ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ଓ ବ୍ରିଟେନ୍‌ ପରେ ଏବେ ଚୀନକୁ ଘେରିଲା ଫ୍ରାନ୍ସ।

ଗତବର୍ଷ ନଭେମ୍ବର ମାସରେ ଚୀନର ଉହାନରେ ଡାକ୍ତର ଲୀ ବେଲନିୟଙ୍ଗ ଯେତେବେଳେ କରୋନା ଭାଇରସର ସଂକ୍ରମଣ ନେଇ ସୂଚନା ଦେଲେ ଚୀନ ସରକାର ତାଙ୍କ ଉପରେ ଗୁଜବ ପ୍ରଚାରର ଅଭିଯୋଗ ଆଣିବା ସହ ତାଙ୍କଠାରୁ ଏକ କ୍ଷମା ପ୍ରାର୍ଥନା ଜବରଦସ୍ତ ଲେଖାଇ ନେଇଥିଲେ। ଏହି ଭୟାନକ ଭୂତାଣୁ ଆକ୍ରମଣରେ କିନ୍ତୁ  ସମଗ୍ର ବିଶ୍ୱର ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏହି କାରଣରୁ ଏବେ ଚୀନକୁ ସମସ୍ତେ ଘେରିବା ଆରମ୍ଭ କରିଛନ୍ତି।

ଆମେରିକା ଓ  ବ୍ରିଟେନ ପରେ ଏବେ ଫ୍ରାନ୍ସ ଚୀନ ପାଖରୁ ଉତ୍ତର ମାଗିଛି। ଏହି ତିନି ଦେଶ ଯେଉଁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚୀନକୁ ପଚାରିଛନ୍ତି କରୋନା କେମିତି ବ୍ୟାପିଲା ତାହାର ଜବାବ ଦିଅ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନ ବିଦେଶ ସଚିବ ଡମିନିକ ରାବ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମେକ୍ରୋନ ଚୀନକୁ ଏନେଇ  ସିଧା ପ୍ରଶ୍ନ କରିଛନ୍ତି।

ବ୍ରିଟେନର ବୈଦେଶୀକ ସଚିବ ଡମିନିକ ଏପରିକି କରୋନା କ୍ଷତି ଯୋଗୁଁ ଚୀନ ସହ ସମ୍ପର୍କ ତୁଟାଇବା ପାଇଁ  ଧମକ ଦେଇଛନ୍ତି। ସେ କହିଛନ୍ତି ବ୍ରିଟେନରେ ଏହି ମହାମାରୀ ବ୍ୟାପିବାର କାରଣ ନେଇ ଗଭୀର ତଦନ୍ତ ଦାବି କରିବେ। ସେ ଏକଥା ମଧ୍ୟ ଚୀନକୁ ପଚାରିବେ ଭୂତାଣୁ ବ୍ୟାପିବା ଆଗରୁ କାହିଁକି ସତର୍କତା ଅବଲମ୍ବନ କରାଗଲା ନାହିଁ?

ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅନୁପସ୍ଥିତିରେ ଡମିନିକ ଜି-୭ ଦେଶମାନଙ୍କ ସହ କଥାବର୍ତ୍ତା କରିବା ପରେ ଏହି ବିବୃତି ଦେଇଛନ୍ତି। ଚୀନ ସହିତ ଆଗ ଭଳି ଆଉ ବ୍ୟବସାୟିକ ସମ୍ପର୍କ ରହିବ ନାହିଁ ବୋଲି କହିବା ସହ ଡମିନିକ ରାବ ପ୍ରକାଶ କରିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ସଂସ୍ଥାର ସହଯୋଗରେ  ଚୀନରୁ କରୋନା ଆସିବା ନେଇ ବ୍ୟାପକ ତଦନ୍ତ କରାଯିବ। ଭବିଷ୍ୟତରେ ଯେମିତି ଏଭଳି ନହେବ ସେଥିଲାଗି ଦୃଷ୍ଟି ଦିଆଯିବ। ବ୍ରିଟେନର କନଜରଭେଟିଭ ଦଳ ପକ୍ଷରୁ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଚୀନ ଉପରେ ନିର୍ଭରଶୀଳତା ଏଣିକି କମାଇବାକୁ ପଡ଼ିବ।

ତେଣେ ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରୋନ କରୋନା ଭାଇରସ ସମ୍ପର୍କରେ ଚୀନ ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, କରୋନା ସଙ୍କଟକୁ ଚୀନ ଠିକ ଭାବେ ପରାସ୍ତ କରିଥିଲା ଏହା କହିବା ବୋକାମି ହେବ। ସେ କହିଛନ୍ତି କରୋନାକୁ ନେଇ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯାହା କାହାକୁ ବି ଜଣା ନାହିଁ।

coronaଏଥି ପୂର୍ବରୁ ଟ୍ରମ୍ପ ଚୀନ ଉପରେ ସିଧା ସଳଖ ଅଭିଯୋଗ ଆଣିଥିଲେ ଯେ, କରୋନା ମୃତକଙ୍କ ସଂଖ୍ୟାକୁ ଚୀନ ଲୁଚାଉଛି। ଏଥି ସହିତ ଟ୍ରମ୍ପ କହିଥିଲେ, ଉହାନ ଲ୍ୟାବରୁ ହିଁ ଭୂତାଣୁ ବାହାରି ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଛି। ଆମେରିକାର ବିଦେଶ ସଚିବ ମାଇକ ପୋମ୍ପିଅ ପୂର୍ବରୁ ଚୀନକୁ ଏନେଇ ଘେରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଉହାନ ଲ୍ୟାବରୁ ଯେଉଁ ଭାଇରସ ବ୍ୟାପିଥିଲା ସେନେଇ ଚୀନ ବିଶ୍ୱ ଆଗରେ ତଥ୍ୟ ଲୁଚାଇଥିଲା। ସେଠି କଣ ଚାଲିଛି ତାହା କାହାକୁ ଜଣା ନାହିଁ ବୋଲି ପୋମ୍ପିଅ କହିଛନ୍ତି।

LEAVE A REPLY

Please enter your comment!
Please enter your name here