ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଜନ ହ୍ରାସ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ କ’ଣ? କେମିତି କମିବ ଓଜନ? କ’ଣ କରିବାକୁ ହେବ, କ’ଣ ନାହିଁ? ଡାଏଟିସିଆନ୍ ଏବଂ ପୁଷ୍ଟିକର ବିଶେଷଜ୍ଞମାନଙ୍କୁ ପଚରାଯାଇଥିବା ଏହା ହେଉଛି ଏକ ସାଧାରଣ ପ୍ରଶ୍ନ। ଯେତେବେଳେ ଓଜନ ହ୍ରାସ କରିବା କଥା ଆସେ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଓଜନ ହ୍ରାସ କରିବା ଉପରେ ଧ୍ୟାନ ଦିଅନ୍ତି। କିଛି ଲୋକ ଓଜନ କମାଇବା ପାଇଁ ଆଠ ଆଠ ଘଣ୍ଟା ଉପାସ ଓ କିଛି ଲୋକ ବହୁ ପୁଷ୍ଟିକର ଜିନିଷକୁ ଖାଆନ୍ତି ନାହିଁ। କିନ୍ତୁ, ଏହା ଆପଣଙ୍କ ଓଜନ କମାଇବା ପରିବର୍ତ୍ତେ ବିଭିନ୍ନ ରୋଗ ତିଆରି କରିଥାଏ। ତେବେ ଡାଇଟିସିଆନ୍‌ ତଥା ପୁଷ୍ଟିକର ବିଶେଷଜ୍ଞ ମତରେ ଋତୁ ଅନୁସାରେ ଖାଦ୍ୟ ଓ ୧ରୁ ୨ ଘଣ୍ଟା ବ୍ୟାୟାମ ଆପଣଙ୍କୁ ଫିଟ୍‌ ରଖିବା ସହ ଓଜନକୁ ନିୟନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ଜାଣିବା ରୁଜୁତାଙ୍କ ଡାଏଟ୍‌ ପ୍ଲାନ୍‌।

ରୁଜୁତା ନିଜ ଫେସ୍‌ବୁକ୍‌ରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, କେବଳ ଓଜନ କମାଇଲେ ଆପଣ ଫିଟ୍‌ ତାହା ଭୁଲ। ନିଜକୁ ଫିଟ୍‌, ଆକ୍ଟିଭ୍‌ ରଖିବା ବି ନିହାତି ଜରୁରୀ। ଶରୀର ସବୁବେଳେ ଉପଯୁକ୍ତ ପୋଷଣ ଦରକାର, ଯଦି ସେ ପୋଷଣ ନ ମିଳେ, ତେବେ ନାନା ରୋଗର କାରଣ ହୋଇଥାଏ।

ରୁଜୁତା ତାଙ୍କ ଡାଏଟ୍‌ ପ୍ଲାନ୍‌କୁ ୮ଟା ଭାଗରେ ବିଭକ୍ତ କରିଛନ୍ତି।

୧- ଦିନର ପ୍ରଥମ ଭୋଜନ ଉଠିବାର ୧୫ ମିନିଟ୍‌ ମଧ୍ୟରେ ହେବା ଜରୁରୀ। ଏହି ଭୋଜନରେ ଫଳ ବା ପୂର୍ବ ରାତିରୁ ବତୁରାଯାଇଥିବା ଆଲମଣ୍ଡ ବା କିସ୍‌ମିସ୍‌ ମଧ୍ୟ ଖାଇପାରିବେ।

୨- ପ୍ରଥମ ଭୋଜନର ୧ ଘଣ୍ଟା ୩୦ ମିନିଟ୍‌ ପରେ ବ୍ରେକ୍‌ଫାଷ୍ଟ କରିବା ଉଚିତ୍। ବ୍ରେକ୍‌ଫାଷ୍ଟ ସବୁବେଳେ ଘରେ ଘିଅରେ ତିଆରି ହୋଇଥିବା ଉଚିତ।

୩ – ତୃତୀୟ ଭୋଜନ ବ୍ରେକ୍‌ଫାଷ୍ଟ ଓ ଲଞ୍ଚ ମଧ୍ୟରେ ରହିବ। ବ୍ରେକ୍‌ଫାଷ୍ଟର ୨, ୩ ଘଣ୍ଟା ପରେ ଏହା କରିବେ। ଏଥିରେ ଆପଣ ପଇଡ଼ ପାଣି, ବାଦାମ, କାଜୁ, ଆଲମଣ୍ଡ ବା କୌଣସି ଡ୍ରାଏଫ୍ରୁଟ୍ସ ଖାଇପାରିବେ।

୪ – ଚତୁର୍ଥ ମିଲ୍‌ ହେଉଛି ମଧ୍ୟାହ୍ନ ଭୋଜନ। ଏଥିରେ ଆପଣ ଭାତ, ରୁଟି, ଡାଲି ଓ ପନିପରିବା, ଦହି, ଆଚାର ଓ ଘିଅ ଖାଇପାରିବେ। ଘର ଖାଦ୍ୟ ହେବା ଜରୁରୀ।

୫ – ଦିନର ପଞ୍ଚମ ଭୋଜନ ଲଞ୍ଚର ୨, ୩ ଘଣ୍ଟା ମଧ୍ୟରେ ଖାଇବା ଭଲ। ଏଥିରେ ଆପଣ ସରବତ, ବଟରମିଲ୍କ ପାନୀୟ ପିଇ ପାରିବେ।

୬ – ଦିନର ଷଷ୍ଠ ଭୋଜନ ଅପରାହ୍‌ଣ ୪ରୁ ୬ ଭିତରେ ଖାଇବା ଉଚିତ। ଏଥିରେ ଆପଣ ଉପମା ବା ନଯ୍ସ ଖାଇପାରିବେ।

୭ – ଏହା ହେଉଛି ରାତି ଭୋଜନ ବା ଡିନର। ଏହା ଆପଣ ଶୋଇବାର ୨ରୁ ୩ ଘଣ୍ଟା ପୂର୍ବରୁ ଖାଇବେ। ଏଥିରେ ଆପଣ ଖେଚୁଡ଼ି, ଭାତ ବି ଖାଇପାରିବେ।

୮- ଏହି ଭୋଜନ ଆପଣଙ୍କୁ ଯଦି ଭୋକ ଲାଗୁଛି, ତେବେ ଖାଇପାରିବେ। ଏଥିରେ ଉଷୁମ କ୍ଷୀରରେ ହଳଦୀ ଚିମୁଟାଏ ପକାଇ ପିଇପାରିବେ। କାଜୁ ବି ଖାଇପାରିବେ।

ରୁଜୁଟା ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ମଧୁମେହ, ହୃଦଘାତ କିମ୍ବା ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଏହି ଭୋଜନ ଯୋଜନା ସମାନ ଭାବରେ କାର୍ଯ୍ୟ କରିବ। ପିସିଓଡି, ଥାଇରଏଡ୍‌ ଥିବା ବ୍ୟକ୍ତି ବି ଏହି ଡାଏଟ୍‌ ଅନୁସରଣ କରିପାରିବେ।

ଏହାସହ ରୁଜୁତା ଦିନକୁ ୧ରୁ ୨ ଘଣ୍ଟା ଯୋଗ, ସୂର୍ଯ୍ୟ ନମସ୍କାର ଓ ଅନ୍ୟ ଏକ୍ସରସାଇଜ୍‌ କରିବାକୁ ପରାମର୍ଶ ଦେଇଛନ୍ତି।

Comment