ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ମାସରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ। କରୋନା ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ବିଳମ୍ବିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ଏକ ଭିସି କମିଟି ଏହି ସୁପାରିଶ କରିଛି। ଜୁଲାଇ ମଧ୍ୟ ଭାଗରେ ସାଧାରଣତଃ କଲେଜରେ ନୂଆ ବର୍ଷ ପାଇଁ ପଢାପଢି ଆରମ୍ଭ ହୋଇଥାଏ। କମିଟି କିନ୍ତୁ ଏହାକୁ ସେପ୍ଟେମ୍ବରକୁ ଘୁଞ୍ଚାଇବା ପାଇଁ ସରକାରଙ୍କୁ କହିଛି।

କରୋନା ସଂକ୍ରମଣର ଆଶଙ୍କା କରି ମାର୍ଚ୍ଚ ୧୬ ତାରିଖରୁ ସମଗ୍ର ଦେଶରେ କଲେଜ ଓ ୟୁନିଭରସିଟି ବନ୍ଦ କରିବା ପାଇଁ ସରକାର କହିଥିଲେ।

ୟୁଜିସି ପକ୍ଷରୁ ନିଯୁକ୍ତ ସାତ ଜଣିଆ ଭିସି କମିଟି ନୂଆ ଶିକ୍ଷା ବର୍ଷ, ସ୍ଥଗିତ ହୋଇଥିବା ପରୀକ୍ଷା ଆଦିକୁ ନେଇ ଶୁକ୍ରବାର ଦିନ ତାର ରିପୋର୍ଟ ଦାଖଲ କରିଛି। ଚଳିତ ଶିକ୍ଷା ବର୍ଷକୁ ଦୁଇ ମାସ ବିଳମ୍ବିତ  କରିବା ପାଇଁ ପରାମର୍ଶ ଦେବା ବ୍ୟତୀତ ଗତ ବର୍ଷର ଯେଉଁ ସବୁ ସେମିଷ୍ଟାର ପରୀକ୍ଷା ସ୍ଥଗିତ ରହିଥିଲା ସେସବୁକୁ ଜୁଲାଇ ମାସରେ ସାରିବା ପାଇଁ କମିଟି ସୁପାରିଶ କରିଛି।

କମିଟିର ସୁପାରିଶ ଭିତ୍ତିରେ ୟୁଜିସି ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବ। ଏହି ନିର୍ଦ୍ଦେଶାବଳୀ ମାନିବା ପାଇଁ ଅବଶ୍ୟ ୟୁନିଭରସିଟି ମାନେ ବାଧ୍ୟ ନୁହନ୍ତି, କିନ୍ତୁ ସେପ୍ଟେମ୍ବର ପରେ କେବେ ନୂତନ ଶିକ୍ଷା ବର୍ଷ ଆରମ୍ଭ କରିବେ ତାହା ସେମାନଙ୍କୁ ଜଣାଇବାକୁ ପଡ଼ିବ।

ଯଦି ଭିସି କମିଟି ସୁପାରିଶକୁ ୟୁଜିସି ଗ୍ରହଣ କରୁଛି, ଡାକ୍ତରୀ ଓ ଇଂଜିନିୟରିଙ୍ଗ ପାଠ୍ୟକ୍ରମ ପାଇଁ ଆଡ଼ମିଶନ ସମୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଯିବାକୁ ହେବ। ଡାକ୍ତରୀ ପାଇଁ ଆଡ଼ମିଶନର ଶେଷ ତାରିଖ ଅଗଷ୍ଟ ୩୧ ଓ ଇଂଜିନିୟରିଙ୍ଗ ପାଇଁ ଅଗଷ୍ଟ ୧୫ ତାରିଖ ରହିଛି ଓ ଏହା ସୁପ୍ରିମକୋର୍ଟ ନିଜେ ନିର୍ଦ୍ଧାରଣ କରିଛନ୍ତି। ଯେହେତୁ ଏହାକୁ ମାନିବା ପାଇଁ ସରକାର ବାଧ୍ୟ ସେହି କାରଣରୁ ସୁପ୍ରିମକୋର୍ଟରେ ସରକାରଙ୍କ ନୂଆ ତାରିଖ ପାଇଁ ଆବେଦନ କରିବାକୁ ପଡ଼ିବ।

Comment