ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ସମୟରେ ନିଜ ନିଜ ଘରେ ଏକ ପ୍ରକାରର ଗୃହବନ୍ଦୀ ଜୀବନଯାପନ କରୁଛେ। ପିଲାମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ଏ ସମୟରେ ପିଲାଙ୍କ ଗତିବିଧି ଉପରେ ଆବଶ୍ୟକତା ଠାରୁ ଅଧିକ କଟକଣା କରାଯାଉଥିବାରୁ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଦିନରାତି ଚବିଶ ଘଣ୍ଟା ଘର ଭିତରେ ରହିବା ଯୋଗୁଁ ପିଲାମାନେ ଚିଡଚିଡା ହେବା, ଅଯଥାରେ ହଠାତ୍‌ ରାଗିଯିବା, ବିଦ୍ରୋହ କରିବା ଭଳି ସମସ୍ୟା ଦେଖାଦେଇ ପାରେ ଯାହା ନିଶ୍ଚିନ୍ତ ଭାବେ ଚିନ୍ତାର ବିଷୟ । ଏପରି ସ୍ଥିତିରେ ପିଲାଙ୍କ ପ୍ରତି ବଡ଼ମାନଙ୍କ ବ୍ୟବହାର ଓ ଆଚରଣ କିଭଳି ହେବା ଉଚିତ, କିଭଳି ଭାବେ ଏହି ସମୟରେ ସେମାନ ମାନସିକ ସନ୍ତୁଳନ ବଜାୟ ରଖିହେବ, ସେ ବିଷୟରେ ଡିପିଏସ୍‌, କଳିଙ୍ଗର କାଉନ୍‌ସେଲର୍‌ ତଥା ମନୋବିଜ୍ଞାନୀ ସ୍ମରଣିକା ପଣ୍ଡାଙ୍କଠାରୁ ଆସନ୍ତୁ ଜାଣିବା।

ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଲକ୍‌ଡାଉନ୍‌ର ପ୍ରଭାବ ନପଡିବା ପାଇଁ ଅଭିବାବକମାନେ କ’ଣ କରିପାରିବେ?

ପିଲାମାନେ ସ୍ୱଭାବତଃ ଶୀଘ୍ର ମାନସିକ ଆଘାତ ମୁକ୍ତ ହୋଇଯାଆନ୍ତି , ବଦଳୁଥିବା ପରିସ୍ଥିତି ଅନୁସାରେ ଆଶ୍ଚର୍ଯ୍ୟଜନକ ଭାବେ ନିଜକୁ ପରିବର୍ତ୍ତନ କରିଦିଅନ୍ତି । ଏସବୁ ସତ୍ତ୍ୱେ, ସେମାନଙ୍କ ଏହି ସ୍ୱଭାବ ବଡମାନଙ୍କ ବ୍ୟବହାର ଓ ଆଚରଣ ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥାଏ । ଯଦି ଲକ୍‌ଡାଉନ୍‌ ପରିସ୍ଥିତିରେ ପିତାମାତା ଓ ଘରର ଅନ୍ୟ ବୟସ୍କମାନେ ଭୟଭୀତ ହେବେ ବା ମାନସିକ ଚାପରେ ରହିଥିବା ପ୍ରକାଶ କରିବେ, ତାହାହେଲେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡିବା ସ୍ୱାଭାବିକ ଅଟେ । ପିଲାମାନେ ମଧ୍ୟ ପିରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ଅନୁଭବ କରିବେ । ଅନ୍ୟପକ୍ଷରେ ଯଦି ଆମେ ବଡମାନେ ପିଲାଙ୍କୁ ଏ ସମୟର ସକାରାତ୍ମକ ଦିଗ ବିଷୟରେ ସଚେତନ କରାଇବା ଯେପରିକି ଏହା ହେଉଛି ସମସ୍ତଙ୍କ ସହିତ ମିଳିମିଶି ଭଲ ସମୟ ଅତିବାହିତ କିରିବା ଅନ୍ୟମାନଙ୍କ ମନୋଭାବ ଓ ଚିନ୍ତାଧାରାକୁ ବୁଝିବା ପାଇଁ  ହେଉଛି ଏକ ଭଲ ସୁଯୋଗ, ତାହାହେଲେ ସେମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ । ବାସ୍ତବରେ କହିବାକୁ ଗଲେ ଏହା ହେଉଛି ଫୋନ ମାଧ୍ୟମରେ ଅନ୍ୟମାନଙ୍କ ସହିତ ସମ୍ପର୍କରେ ରହିବାର ସମୟ, ଜଣେ ଅନ୍ୟ ଜଣଙ୍କ ରୁଚି ଅରୁଚି ବିଷୟରେ ଜାଣିବାର ସମୟ, ନିଜର ଅନୁଭବରୁ କିଛି ଶିଖିବା ଓ ଦକ୍ଷତା ବିକାଶ କରିବାର ସମୟ । ଏହି ସମୟରେ ପିଲମାନଙ୍କୁ ଘର କାମ କରିବାରେ ବ୍ୟସ୍ତ ରଖିଲେ ସେମାନେ ନିଶ୍ଚିତ ଭାବେ ନୂତନ କିଛି ଶିଖିବା ସହିତ ସେମାନଙ୍କ ଅବଦାନ ପାଇଁ ଗର୍ବ ଅନୁଭବ କରିବେ ।

S

ଏପରି କଠିନ ପରିସ୍ଥିତିରେ ପିଲାମାନେ ସକାରାତ୍ମକ ରହିବା ପାଇଁ ଅଭିବାବକ ମାନେ କ’ଣ କରିପାରିବେ?

