ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମେରା ନାମ୍‌ ଜୋକର’ରୁ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଋଷି କପରୁ। ତାଙ୍କ ଶେଷ ଫିଲ୍ମ ଥିଲା ‘ଦ ବଡି’। ଏମିତି ଥିଲା ଋଷି କପୁରଙ୍କ ବଲିଉଡ୍‌ କ୍ୟାରିୟର।

ବଲିଉଡ୍‌ ଇଣ୍ଡଷ୍ଟ୍ରୀକୁ ଲାଗିଲା ବଡ଼ ଧକ୍କା। ଚାଲିଗଲେ ବରିଷ୍ଠ ଅଭିନେତା ଋଷି କପୁର। ମୁମ୍ଵାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ବର୍ତ୍ତମାନ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଛି। ସେ ବଲିଉଡ୍‌ରେ ନାୟକ ଭାବେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ବାପା ହେଉଛନ୍ତି ବଲିଉଡ୍‌ର ଜଣାଶୁଣା ଅଭିନେତା ରାଜ କପୁର।

ଋଷି କପୁର ବଲିଉଡ୍‌ ଜଗତରେ ୧୯୭୦ ମସିହାରୁ ନିଜ ଜଲଓ୍ଵା ଦେଖାଇଥିଲେ। ତାଙ୍କ ବାପା ଥିଲେ ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତା ଓ ନିର୍ଦ୍ଦେଶକ। ଋଷି ମୁମ୍ଵାଇର ଚେମ୍ଵୁରରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ରାଜ୍‌ କପୁର ଓ କ୍ରିଷ୍ଣା ରାଜ୍‌ କପୁରଙ୍କ ଦ୍ଵିତୀୟ ପୁତ୍ର ଥିଲେ। ପରେ ସେ ମୁମ୍ଵାଇର କ୍ୟାମ୍ପିନ ସ୍କୁଲରୁ ନିଜ ସ୍କୁଲିଂ ଶେଷ କରିବା ପରେ ଆଜମେରର ମାୟୋ କଲେଜରେ ଗ୍ରାଜୁଏସନ୍‌ ଶେଷ କରିଥିଲେ।

ପରେ ସେ ୧୯୭୦ ମସିହାରେ ବାପା ରାଜ୍‌ କପୁରଙ୍କୁ ନିର୍ଦ୍ଦେଶିତ ‘ମେରା ନାମ୍‌ ଜୋକର’ରୁ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୭୩ ମସିହାରେ ମୁଖ୍ୟ ଅଭିନେତା ଭାବେ ‘ବବି’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ସେହି ଫିଲ୍ଲରେ ନାୟିକା ଥିଲେ ଡିମ୍ପଲ କପାଡିଆ।

ଏହାପରେ ସେ ଚାନ୍ଦିନୀ, ଦିଓ୍ଵାନା, ନାଗୀନ, ପ୍ରେମ୍‌ ରୋଗ, ହେନା, କର୍ଜ, ଲୈଲା ମଜନୁ, ପ୍ରେମ ଗ୍ରନ୍ଥ, ବନଜାରନ୍‌, ନସିବ, ବୋଲ ରାଧା ବୋଲ, ସରଗମ, ନିସବ ଆପନା ଆପନା, କଭି କଭି, ସାଜନ କା ଘର, ୟାରାନା, ଯେ ବାଦା ରାହା, ସାଜନ କି ବାହୋ ମେ, ଦୁନିଆ, ଅନମୋଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି। ୧୯୭୩ରୁ ୨୦୦୦ ମସିହା ମଧ୍ୟରେ ୯୨ଟି ଫିଲ୍ମ କରିଥିଲେ। ସେଥି ମଧ୍ୟରୁ ୩୬ଟି ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା। ଏହାସହ ସେ ୧୯୭୩ ଓ ୧୯୮୧ ମଧ୍ୟରେ ୧୨ଟି ଫିଲ୍ମରେ ସେ ତାଙ୍କ ପତ୍ନୀ ନିତୁ ସିଂଙ୍କ ବିପକ୍ଷରେ ନାୟକ ହୋଇଥିଲେ।

