ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘କୋଭିଡ୍‌-୧୯ ମହାମାରୀ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କର ବିଧି ବନ୍ଦ ହେବ ନାହିଁ। ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ଅନୁଷ୍ଠିତ ହେବ’’, କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅକ୍ଷୟ ତୃତୀୟ ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଶ୍ରୀମନ୍ଦିର ବାହାରେ କୌଣସି ନୀତି ହୋଇପାରିବ ନାହିଁ ବୋଲି ଗଜପତି ମହାରାଜା ଆଜି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ବାହାରେ ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ହୋଇପାରିବ ନାହିଁ ବୋଲି କହିଥିଲେ ଗଜପତି। ହେଲେ ମହାପ୍ରଭୁଙ୍କ ବିଧି କେମିତି ରକ୍ଷା କରାଯିବ ସେନେଇ ଆଜି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟିଥିଲେ ଗଜପତି ମହରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସମେତ ଅନ୍ୟ ସଦସ୍ୟମାନେ।

ଦୀର୍ଘ ସମୟ ଧରି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହୋଇଥିଲା। ହେଲେ ମହାପ୍ରଭୁଙ୍କ ବିଧି ବନ୍ଦ ହେବ ନାହିଁ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଥିଲେ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ମେଘନାଦ ପାଚେରୀ ଭିତରେ ହେବ।

‘‘ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଜୁନ୍‌ ମାସରେ ହେବ। ମେ’ ୩ ତାରିଖ ପରେ ସରକାର ଯେଉଁ ନୂଆ ଗାଇଡ୍‌ଲାଇନ୍‌ ଆଣିବେ ତାକୁ ଆମେ ଅପେକ୍ଷା କରିଛୁ। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ଆଗାମୀ ନୀତି ନିର୍ଘଣ୍ଟ ସ୍ଥିର କରାଯିବ। ଶ୍ରୀମନ୍ଦିର ପରିସରରେ କେଉଁଠି ଏବଂ କିପରି ଅକ୍ଷୟ ତୃତୀୟ ନୀତି ଅନୁଷ୍ଠିତ ହେବ ସେନେଇ ଆସନ୍ତାକାଲି ନିଷ୍ପତ୍ତି ହେବ’’, କହିଛନ୍ତି ଗଜପତି ମହାରାଜା।

୨୬ ତାରିଖରେ ଅକ୍ଷୟ ତୃତୀୟା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ରଥକାଠ ଅନୁକୂଳ ହୋଇଥାଏ। ରଥ ନିର୍ମାଣ ଏହି ତିଥିରୁ ହିଁ ଆରମ୍ଭ ହୋଇଥାଏ। ହେଲେ ଚଳିତବର୍ଷ କରୋନା ସଙ୍କଟ ଯୋଗୁଁ ଶ୍ରୀମନ୍ଦବିର ସମେତ ସମସ୍ତ ଧାର୍ମିକ ପୀଠ ବନ୍ଦ ରହିଛି। ତେବେ ଲକ୍‌ଡାଉନ୍‌ ବେଳେ ଅକ୍ଷୟ ତୃତୀୟା ନୀତି କେମିତି ସମ୍ପନ୍ନ ହେବ ସେନେଇ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

Comment