ଏହା ନିଶ୍ଚତ ଭାବେ ଅଭିବାବକଙ୍କ ପାଇଁ କଠିନ ପରୀକ୍ଷାର ସମୟ ଯେହେତୁ ସେମାନଙ୍କୁ ପାରିବାରିକ ସମସ୍ୟା ,ଆର୍ଥିକ ସମସ୍ୟା ସମ୍ମୁଖୀନ  ହେବା ସହିତ ସହାୟକ କର୍ମଚାରୀଙ୍କ ଅନୁପସ୍ଥିତିରେ ଘରେ ରହି ଅନ୍‌ଲାଇନ୍‌ରେ କାମ କରିବାକୁ ପଡୁଛି । ଆହୁରିମଧ୍ୟ ଘରର ସମସ୍ତ ଲୋକଙ୍କ କଥା ବୁଝିବା ସହିତ ପିଲାଙ୍କ ସ୍ୱାର୍ଥ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେଉଛି … ତଥାପି ଏହି ସମୟରେ ଅଭିବାବକମାନେ ଧୈର୍ଯ୍ୟଚ୍ୟୁତ ନହୋଇ ସକାରାତ୍ମକ ଚିନ୍ତାଧାରା ଆପଣାନ୍ତୁ ଯାହା ଫଳରେ ସେମାନେ ପିଲାମାନଙ୍କ ଠାରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ପାଇପାରିବେ ।

 ସାଧାରଣତଃ ଏହା ହେଉଛି ଗ୍ରୀଷ୍ମ ଛୁଟିର ସମୟ  ଅର୍ଥାତ୍‌ ଖେଳ, ମଉଜ ମସ୍ତିର ସମୟ । ହେଲେ ଲକ୍‌ଡାଉନ୍‌ କାରଣରୁ ପିଲାମାନଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା ଥିବାରୁ ପିଲାମାନେ ଚିଡ଼ଚିଡା ହୋଇପାରନ୍ତି। ସେମାନଙ୍କୁ ଏ ସମୟରେ କିଭଳି ପରିଚାଳନା କରାଯିବା ଉଚିତ?

ବାସ୍ତବରେ କହିବାକୁ ଗଲେ ପିଲାମାନଙ୍କୁ ପରିଚାଳନା କରିବା ଆବଶ୍ୟକ ନାହିଁ, ସେମାନଙ୍କୁ ସୁହାଇବା ପରି ଏକ ପରିବେଶ ଯୋଗାଯାଇ ପାରିଲେ ସେମାନେ ନିଜକୁ ନିଜେ ପରିଚାଳିତ କରିପାରିବେ । ସେମାନଙ୍କୁ କେବଳ ବର୍ତ୍ତମାନର ଆବଶ୍ୟକତା ବିଷୟରେ ଜଣାଇବାକୁ ହେବ ଓ ଦେଖିବେ ସେମାନେ ଅତି ଶୀଘ୍ର ତାହା ଗ୍ରହଣ କରିବେ ଓ ପରିସ୍ଥିତି ସହ ଖାପ ଖୁଆଇ ନେବେ ।

ଲକ୍‌ଡାଉନ୍‌ କାରଣରୁ ବଡମାନଙ୍କ ଚିନ୍ତା ବହୁଗୁଣିତ ହୋଇଯାଇଛି । ସେମାନଙ୍କ ଦିନଚର୍ଯ୍ୟା ବହୁଳଭାବେ ପ୍ରଭାବିତ ହୋଇଛି । ଏପରି କଠିନ ସମୟରେ ବଡମାନଙ୍କ ଆଚରଣ ପିଲାଙ୍କ ପ୍ରତି କିଭଳି ହେବା ଉଚିତ?

