ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ଗଡୁଛି। ଅନିଶ୍ଚିତତାରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

(ଭୁବନେଶ୍ୱରୁ ସରୋଜ ମହାପାତ୍ର): ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ନିର୍ମାଣ କାମ ଆରମ୍ଭ କରିବା ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ବୈଠକ ହୋଇଥିଲା। ହେଲେ ପରିଚାଳନା କମିଟି ରଥ ନିର୍ମାଣ କାମ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ରଥ ନିର୍ମାଣ କାମ ଆରମ୍ଭ କରିବାକୁ ପରିଚାଳନା କମିଟି ସୁପାରିଶ କରି ସାପ ମରିବନି କି ବାଡ଼ି ଭାଙ୍ଗିବନି ଭଳି ପଦକ୍ଷେପ ନେଇଛନ୍ତି।

ରଥ ନିର୍ମାଣ କାମ ନିର୍ମାଣ ଆରମ୍ଭ ହେବ ସେନେଇ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହେବାକୁ ହାତରେ ଆଉ ମାତ୍ର ମାସେ ସମୟ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର କୌଣସି ସ୍ପଷ୍ଟ ଉତ୍ତର ନରଖିବା ଭକ୍ତ, ଗବେଷକ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି।

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଏହି ତିଥିରେ ରତ୍ନବେଦୀ ଛାଡ଼ି ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ସ୍ନାନ ମଣ୍ଡପକୁ ଆସିଥାନ୍ତି। ସ୍ନାନ ପର୍ବ ସରିବା ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ସ୍ନାନ ଯାତ୍ରାରୁ ହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ହେଲେ ସ୍ନାନ ଯାତ୍ରାକୁ ମାତ୍ର ଆଉ ମାସେ ରହିଲା। ଆଜି ହେଉଛି ମେ’ ୪ ତାରିଖ। ଜୁନ୍‌ ୫ ତାରିଖରେ ପଡୁଛି ଦେବସ୍ନାନ ପୂର୍ଣ୍ଣିମା। ହେଲେ ମହାପ୍ରଭୁଙ୍କ ଯାତ୍ରା ପାଇଁ ଯେମିତି ଉତ୍ସାହ ଦେଖାଯିବା କଥା ତାହା ଏଯାଏଁ ଦେଖାଯାଉନି। ଚଳିତବର୍ଷ କରୋନା ସଙ୍କଟ ଦେଖାଦେଇଥିବାରୁ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର କୌଣସି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି।

ଯଦି ରଥଯାତ୍ରା ସରକାର କରିବାକୁ ଚାହୁଁ ନାହାନ୍ତି ତାହାଲେ ଭକ୍ତ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନ୍ଧକାରରେ ନରଖି ସ୍ପଷ୍ଟ ଉତ୍ତର ରଖନ୍ତୁ। ଯଦି ରଥଯାତ୍ରା ଆୟୋଜନ କରିବାକୁ ଚାହୁଁଛନ୍ତି ତାହାଲେ ସରକାର ଏବେଠାରୁ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ହେଲେ ସରକାର କୌଣସି କଥା ସ୍ପଷ୍ଟ କରୁ ନଥିବାରୁ ସବୁଠି ଅନିଶ୍ଚିତତା ଲାଗି ରହିଛି।

ରଥ ନିର୍ମାଣ ପାଇଁ ପୁରୀ ବଡ଼ଦାଣ୍ଡରେ ଆସି ରଥକାଠ ଗଦା ହେଲାଣି। ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟା ତିଥିରୁ ହିଁ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। କିନ୍ତୁ ଲକ୍‌ଡାଉନ୍‌ କଟକଣା ଥିବାରୁ ଏଥର ରଥ ନିର୍ମାଣ କାମ ଆରମ୍ଭ ହୋଇନି। ମେ’ ୩ ତାରିଖ ଯାଏଁ ରଥ ନିର୍ମାଣ ହୋଇପାରିବ ନାହିଁ ବୋଲି ଗଜପତି ମହାରାଜା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଏବଂ ନୂଆ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରିବାକୁ କହିଥିଲେ।

ଇତିମଧ୍ୟରେ ଲକ୍‌ଡାଉନ୍‌ ମେ’ ୧୭ ଯାଏଁ ବଢ଼ିଛି। କେନ୍ଦ୍ର ସରକାର ମେ’ ପହିଲାରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିବା ବେଳେ ରାଜ୍ୟ ସରକାର ୩ ତାରିଖରେ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ପୁରୀ ଗ୍ରୀନ ଜୋନ୍‌ରେ ରହିଛି। ଏହି ଜୋନ୍‌ ପାଇଁ କଟକଣା କୋହଳ କରାଯାଇଛି। ତେବେ ଗ୍ରୀନ ଜୋନ୍‌ ପୁରୀରେ ରଥଯାତ୍ରା ପାଇଁ ସରକାର ସବୁଜ ସଙ୍କେତ ଦେବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଧି ରକ୍ଷା ପାଇଁ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହୋଇଛି। ରଥ ନିର୍ମାଣ ପାଇଁ ମହାରଣା ସେବାୟତମାନେ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରି ରହିଛନ୍ତି। ମେ’ ୩ ଯାଇ ୪ ତାରିଖ ଶେଷ ହେବାକୁ ବସିଲାଣି ପଛେ ରଥଯାତ୍ରା ସରକାର କରିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି।

