ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଇବେଟିସ୍‌ ବିଷୟରେ ଆମେ ସମସ୍ତେ ଜାଣିଥିବା, ହେଲେ ପ୍ରିଡାଇବେଟିସ୍‌ ବିଷୟରେ ଅଳ୍ପ କେହି ଜାଣିଥିବେ। ତେବେ ପ୍ରିଡାଇବେଟିସ୍‌ କ’ଣ? ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ଆଜିକାଲି ଅଧିକାଂଶ ଯୁବଗୋଷ୍ଠୀ ବା ପ୍ରାକ୍ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହା ହେଉଛି ଏକ ଏଭଳି ସ୍ଥିତି ଯେତେବେଳେ ଶରୀରରେ ଶର୍କରାର ପରିମାଣ ଯେତିକି ରହିବା କଥା ତା’ଠାରୁ ଅଧିକ ଥାଏ, କିନ୍ତୁ ସେତେ ଅଧିକ ନଥାଏ ଯେ ଡାକ୍ତର ଆପଣଙ୍କୁ ମଧୁମେହରେ ପୀଡ଼ିତ ବୋଲି ଚିହ୍ନଟ କରିପାରିବେ। ଏହାକୁ ଇମ୍ପେୟାରଡ ଫାଷ୍ଟିଂ ଗ୍ଲୁକୋଜ ବା ଇମ୍ପେୟାରଡ ଗ୍ଲୁକୋଜ ଟଲେରାନ୍ସ ବୋଲି କୁହାଯାଇପାରେ। ଟାଇପ-୨ ମଧୁମେହରେ ପୀଡ଼ିତ ପ୍ରାୟ ସବୁ ଲୋକ ପ୍ରଥମେ ପ୍ରିଡାଇବେଟିସ୍ ସମସ୍ୟା ଦେଇ ଗତି କରିଥାନ୍ତି। କିନ୍ତୁ ୯୦% ଲୋକେ ସେ ସଂପର୍କରେ  ଜାଣିନଥା’ନ୍ତି। କିଛି ଲୋକ ତାକୁ ନଜରଅନ୍ଦାଜ ବି କରିଦେଇଥାନ୍ତି। ପରବର୍ତ୍ତୀ ସମୟରେ ତାହା ଜଟିଳ ରୂପ ନେଇଥାଏ।

ଲକ୍ଷଣ

– ଅଧିକ ଶୋଷ ଲାଗିବା

-ଆଖିକୁ ଭଲ ନ ଦିଶିବା

-ଅଳ୍ପ ପରିଶ୍ରମ କରି ହାଲିଆ ଲାଗିବା

-ବିରକ୍ତ ଅନୁଭବ କରିବା

ପ୍ରିଡାଇବେଟିସ୍ ହୋଇଛି ବୋଲି କିପରି ଜାଣିବା

-ଫାଷ୍ଟିଂ ପ୍ଲାଜମା ଗ୍ଲୁକୋଜ ଟେଷ୍ଟ: ଏହି ପରୀକ୍ଷା କରିବାର ୮ ଘଣ୍ଟା ପୂର୍ବରୁ ରୋଗୀ କିଛି ଖାଦ୍ୟ ଖାଇନଥା’ନ୍ତି। ଏହାପରେ ରକ୍ତନମୂନା ସଂଗ୍ରହ କରାଯାଏ। ଯଦି ରକ୍ତରେ ଶର୍କରାର ପରିମାଣ ୧୦୦ଏମଜି/ଡିଏଲରୁ କମ୍ ଥାଏ ତା’ ହେଲେ ତାକୁ ସାଧାରଣ ବୋଲି ଧରି ନିଆଯାଏ। ୧୦୦-୧୨୫ ଏମଜି/ଡିଏଲ୍ ମଧ୍ୟରେ ଥିଲେ ତାହା ପ୍ରିଡାଇବେଟିସ୍ ଅବସ୍ଥାଭାବେ ଚିହ୍ନିତ ହୁଏ।

ଓରାଲ ଗ୍ଲୁକୋଜ ଟଲେରାନ୍ସ ଟେଷ୍ଟ: ଫାଷ୍ଟିଂ ପ୍ଲାଜମା ଗ୍ଲୁକୋଜ ଟେଷ୍ଟ କରାଯିବା ପରେ ବ୍ୟକ୍ତିଜଣଙ୍କୁ କିଛି ଚିନିଜାତୀୟ ପାନୀୟ ପିଇବାକୁ ଦିଆଯାଏ। ତାର ଦୁଇ ଘଣ୍ଟା ପରେ ରକ୍ତ ନମୂନା ନିଆଯାଏ। ଯଦି ସେତେବେଳେ ରକ୍ତରେ ଶର୍କରାର ପରିମାଣ ୧୪୦-୧୯୯ଏମଜି/ଡିଏଲ ମଧ୍ୟରେ ଥାଏ ତା’ ହେଲେ ତାହା ପ୍ରିଡାଇବେଟିସ୍‌ର ଲକ୍ଷଣ।

