ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ସତରେ କ’ଣ ଆମେ ଏ କଥା ବୁଝିଥିଲେ ନା କରୋନା ବୁଝେଇଲା – ପଢ଼ନ୍ତୁ ଏ ସମ୍ପର୍କରେ ନିଜ ଲକଡାଉନ୍‌ ଅନୁଭୂତିରେ କ’ଣ କହିଛନ୍ତି ଲେଖକ ତଥା ନିର୍ଦ୍ଦେଶକ ବିଶ୍ୱନାଥ ରଥ।

ପେସାରେ ସେ ଜଣେ ଇଞ୍ଜିନୟର ହେଲେ ନିଶା ତାଙ୍କ ଭିନ୍ନ। ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ସେ ନିର୍ମାଣ କରନ୍ତି ସର୍ଟ ଫିଲ୍ମ।  ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରି, ମ୍ୟୁଜିକ ଭିଡିଓ ଆଦି କରି ସେ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ସେହି ବ୍ୟକ୍ତି ହେଉଛନ୍ତି ଜୟପୁରର ବିଶ୍ୱନାଥ ରଥ। ଏହି ଲକଡାଉନ ସମୟରେ ବି ସେ ଫାଙ୍କା ବସି ନାହାନ୍ତି। ଲୋକଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ କରୋନା ପ୍ରତି ସଚେତନ କରିବାକୁ ସେ ଲାଗିପଡ଼ିଛନ୍ତି କାମରେ।

‘‘ମୁଁ ଏହି ସମୟକୁ ବହି ପଢ଼ିବା, ନୂଆ ନୂଆ ବିଷୟ ଉପରେ ଗବେଷଣା କରିବା, ନୂଆ କାହାଣୀ ଲେଖିବା ପାଇଁ ବ୍ୟବହାର କରୁଛି’’, କହିଛନ୍ତି ବିଶ୍ୱନାଥ ରଥ।

ବିଶ୍ୱନାଥଙ୍କ ପ୍ରଡକ୍ସନ କମ୍ପାନି BnR ଫିଲ୍ମସ ବିଭିନ୍ନ ସାମାଜିକ ସମସ୍ୟା ଓ ସାମାଜିକ କାର୍ଯ୍ୟରେ ସବୁବେଳେ ଆକ୍ଟିଭ୍‌ ରହିଥାଏ। ଏବେ ମଧ୍ୟ  କରୋନାକୁ ଦୃଷ୍ଟିରେ ରଖି ସମାଜର ମଙ୍ଗଳ ପାଇଁ ବିଶ୍ୱନାଥ ନିଜର ସମସ୍ତ ବୁଦ୍ଧି, କୌଶଳ ଓ ସମ୍ବଳର ଉପଯୋଗ କରିବାକୁ ସ୍ଥିର କରିଛନ୍ତି। ସାମାଜିକ ବାର୍ତ୍ତା ସହିତ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ। ଯାହାଦ୍ୱାରା ଲୋକେ କରୋନା ସହ ଲଢ଼ିବାକୁ ପ୍ରେରଣା ପାଇବା ସହ ସଚେତନ ହେବେ। ବର୍ତ୍ତମାନ ସୁଦ୍ଧା ବିଶ୍ୱନାଥ ଅଭିନେତା ଆଶିଷ କୁମାରଙ୍କ ସହ ମିଶି କିଛି କରୋନା ସଚେତନତା ଭିଡିଓ ରିଲିଜ କରିଛନ୍ତି। ସେହି ଭିଡିଓ ମଧ୍ୟରୁ ଗୋଟିଏ ହେଲା (Ekees Deen BreakTheChain )

 ଲକଡାଉନରେ ବିଶ୍ୱନାଥଙ୍କ ସ୍ପେଶାଲ ପ୍ରୋଜେକ୍ଟ କ’ଣ?

ଲକଡାଉନରେ ସ୍ପେଶାଲ ପ୍ରୋଜେକ୍ଟ ଭାବେ ବିଶ୍ୱନାଥ ଏକ ଓ୍ୱେବ ସିରିଜରେ କାମ କରୁଛନ୍ତି। ଯାହାର ଟାଇଟଲ ରହିଛି ‘କରୋନା ଓ୍ୱାରିଅର୍ସ’। ଏହି ଓ୍ୱେବ ସିରିଜ କରୋନା ଯୋଦ୍ଧା ଡାକ୍ତର, ନର୍ସ, ପାରାମେଡିକ, ପୋଲିସ କର୍ମୀ, ସଫେଇ କର୍ମୀ, କୃଷକ, ପରିବା ଦୋକାନୀଙ୍କ କାହାଣୀକୁ ନେଇ ଆଧାରିତ। ଯେଉଁମାନେ କରୋନା ଯୁଦ୍ଧରେ ଦେଶକୁ ସାହାଯ୍ୟ କରିବା ପାଇଁ ଏଭଳି ବିପଦ ସମୟରେ କର୍ତ୍ତବ୍ୟରତ।

