୍ୟରେ ରହିଛି ‘ସୋଲଜର୍’, ‘ହମ୍‌ରାଜ୍‌’, ‘ବିଚ୍ଛୁ’, ‘ବାଦଲ୍’, ‘ଅବ୍ ତୁହ୍ମାରେ ହୱାଲେ ବତନ୍ ସାଥିଓଁ’, ‘ଆଶିକ୍’, ‘ୟେ ଦିଲ୍ଲଗୀ’, ‘ଶହୀଦ୍’, ‘ଅପ୍‌ନେ’, ‘ୟମଲା ପଗଲା ଦିୱାନା’।

Comment