ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ। ବୁଧବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ବଲିଉଡର ଜଣେ ସୁପରଷ୍ଟାର ଥିଲେ ଅଭିନେତା ଇରଫାନ ଖାନ।। ତାଙ୍କର ନିଖୁଣ ଅଭିନୟ, ଚମତ୍କାର ଡାଇଲଗ ପରିବେଷଣ ପାଇଁ ସେ ବଲିଉଡରୁ ହଲିଉଡ ଯାଏଁ ନିଜର ଯାଦୁ ଦେଖାଇ ପାରିଥିଲେ। କେହି ଭାବିନଥିଲେ ଯେ ୧୯୯୮ରେ ସଲାମ ବମ୍ବେ  ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ଏହି ଅଭିନେତା ଦିନେ ହଲିଉଡରେ ବି ନାଁ କରିବେ।

ହିନ୍ଦୀ ଫିଲ୍ମରେ ଇରଫାନ୍ ସମସ୍ତ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ବହୁ ସର୍ଟ ଫିଲ୍ମରେ ଇରଫାନଙ୍କ ଚମତ୍କାର ଅଭିନୟ ଦେଖିଛନ୍ତି ଦର୍ଶକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଅଭିନୟ କଲା ବେଳେ ସେ ଚରିତ୍ର ଛୋଟ ବି ବଡ଼ ଦେଖନ୍ତି ନାହିଁ। ଚରିତ୍ର ତାଙ୍କ ପାଇଁ ଭଲ ଓ ଚ୍ୟାଲେଞ୍ଜିଂ ହୋଇଥିବା ଦରକାର ବୋଲି ସେ କହନ୍ତି। ତାଙ୍କର ଏହି ଗୁଣ ଯୋଗୁଁ ହଲିଉଡ ବି ତାଙ୍କ ପାଇଁ ପାଗଳ ହୋଇଥିଲା।

୨୦୦୭ରେ ଇରଫାନଙ୍କୁ ହଲିଉଡ ଫିଲ୍ମ ‘ଏ ମାଇଟି ହାର୍ଟ’ରେ କାମ କରୁଥିବା ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଥିଲା ଜିଶାନ୍ କାଜମି। ଏହାପରେ ଧୀରେ ଧୀରେ ସେ ହଲିଉଡରେ ଆହୁରି ଫିଲ୍ମ କରି ଚାଲିଥିଲେ। ‘ସ୍ଲୁମଡୋଗ୍ ମିଲିଅନେୟାର’ରେ ଇରଫାନ୍ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା ଏବଂ ‘ଲାଇଫ୍ ଅଫ୍ ପାଇ’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା।

ଇରଫାନ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ନିକଟରେ ତାଙ୍କର ‘ଅଙ୍ଗ୍ରେଜୀ ମିଡିୟମ’ ଫିଲ୍ମ ମଧ୍ୟ ରିଲିଜ ହୋଇଛି। ଏହାପୂର୍ବରୁ ସେ ପିକୁ, ପାନ ସିଂହ ତୋମାର, ବିଲୁ ବାରବର ଭଳି ହିଟ୍ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ।

ଇରଫାନ ୧୯୬୭, ଜାନୁଆରି ୭ରେ ରାଜସ୍ଥାନର ଜୟପୁରରେ ଜନ୍ମ ହୋଇଥିଲେ।

Comment