ହିମୋଗ୍ଲୋବିନ୍ ଏୱାନ୍‌ସି ଟେଷ୍ଟ: ଏହି ରକ୍ତ ପରୀକ୍ଷା କରାଗଲେ ଗତ ୨-୩ ମାସ ମଧ୍ୟରେ ରୋଗୀଙ୍କର ହାରାହାରି ରକ୍ତଶର୍କରା ସଂପର୍କରେ ଜଣାପଡ଼େ। ଯଦି ଏହା ୫.୭-୬.୪% ମଧ୍ୟରେ ଆସିଥାଏ ତା’ ହେଲେ ତାହା ପ୍ରିଡାଇବେଟିସ୍ ଅବସ୍ଥା ବୋଲି ଡାକ୍ତର ଗ୍ରହଣ କରନ୍ତି।

କିଭଳି ସମସ୍ୟା ହୁଏ?

ଠିକ୍ ସମୟରେ ଚିକିତ୍ସା କରାନଗଲେ ପ୍ରିଡାଇବେଟିସ୍ ଯୋଗୁଁ ଟାଇପ୍‌-୨ ମଧୁମେହ, କିଡ୍‌ନି ରୋଗ, ଅନ୍ଧତ୍ୱ, ଉଚ୍ଚ ରକ୍ତଚାପ, ଶିରାଗତ ସମସ୍ୟା, ହୃଦରୋଗ ପ୍ରଭୃତି ହୋଇପାରେ।

ଏମାନଙ୍କୁ ପ୍ରିଡାଇବେଟିସ୍ ହେବାର ଅଧିକ ଆଶଙ୍କା ଥାଏ

-ଯଦି ଆପଣଙ୍କର ବୟସ ୪୫ ବର୍ଷ ବା ତା’ଠାରୁ ଅଧିକ ହୋଇଥାଏ (ଆଜିକାଲି ୩୦ ବର୍ଷ ବୟସର ଲୋକେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି)

-ପରିବାରରେ କାହାରିକୁ ମଧୁମେହ ଥାଏ

-ଓଜନ ଅଧିକ ହୋଇଥାଏ

-ଶାରୀରିକ ପରିଶ୍ରମ ନଥାଏ

-ଉଚ୍ଚ ରକ୍ତଚାପ ଥାଏ

-ଶାରୀରରେ ଖରାପ କୋଲେଷ୍ଟେରୋଲ ମାତ୍ରା ଅଧିକ ଥାଏ

-ଗର୍ଭାବସ୍ଥାରେ ମଧୁମେହ ସମସ୍ୟା ରହିଥାଏ

-ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ସମସ୍ୟା ଥିଲେ

-ନିଦ୍ରାହୀନତା ସମସ୍ୟା ଭୋଗୁଥିଲେ

କିଭଳି ରକ୍ଷା ପାଇବେ

-ପ୍ରିଡାଇବେଟିସ୍ ହୋଇଥିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ସବୁଠାରୁ ବଡ଼ ଉପାୟ ହେଲା ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ଓଜନ କମାଇବା। ନିଜ ଓଜନର ୫-୧୦% କମାଇଦେଲେ ବହୁତ ଫରକ ଆସିଯିବ।

-ନିଜକୁ ଭଲ ଲାଗୁଥିବା ଭଳି ଯେକୌଣସି ବ୍ୟାୟାମ କରନ୍ତୁ। ସପ୍ତାହରେ ୫ ଦିନ ଅତି କମ୍‌ରେ ୩୦ ମିନିଟ୍ ଧରି ଚାଲନ୍ତୁ। ନହେଲେ ଆପଣଙ୍କର ଇଚ୍ଛା ମୁତାବକ କୌଣସି ଖେଳ ଖେଳିପାରିବେ।

-ଧୂମପାନ ବନ୍ଦ କରନ୍ତୁ।

-କୋଲେଷ୍ଟେରୋଲକୁ କମାଇବାକୁ ଉଦ୍ୟମ କରନ୍ତୁ। ଏଥିପାଇଁ ତେଲ, ମସଲା, ଛଣାଛଣି ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ।

-ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ।

କିଭଳି ଡାଏଟ ଗ୍ରହଣ କରିବେ?

-ପ୍ରିଡାଇବେଟିସ୍ ହୋଇଥିଲେ ପାଉଁରୁଟି, କେକ୍‌, ଆଳୁ, ଚିନି , ଚୂଡ଼ା, ଫଳରସ , ଚିପ୍ସ ପ୍ରଭୃତିକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ।

-ମାଂସ ବଦଳରେ ସପ୍ତାହରେ ୩ଥର ମାଛ ଖାଆନ୍ତୁ। ଅଣ୍ଡାର ଧଳା ଅଂଶ ଆପଣଙ୍କ ପାଇଁ ଉପକାରୀ।

-କ୍ଷୀରରୁ ସର କାଢ଼ି ସାରି ଦିନବେଳା ପିଅନ୍ତୁ। ସେହିପରି ଛଣାଛଣି ଖାଦ୍ୟ ନ ଖାଇ ଖାଦ୍ୟକୁ ସେକି ଖାଆନ୍ତୁ।

Comment