ପିଲାମାନେ ସେତେବେଳେ ଖୁସିରେ ରହିପାରିବେ ଯେତେବେଳେ ଆମେ ବଡମାନେ କୌଣସି ବିଷୟ ନେଇ ଆମର ଆଶଙ୍କା ପ୍ରକାଶ କରିବା ଠାରୁ ଦୂରରେ ରହିବା କାରଣ ପରିଣତି ନେଇ ଅଧିକ ଆଶଙ୍କା ପ୍ରକଟ କରିବା ଦ୍ୱାରା ସେମାନେ ବିଚଳିତ ହେବା ସମ୍ଭାବନା ରିହିଛି । କୋଭିଡ୍‌-19 ଯୋଗୁ ବିଶ୍ୱରେ ସ୍ଥିତି ସବୁବେଳେ ବଦଳୁଛି । ଏଣୁ ପ୍ରତି ମୁହୂର୍ତ୍ତରେ ବଦଳୁଥଇବା ସ୍ଥିତି ବିଷୟରେ ଅବଗତ ହେବା ବାଞ୍ଛନୀୟ କିନ୍ତୁ ଏନେଇ ଆମେ ସବୁବେଳେ ଚିନ୍ତାଗ୍ରସ୍ତ ରହିବା ଅନୁଚିତ ଯେହେତୁ ନିରନ୍ତର ମନକୁ ଦୁଃଖୀ କରିବା ଭଳି ଖବର ଶୁଣିବା ଦ୍ୱାରା ପିଲାମାନେ ଚିନ୍ତିତ ହୋଇ ପଡନ୍ତି, ହେଲେ ଅନେକ କ୍ଷେତ୍ରରେ ସେମାନେ ଅସଲ ବିଷୟ କଣ ତାହା ଜାଣିନଥାନ୍ତି । ପିଲମାନେ ସାଧାରଣତଃ ସେମାନଙ୍କ ଅଭିବାବକ ବା ସେମାନଙ୍କ ଯତ୍ନ ନେଉଥିବା ଅନ୍ୟ ବ୍ୟକ୍ତିଙ୍କ  ଅନୁକରଣ କରିଥାନ୍ତି, ଏଣୁ ଆମ ସମସ୍ତେ ଏ କିଠିନ ପରିସ୍ଥିତିରେ ଶାନ୍ତ ଓ ସତର୍କ ରହିବା ଜରୁରୀ ।

ଘରେ ରହି ମଧ୍ୟ ପିଲାମାନେ କିଭଳି ଭାବେ ଗୁଣାତ୍ମକ ସମୟ ବିତେଇ ପାରିବେ? ସେମାନଙ୍କୁ ଏ ସମୟରେ କିଭଳି ବ୍ୟସ୍ତ ରଖାଯାଇ ପାରିବ?

ବର୍ତ୍ତମାନ ପିଢିର ପିଲାମାନେ ତାର୍କିକ ଓ ସମ୍ପନ୍ନ । ସେମାନେ ଯଥାର୍ଥ ବିଷୟକୁ ଗ୍ରହଣ କରିଥାନ୍ତି । ଏଣୁ ଏହା ହେଉଛି ନୂତନ ରାସ୍ତା ଅନୁସନ୍ଧାନ କରିବାର ସମୟ, ନୂତନ ଆଇଡିଆ ଖୋଜି ବାହାର କରିବାର ସମୟ, ବିଭିନ୍ନ ପ୍ରୋଫେସନାଲ୍‌ କ୍ୟାରିଅର୍‌ ବିଷୟରେ ଆଲୋଚନା କରିବା ସମୟ । ଏହା ହେଉଛି ସେମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ମୌଳିକ ଦକ୍ଷଥା ବୃଦ୍ଧି କରିବାର ସମୟ । ଏହା ହେଉଛି ସେମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ସୃଜନଶୀଳତାକୁ ଆବିଷ୍କାର କରିବାର ସମୟ ।  ଏଣୁ ଅଭିବାବକମାନେ ସେମାନଙ୍କୁ ଏଦିଗରେ ପ୍ରେରିତ କରିବା ଉଚିତ।

ଶିଶୁମାନଙ୍କ କ୍ଷେତ୍ରରେ ସଂଗରୋଧ ହୋଇ ରହିବା ଏକ କଠିନ ବ୍ୟାପାର। ଏ ଦିଗରେ ସେମାନଙ୍କୁ କିଭଳି କାଉନ୍‌ସେଲିଂ କରାଯାଇ ପାରିବ?

ଦେଖନ୍ତୁ, ସମସ୍ତଙ୍କ ଠାରୁ ଦରରେ ରହିବା ନିଶ୍ଚିତ ଭାବେ କଷ୍ଟଦାୟକ କିନ୍ତୁ ଆମେ ସେମାନଙ୍କ ଠାରୁ ଭାବନାତ୍ମକ ସ୍ତରରେ ଦୂରେଇ ରହିବା ଅନାବଶ୍ୟକ । ଶାରୀରିକ ଦୂରତାର ଅର୍ଥ କେବେ ମଧ୍ୟ ମାନସିକ ଓ ଭାବଗତ ଦୂରତାକୁ ବୁଝାଏନି । ଆମେ ସେମାନଙ୍କ ସହିତ ମାନସିକ ସ୍ତରରେ ଯୋଡି ହୋଇ ରହିପାରିଲେ ତାହା ସେମାନଙ୍କ ମନରେ କୌଣସି ଦୂରତା ସୃଷ୍ଟି କରିବ ନାହିଁ । ଆମର ସମ୍ବେଦନାଶୀଳତା ଓ ସ୍ନେହ  ସେମାନଙ୍କ ମୁହଁରେ ହସ ଫେରାଇ ଆଣିବାରେ ସହାୟକ ହୋଇପାରିବ।

Comment