ପରେ ୨୦୦୦ ମସିହାରେ ସହାୟକ ଅଭିନେତା ଭାବେ ବଲିଉଡ୍‌ ପାଇଁ ତାଙ୍କର ଅନେକ ଅବଦାନ ରହିଥିଲା। ୨୦୦୨ରେ ୟେ ହେ ଜଲଓ୍ଵା, ୨୦୦୪ରେ ହମ୍‌ ତୁମ୍‌, ୨୦୦୬ରେ ନମସ୍ତେ ଲଣ୍ଡନ, ୨୦୦୭ରେ ଲଭ୍‌ ଆଜ କଲ୍‌, ପଟିଆଲା ହାଉସ, ସାମ୍ଵର ସାଲସା, ଦୋଦୁନେ ଚାର, ଚିଣ୍ଟୁ ଜୀରେ ମଧ୍ୟ ସେ ଅଭିନୟ କରିଥିଲେ। ହାଉସ ଫୁଲ୍‌ ୨ ଓ ଅଗ୍ନୀପଥ ଚଳଚ୍ଚିତ୍ରରେ ସେ ନେଗେଟିଭ ରୋଲ କରିଥିଲେ।

ଏହାସହ ୨୦୧୮ରେ କମେଡି ଫିଲ୍ମରେ ୧୦୨ ନଟ୍‌ ଆଉଟରେ ତାଙ୍କୁ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିଥିଲା। ପରେ ୨୦୧୯ ଡିସେମ୍ଵର ୩ରେ ଇମ୍ରାନ ହାସମିଙ୍କ ସହ ଦି ବଡି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଏହା ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା।

ମେରା ନାମ୍‌ ଜୋକରରେ ଶିଶୁ କଳାକାର ଭାବେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୭୪ ମସିହାରେ ବବି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୨୦୦୮ରେ ସେ ଫିଲ୍ମ ଫେୟାର ଲାଇଫ ଆଚିଭମେଣ୍ଟ ଆଓ୍ଵାର୍ଡ ମଧ୍ୟ ପାଇଥିଲେ। ଚଳଚ୍ଚିତ୍ରରେ ତାଙ୍କ ଅବଦାନ ପାଇଁ ରୁଷିଆନ୍‌ ସରକାର ତାଙ୍କୁ ସମ୍ମାନିତ କରିଥିଲେ।

ତାଙ୍କ ପରିବାରରେ ପ୍ରାୟ ସମସ୍ତେ ଅଭିନୟ ସହ ଜଡ଼ିତ। ବଲିଉଡ୍‌ରେ କପୁର ପରିବାରର ଅନେକ ଅବଦାନ ରହିଛି। ତାଙ୍କ ଜେଜେ ପ୍ରୀତି ରାଜ କପୁର ମଧ୍ୟ ଜଣେ ଅଭିନେତା ଥିଲେ। ତାଙ୍କ ବଡ଼ ଭାଇ ରଣଧୀର କପୁର ଓ ରାଜୀବ କପୁର, ମାମୁ ପ୍ରେମ ନାଥ, ରାଜେନ୍ଦ୍ର ନାଥ, ନରେନ୍ଦ୍ର ନାଥ ଓ ପ୍ରେମ ଚୋପ୍ରା ଓ କାକା ଶଶି କପୁର, ସାମି କପୁର ମଧ୍ୟ ଅଭିନେତା ଥିଲେ।

କେବଳ ତାଙ୍କ ପୂର୍ବଜ ନୁହନ୍ତି ତାଙ୍କ ବର୍ତ୍ତମାନର ପୀଢ଼ି ମଧ୍ୟ ଅଭିନୟରେ ନିଜ ଜଲଓ୍ଵା ଦେଖାଉଛନ୍ତି। ଋଷି କପରୁଙ୍କ ପୁଅ ରଣବୀର କପୁର ବର୍ତ୍ତମାନ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟକ। ସେହିପରି ତାଙ୍କ ଭାଇ ରଣଧୀରଙ୍କ ଝିଅ କରିନା କପୁର ଓ କରିସ୍ମା କପୁର ମଧ୍ୟ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ।

Comment