ଓଡ଼ିଶାଲାଇଭ୍‌ ବ୍ୟୁରୋ

ୠକୁଣା ରଥଯାତ୍ରା ଭଳି ଏଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଯିବ କି?

ଆସନ୍ତା ଜୁନ୍‌ ୨୩ରେ ପଡୁଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ କରୋନା ସଂକ୍ରମଣ ବେଳେ ଚଳିତବର୍ଷ ରଥଯାତ୍ରା କେମିତି ହେବ ତାକୁ ନେଇ ଚିନ୍ତା ଘାରିଛି। ଯଦିବା ରଥଯାତ୍ରା ହୁଏ ତାହାଲେ ସାମାଜିକ ଦୂରତ୍ୱ କେମିତି ରକ୍ଷା କରାଯିବ ତାହା ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ଏଥର ରଥଯାତ୍ରା ହେବ ନା ବନ୍ଦ ସେନେଇ ବିଚାର ବିମର୍ସ ଚାଲିଥିବା ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କରୋନାରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ। ପରିବା, ଗ୍ରୋସରୀ କିଣିବାଠାରୁ ଆରମ୍ଭ କରି ଅଫିସ୍‌ରେ କାମ କରିବା ପର୍ଯ୍ୟନ୍ତ ସବୁଠି ସାମଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ସ୍ଥଳ, ସଭା ସମିତି ଉପରେ ବି କଟକଣା ରହିଛି। ସରକାର ଏତେସବୁ କଟକଣା ଲଗାଇଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର କେମିତି ପାଳନ ହେବ ତାହା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଏବଂ ଲକ୍ଷଲକ୍ଷ ଭକ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କରୋନା ପାଇଁ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିଦେବେ କି ବୋଲି ଚର୍ଚ୍ଚା ଚାଲିଛି।

ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ରତ୍ନସିଂହାସନ ଛାଡ଼ି ବର୍ଷକୁ ଥରେ ବଡ଼ଦାଣ୍ଡକୁ ଚାଲି ଆସନ୍ତି। ତିନି ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ୯ ଦିନ ପାଇଁ ଯାତ୍ରା କରିଥାନ୍ତି। ମହପ୍ରଭୁଙ୍କ ଏହି ଲୀଳାଖେଳା ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ବିଶେଷକରି ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀ ସହର ଲୋକାରଣ୍ୟ ହୋଇଯାଇଥାଏ। ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତ ପୁରୀରେ ଏକାଠି ହୋଇଥାନ୍ତି। ତେବେ ଚଳିତବର୍ଷ କରୋନା ଭାଇରସ୍‌ ତାଣ୍ଡବ ରଚିଥିବାରୁ ମହାପ୍ରଭୁଙ୍କର ଏହି ରଥଯାତ୍ରା କେମିତି ହେବ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

କରୋନାଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ କଥା କୁହାଯାଉଛି। ହେଲେ ରଥଯାତ୍ରା ବେଳେ ଯେଉଁ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ସେଥିରେ ସରକାର କେମିତି ସାମାଜିକ ଦୂରତ୍ୱ ରକ୍ଷା କରିବେ ତାହା ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ କରିଛି।

ରଥ ନିର୍ମାଣ ପାଇଁ ପୁରୀରେ ରଥକାଠ ଆସି ପହଞ୍ଚି ସାରିଛି। ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାମ ଆରମ୍ଭ ହେବାର ବିଧି ରହିଛି। ହେଲେ ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ତାହା ଏଯାଏଁ ସରକାର ନିଷ୍ପତ୍ତି ନେଇପାରି ନାହାନ୍ତି। ଏନେଇ ଆଲୋଚନା ଚାଲିଥିବା ଆଇନମନ୍ତ୍ରୀ କହିଛନ୍ତି।

କରୋନା ପାଇଁ ଚଳିତବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ୠକୁଣା ରଥଯାତ୍ରା ବନ୍ଦ ହୋଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବାରେ ଅସୁବିଧା ହେବ ବୋଲି ଏଥର ଗଡ଼ି ନଥିଲା ୠକୁଣା ରଥ। ୠକୁଣା ରଥଯାତ୍ରା ବନ୍ଦ ହେବା ପରଠୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଚର୍ଚ୍ଚା ଲାଗିରହିଥିଲା। ୠକୁଣା ରଥ ଭଳି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର ବନ୍ଦ ହୋଇଯିବ କି ବୋଲି ଚର୍ଚ୍ଚା ଚାଲିଛି।

coronaକରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଯାହା ଚାଲିଛି। ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଏବେ ବି କଟକଣା ରହିଛି। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରୁ ନାହାନ୍ତି। ଏଭଳିସ୍ଥଳେ ରଥଯାତ୍ରା କେମିତି ହେବ ତାହା ବଡ଼ ପ୍ରଶ୍ନ ହୋଇଛି।

ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱ ଏବଂ ଦେଶରେ ବଢ଼ି ଚାଲିଛି। ଓଡ଼ିଶାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ରଥଯାତ୍ରା ଜୁନ୍‌ ୨୩ରେ ଅନୁଷ୍ଠିତ ହେବ। ସେତେବେଳକୁ ମଧ୍ୟ ସ୍ଥିତି ଗମ୍ଭୀର ଥିବ ବୋଲି ଅନୁମାନ କରାଯାଉଛି। ଯଦିବା ରଥଯାତ୍ରା ହୁଏ ତାହାଲେ ଲୋକଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଯିବ। ୠୁକୁଣା ରଥ ଭଳି ଯଦି ଜଗନ୍ନାଥଙ୍କ ରଥଯାତ୍ରା ପ୍ରଶାସନ ବନ୍ଦ କରନ୍ତି ତାହାଲେ ବର୍ଷ ବର୍ଷର ପରମ୍ପରା ଭଙ୍ଗ ହେବ ବୋଲି ଗୋଟିଏ ଚର୍ଚ୍ଚା ହେବ। ଏଣୁ ରାଜ୍ୟ ସରକାର ଏବଂ ପ୍ରଶାସନ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସନ୍ତି। ବିଭିନ୍ନ ଲଜ୍‌, ହୋଟେଲରେ ରହିଥାନ୍ତି। ପ୍ରାୟ ୪ ମାସ ତଳୁ ଭକ୍ତମାନେ ହୋଟେଲ, ଲଜ୍‌ ବୁକିଂ କରିଥାନ୍ତି। ହେଲେ କରୋନା ପାଇଁ ହୋଟେଲ, ଲଜ୍‌ଗୁଡ଼ିକରେ ଏବେ ତାଲା ଝୁଲୁଛି। ରଥଯାତ୍ରା ବେଳେ ଭକ୍ତମାନଙ୍କ ପୁରୀ ଆସିବା ଏବଂ ରହିବା ବଡ଼ ଚାଲେଞ୍ଜ ସୃଷ୍ଟି କରିବ। ଏଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାକୁ ହିଁ ଭକ୍ତମାନେ ଅପେକ୍ଷା କରିଛନ୍ତି।

Comment