ବିଶ୍ୱନାଥଙ୍କ କହିବା କଥା ଏବେ ସେ ଭିଡିଓ ସୁଟ୍‌ ପାଇଁ ଅଭିନେତା ଆଶିଷଙ୍କ ସହ ଆଲୋଚନା କରୁଛନ୍ତି। ଫୋନ୍‌ ଏବଂ ମେଲ୍‌ ଜରିଆରେ ପରସ୍ପର ସହ ଯୋଗାଯୋଗ କରୁଛନ୍ତି। ଦେଶର ଦାୟିତ୍ୱବାନ ନାଗରିକ ଭାବେ ସମ୍ପୂର୍ଣ୍ଣ ଭାବେ ସେ ଲକଡାଉନ ନିୟମ ପାଳନ କରୁଛନ୍ତି।

ଲକ୍‌ଡାଉନ୍‌ରେ କେମିତି କଟୁଛି ନିତିଦିନିଆ ରୋଟିନ?

ଲକଡାଉନ ମୋ ପାଇଁ ଆଶୀର୍ବାଦ ପ୍ରମାଣିତ ହୋଇଛି। ସବୁଠୁ ଗୁରୁତ୍ୱୂପୂର୍ଣ୍ଣ କଥା ମୁଁ ମୋ ପୁଅ ଆଦ୍ୱିକ ସହ ଖେଳିବାକୁ ସୁଯୋଗ ପାଇଛି। ତା’ ସହିତ ଖେଳ ଭିତରେ ସମୟ କିଭଳି ବିତିଯାଉଛି ତା’ ଜଣାପଡ଼ୁନି। କେବଳ ଖେଳ ନୁହେଁ ତାକୁ ମଧ୍ୟ ମୁଁ ବିଭିନ୍ନ ବହି, କାହାଣୀରେ ଯୋଡ଼ୁଛି। ମୋ ପତ୍ନୀ ଅର୍ଚ୍ଚନା ବି ଏମେ ଓ୍ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଖାସ୍‌ କଥା ହେଲା ଏହି ସମୟରେ ମୁଁ କିଛି ସାଧାରଣ ଖାଦ୍ୟ ପ୍ରସ୍ତୁତ କରିବା ଶିଖି ଗଲିଣି।

ଲକ୍‌ଡାଉନ୍‌ ଜୀବନରେ କ’ଣ କିଛି ବଡ଼ ଶିକ୍ଷା ଦେଇଛି କି?

କରୋନା ବହୁତ କିଛି ଶିଖାଇଛି। ମୋ ପାଇଁ ସବୁଠୁ ବଡ଼ ଶିକ୍ଷା ହେଲା ସ୍ୱାସ୍ଥ୍ୟର ମହତ୍ତ୍ୱ। ସ୍କୁଲ ବେଳୁ ଆମ ସମସ୍ତଙ୍କୁ ଶିଖାଯାଏ ‘ସ୍ୱାସ୍ଥ୍ୟ ହିଁ ସଂପଦ’। କିନ୍ତୁ ବାସ୍ତବରେ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ସେହି କଥା ଅଣଦେଖା କରନ୍ତି। ଲକଡାଉନ ଭିତରେ ମୁଁ ଫିଟ୍‌ ରହିବା ପାଇଁ ପ୍ରତିଦିନ କିଛି ସମୟ ବ୍ୟାୟାମ କରୁଛି।

ଅନ୍ୟମାନଙ୍କୁ କ’ଣ ବାର୍ତ୍ତା ଦେବେ?

ଯତ୍ନବାନ ରହନ୍ତୁ, ଲକଡାଉନ ନିୟମ ପାଳନ କରନ୍ତୁ। କରୋନାକୁ ଆଦୌ ଡରନ୍ତୁ ନାହିଁ। ଯଦି ଆମେ ନିୟମ ପାଳନ କରିବା ଓ ସଚେତନ ରହିବା ତେବେ କରୋନା ମହାମାରୀଙ୍କୁ ହରାଇବା କଷ୍ଟ ନୁହେଁ। ଏଥିସହିତ ମିଥ୍ୟା ଖବର ଗୁଜବକୁ ଦୟା କରି ଭାଇରାଲ କରାନ୍ତୁ ନାହିଁ। ବୈଜ୍ଞାନିକ, ଡାକ୍ତର, ବିଭିନ୍ନ ସଙ୍ଗଠନ ଓ କମ୍ପାନି କରୋନା ଭ୍ୟାକସିନ ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସଫଳ ହୋଇନାହାନ୍ତି। ତଥାପି କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେଉଛନ୍ତି। ତେଣୁ ନଡରି ଶାନ୍ତି ରହନ୍ତୁ।

କୋରାପୁଟ ଜିଲ୍ଲା କୋଟପାଡ ଉପରେ ନିର୍ମିତ ଫିଲ୍ମ ‘କୋଟପାଡ ଦ ଷ୍ଟୋରି ଅଫ୍‌ ରେସ୍‌ ଏଗେନ୍‌ଷ୍ଟ ଟାଇମ୍’‌ ପାଇଁ ବିଶ୍ୱନାଥ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ପାଇଛନ୍ତି।

Comment