ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକାତାରୁ ଫେରିଥିବାରୁ ମୃତ୍ୟୁ ପରେ ବି ଗ୍ରାମବାସୀ ଦେଲେନି କାନ୍ଧ। ୧୨ ଘଣ୍ଟା ହେବ ଘରେ ପଡ଼ି ରହିଛି ମୃତଦେହ।

ମରିଗଲା ମାନବିକତା। କୋଲକାତାରୁ ଫେରିଥିଲେ ବୋଲି କରୋନା ଭୟରେ ମୃତଦେହ ପାଖକୁ ଆସିଲେନି ଗ୍ରାମବାସୀ। ୧୨ ଘଣ୍ଟା ହେବ ଘରେ ପଡ଼ି ରହିଛି ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଶିମୁଳିଆ ଥାନା ଜାମ୍ମୁହେଡି ପଞ୍ଚାୟତର ଖଟନଗର ଗାଁରେ।

ମୃତ ବ୍ୟକ୍ତି ଜଣକ ଏପ୍ରିଲ ୩୦ ତାରିଖରେ କୋଲକାତାରୁ ଫେରିଥିଲେ। ପରେ ସେ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରୁ ଶବ ଘରକୁ ଫେରିବା ପରେ ଗାଁର କୌଣସି ବି ଲୋକ ଶବ ପାଖକୁ ଆସୁ ନାହାନ୍ତି। ସେ କୋଲକାତାରୁ ଫେରିଥିବାରୁ ତାଙ୍କୁ କରୋନା ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ମୃତ ବ୍ୟକ୍ତିଙ୍କ ପିଲାମାନେ ଛୋଟ ଛୋଟ ହୋଇଥିବା ଶବ ପାଖରେ ବସି କାନ୍ଦିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ପରିବାର ଲୋକ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କାନ୍ଧ ଦେବାକୁ ରାଜି ହୋଇନଥିଲେ।

ପରେ ଡକ୍ତରୀ ଟିମ୍‌ ଆସି ଦେଖିବା ପରେ ତାଙ୍କୁ କରୋନା ହୋଇନଥିବା କହିଥିଲେ। ହେଲେ ତାଙ୍କ ରକ୍ତ ପରୀକ୍ଷା ହୋଇନଥିବାରୁ ଗ୍ରାମବାସୀ ଅରାଜି ହୋଇଥିଲେ। ଅନ୍ୟପକ୍ଷରେ ଏଯାଏଁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

ବାଳେଶ୍ଵରରେ ଆକ୍ରାନ୍ତ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଫେରନ୍ତା। ଏଭଳି ପରିସ୍ଥିତିରେ କରୋନାକୁ ନେଇ ଏବେ ଲୋକଙ୍କ ମନରେ ଭୟ ରହିଛି। ମୃତ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ହୋଇଥିବାରୁ ଗ୍ରାମବାସୀଙ୍କ ମନରେ ଭୟ ରହିଛି।

Comment