ତିନି ରଥ ନିର୍ମାଣ ପାଇଁ ମାସେରୁ ଅଧିକ ସମୟ ଲାଗିଯାଏ। ତାଛଡ଼ା ରଥର ରଙ୍ଗ ଏବଂ କପଡ଼ା ତିଆରି ହୋଇଥାଏ। ହେଲେ ଅକ୍ଷୟ ତୃତୀୟା ଯିବାକୁ ୮ ଦିନ ବିତିଥିଲେ ମଧ୍ୟ ଏଯାଏଁ ରଥ ନିର୍ମାଣ କାମ ଆରମ୍ଭ ହୋଇନି। ୮ ଦିନ ଗଡ଼ିଗଲାଣି। ସରକାର ଯଦି ବିଳମ୍ବରେ ରଥ ଯାତ୍ରାକୁ ଅନୁମତି ଦେବେ ତାହାଲେ ରଥ ନିର୍ମାଣ ଏବଂ ଅନ୍ୟ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ କି ବୋଲି ପ୍ରଶ୍ନବାଚୀ ଉଠିଛି।

ସ୍ନାନ ଯାତ୍ରାଠୁ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ପୁରୀକୁ ପ୍ରାୟ ୫୦ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ଦେଶ ବାହାରୁ ମଧ୍ୟ ବହୁ ଭକ୍ତ ମହାପ୍ରଭୁଙ୍କ ଏହି ଘୋଷ ଯାତ୍ରା ଦେଖିବାକୁ ପୁରୀ ଆସିଥାନ୍ତି। ହେଲେ କରୋନା ସଙ୍କଟ ବେଳେ ରଥଯାତ୍ରା ଆୟୋଜନକୁ ନେଇ ଅନିଶ୍ଚତତା ଲାଗି ରହିଛି।

ବର୍ତ୍ତମାନ ସଂକ୍ରମଣ ଯେଉଁଭଳି ହାରରେ ବୃଦ୍ଧି ପାଉଛି ସେଥିପାଇଁ ରାଜ୍ୟ ବାହାରୁ ଭକ୍ତମାନଙ୍କୁ ପୁରୀ ଆସିବାକୁ ଅନୁମତି ମିଳିନପାରେ। ବାହାରୁ ଯେଉଁ ଭକ୍ତମାନେ ଆସନ୍ତି ସେମାନେ ପୁରୀର ବିଭିନ୍ନ ହୋଟେଲ ଏବଂ ଲଜ୍‌ରେ ରହନ୍ତି। ହୋଟେଲ ଏବଂ ଲଜ୍‌ମାଲିକମାନେ ଭଲ ଦି ପଇସା ରୋଜଗାର କରିବା ସହ ସରକାର ମଧ୍ୟ ଭଲ ରାଜସ୍ୱ ପାଇଥାନ୍ତି। ଉଠା ଦୋକାନୀଙ୍କର ବି ଭଲ ରୋଜଗାର ହୋଇଥାଏ। ହେଲେ ଏବେ ଦୋକାନ ବଜାର, ହୋଟେଲ, ଲଜ୍‌ରେ ତାଲା ଝୁଲୁଛି।

ସେହିପରି ସାମାଜିକ ଦୂରତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ରଥଯାତ୍ରା କମ୍‌ ଲୋକରେ ଆୟୋଜନ କରିବା ସମ୍ଭବ ନୁହେଁ। ମହାପ୍ରଭୁଙ୍କୁ ପହଣ୍ଡି ପାଇଁ ୫୦ରୁ ଅଧିକ ସେବାୟତଙ୍କର ଆବଶ୍ୟକତା ରହିଛି। ଯଦି ୫୦ ଅଧିକ ସେବାୟତ ଏକାଠି ହେବେ ତାହାଲେ ସାମାଜିକ ଦୂରତା ରହିବନାହିଁ।

ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ନାହିଁ ବୋଲି ଏଥର ଚନ୍ଦନ ଯାତ୍ରାକୁ ଶ୍ରୀମନ୍ଦିର ପରିସରରେ ଆୟୋଜନ କରାଯାଉଛି। ଏଣୁ ରଥଯାତ୍ରା ବେଳେ ସାମାଜିକ ଦୂରତା କେମିତି ରକ୍ଷା କରାଯିବ ସେହି ପ୍ରଶ୍ନ ଏବେ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଘାରିଛି। ଫଳରେ ରଥଯାତ୍ରା ଆୟୋଜନ ପାଇଁ ସରକାର ସବୁଜ ସଙ୍କେତ ଦେବାକୁ ସାହସ ଜୁଟାଇ ପାରୁ ନାହାନ୍ତି ବୋଲି ଆଲୋଚନା ହେଉଛି।

ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ନେଇ ପ୍ରଶ୍ନବାଚୀ ଉଠିଥିଲା। ରଥକାଠ ରଥ ଖଳାରେ ପ୍ରତିବର୍ଷ ଅନୁକୂଳ ହୋଇ ଆସୁଛି। ହେଲେ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ବାହାରେ କୌଣସି ବିଧି ହୋଇପାରିବ ନାହିଁ ବୋଲି ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡ଼ା ଯାଇଥିଲା। ଶଙ୍କାରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ପରିସରରେ ହିଁ ରଥକାଠ ଅନୁକୂଳ ହୋଇଥିଲା। ହେଲେ ଏବେ ରଥ ନିର୍ମାଣ କାମ କେମିତି ଆରମ୍ଭ ହେବ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

ଦଇତାପତି ନିଯୋଗ ପକ୍ଷରୁ ରଥଯାତ୍ରା ଆୟୋଜନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଲେଖାଯାଇଛି। ରଥଯାତ୍ରା ବନ୍ଦ ନକରିବାକୁ ନିଯୋଗ ପକ୍ଷରୁ ନିବେଦନ କରାଯାଇଛି। ତେବେ ସରକାର ରଥଯାତ୍ରା ବାବଦରେ କେବେ ଏବଂ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment