ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ପାଇଁ ଗୋଟିଏ ପଟେ ହାହାକାର ପଡ଼ିଥିବା ବେଳେ ସେହି ଯନ୍ତ୍ରଣାକୁ ଆହୁରି ବଢ଼େଇ ଦେଇଛି ମେ ପହିଲାରେ ଆସୁଥିବା ଏକ ବାତ୍ୟା। ବିଗତ କିଛି ଦିନ ଧରି ଓଡ଼ିଶାର ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ଅନୁଭୂତ ହୋଇଥିବା ବେଳେ ଖବର ଆସୁଛି ଯେ ବଙ୍ଗୋପସାଗରରେ ଏକ ବାତ୍ୟା ଦାନା ବାନ୍ଧୁଛି। ଏବର୍ଷର ଏହା ହେବ  ପ୍ରଥମ ଲଘୁଚାପ। ଚଳିତ ମାସ ଶେଷ ଆଡ଼କୁ  ଏହି ଘୁର୍ଣ୍ଣିଝଡ଼ କୌଣସି ଏକ ଉପକୂଳରେ ମାଡ଼ କରିବ ବୋଲି ଅନୁମାନ କରାଯାଉଛି।

ପୁନେସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟ୍ରୋଲୋଜି ପକ୍ଷରୁ କୁହାଯାଇଛି ଯେ ଆଣ୍ଡାମାନ ଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ଏକ ଲଘୁଚାପ ସୃଷ୍ଟି ହେବା ଦେଖାଯାଉଛି। ଏପ୍ରିଲ ୩୦ ବେଳକୁ ଏହା ସ୍ପଷ୍ଟ ରୂପ ନେବ। ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଧ୍ୟ ଏହି ଅନୁମାନକୁ ସମର୍ଥନ କରିଛି। ମେ ମାସ ପହିଲା ବେଳକୁ ଏହି ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ବାତ୍ୟାର ରୂପ ନେବ। ପାଣିପାଗ ବିଭାଗର ଅନୁମାନ ହେଉଛି ଯେ, ମେ ୪ କିମ୍ବା ୫ ତାରିଖ ବେଳକୁ ଏହା ମିଆଁମାର କିମ୍ବା ବଙ୍ଗଳାଦେଶରେ ଲ୍ୟାଣ୍ଡଫଲ କରିବ।

ଅବଶ୍ୟ ଓଡ଼ିଶା ପ୍ରତି ଏହି ବାତ୍ୟାର କୌଣସି ଭୟ ନାହିଁ ବୋଲି କୁହାଯାଉଛି। କିନ୍ତୁ ଦୁଇ ତାରିଖ ବେଳକୁ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଗତ ବର୍ଷ ମେ ୩ ତାରିଖରେ ପୁରୀରେ ଲ୍ୟାଣ୍ଡଫଲ କରିଥିବା ଫନିର ବିଭୀଷିକା ମନରୁ ଯାଇନଥିବା ବେଳେ ବର୍ଷକ ପରେ ପୁଣି ଏକ ବାତ୍ୟା ଲୋକଙ୍କ ନିଦ ହଜାଇବା ଆରମ୍ଭ କରିଛି।

ଗତ ବର୍ଷ ଏପ୍ରିଲ ମାସରେ ମଧ୍ୟ ସମସ୍ତେ ପୂର୍ବାନୁମାନ କରିଥିଲେ ଯେ ଫନି ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ନାହିଁ ଓ ଆନ୍ଧ୍ର ପ୍ରଦେଶ ତଥା ତାମିଲନାଡୁରେ ମାଡ଼ କରିବ। ବାତ୍ୟା କିନ୍ତୁ ଶେଷ ମୁହୂର୍ତ୍ତରେ ତାର ଦିଗ ପରିବର୍ତ୍ତନ କରି ପୁରୀ ଉପକୂଳରେ ମାଡ଼ କରିଥିଲା। ମେ’ ୩ ତାରିଖରେ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ଫନି ଅଧା ଓଡ଼ିଶାରେ ବ୍ୟାପକ କ୍ଷତି କରିଥିଲା।

Comment