ଓଡ଼ିଶାଲାଇଭ୍ ବ୍ୟୁରୋ

ନୀଳାମ୍ବର ରଥ

ମନେରଖନ୍ତୁବଡ଼ ବଡ଼ ଶିକ୍ଷାଗତ ଯୋଗ୍ୟତାଲମ୍ବା ଅଭିଜ୍ଞତା ବା ଉଚ୍ଚ ପଦପଦବୀ ସବୁବେଳେ ଆପଣଙ୍କୁ ସଫଳତା ଆଣିଦେବ ନାହିଁ। ଆପଣ ଯଦି ଭଲ ରୂପେ ‘କମ୍ୟୁନିକେଟ୍’, ‘କୋଲାବରେଟ୍’ ଏବଂ ‘କନସେଣ୍ଟ୍ରେଟ୍’ କରି ଶିଖିନାହାନ୍ତି ବା ଏହି ୩-ସି ମନ୍ତ୍ରକୁ ଅଭ୍ୟାସରେ ପକାଇନାହାନ୍ତି

ଅଲଗା ଅଲଗା ଜାଗାରେ ରହି, ଅଲଗା ଅଲଗା ବ୍ୟକ୍ତି ଗୋଟିଏ ପ୍ରୋଜେକ୍ଟରେ କାମ କଲା ବେଳେ ତାଳମେଳ ଠିକ୍ ନ ରହିବା ସ୍ଵାଭାବିକ କଥା। ଏମିତି ସାଧାରଣ ଭାବେ ଭାବିଲେ, ଏହା ଅଡୁଆ ଲାଗି ନ ପାରେ। କିନ୍ତୁ ଯେତେବେଳେ ଆମେ କୌଣସି ଜରୁରୀକାଳୀନ ବା ଅତି ଗୁରୁତ୍ଵପୂର୍ଣ୍ଣ ପ୍ରୋଜେକ୍ଟ ସହ ଯୋଡ଼ି ହୋଇଥାଉ, ସେତେବେଳେ ସମନ୍ଵୟଜନିତ ସାମାନ୍ୟ ସମସ୍ୟା ବା ଜଣଙ୍କର ଅଜଣା ଓ ଅନିଚ୍ଛାକୃତ ତ୍ରୁଟି ପୂରା ପ୍ରକଳ୍ପକୁ ଅଟକାଇ ଦେଇପାରେ, କିମ୍ବା ଭୁଲ ବାଟରେ ନେଇଯାଇପାରେ।

ଏଇ ଧରନ୍ତୁ କରୋନା ସଂକ୍ରମଣ ସମୟରେ ଏବେ ହଜାର ହଜାର ଲୋକ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି। ଶହ ଶହ ସାମ୍ବାଦିକ ନିଜ ନିଜ ଘରୁ ରିପୋର୍ଟ ଲେଖୁଛନ୍ତି, ଡିଜିଟାଲ୍ ପୋର୍ଟାଲ୍‌ରେ ଖବର ପ୍ରସାରଣ ହେଉଛି। କମ୍ପାନିର ଆକାଉଣ୍ଟାଣ୍ଟମାନେ ଘରୁ ପରସ୍ପର ସାଙ୍ଗରେ ଯୋଗାଯୋଗ କରି ଆର୍ଥିକ କାଗଜପତ୍ର ବନାଉଛନ୍ତି। ସେହିପରି ବୈଜ୍ଞାନିକ, ଗବେଷକ, ସରକାରୀ ଅଧିକାରୀମାନେ ଫୋନ୍, ଇମେଲ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ମଧ୍ୟମ ବ୍ୟବହାର କରି, ସମନ୍ଵୟ ରଖି, ଅତି ଜରୁରୀ ଓ ଗୁରୁତ୍ଵପୂର୍ଣ୍ଣ କାମ କରୁଛନ୍ତି। ତେଣୁ ଏଭଳି ସମୟରେ କେମିତି ନିର୍ଭୁଲ ଭାବେ କାମ କରିବା?

କମ୍ୟୁନିକେସନ (Communication) – ସମନ୍ୱୟ

ଅଲଗା ଅଲଗା ଜାଗାରେ ରହି ଗୋଟିଏ ଦଳଗତ କାର୍ଯ୍ୟକୁ ଠିକ୍‌ ରୂପେ ପରିଚାଳିତ କରିବାର ପ୍ରଥମ ଆବଶ୍ୟକତା ହେଉଛି ଆବଶ୍ୟକ ସମ୍ପର୍କ ସ୍ଥାପନ ବା ଯାହାକୁ ଇଂଲିଶରେ କୁହାଯାଏ ପ୍ରପର୍‌ କମ୍ୟୁନିକେସନ୍।

୧) ଦଳଗତ ଆଲୋଚନା ବେଳେ ବିଭିନ୍ନ ନିଷ୍ପତ୍ତି ବା ପରାମର୍ଶକୁ ଲେଖି ରଖନ୍ତୁ। ବୈଠକ ବା ଆଲୋଚନା ସରିବା ପରେ ମିଭିନ୍ନ୍ ନିଷ୍ପତ୍ତି ବାବଦରେ ପୁଣି ଥରେ ପଚାରି ନିଅନ୍ତୁ। ଯଦି ଆପଣ ସେହି କଥାକୁ ଲେଖି ସମସ୍ତଙ୍କୁ ଇମେଲ୍ କିମ୍ବା ହ୍ଵାଟସ୍‌ଆପ୍ କରିଦେବେ ଖୁବ୍ ଭଲ। ଆପଣଙ୍କ ସାଥୀ, ସହଯୋଗୀ କିମ୍ବା ଉପରିସ୍ଥ ଅଫିସର ସେହି ଲେଖା ଦେଖି ସୁନିଶ୍ଚିତ ହୋଇପାରିବେ।

୨) କୌଣସି ବିଷୟ ଜରୁରୀ ହୋଇଥିଲେ ଫୋନ୍, ଇମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଜଣାନ୍ତୁ। ଉତ୍ତର ନ ପାଇଲେ ସାନି କଥା ହୁଅନ୍ତୁ।

୩) ଆପଣଙ୍କ ଉଦ୍ଦେଶ୍ୟରେ ଆସୁଥିବା ସବୁ ଇମେଲ୍,  ହ୍ଵାଟସ୍‌ଆପ୍ ମେସେଜ୍ ଏପରିକି ମିସ୍ କଲ୍‌ର ଉତ୍ତର ଦିଅନ୍ତୁ।

୪) ଆବଶ୍ୟକ ହେଲେ ପ୍ରଶ୍ନ ପଚାରନ୍ତୁ, ମନର ସଂଦେହ ଦୂର କରନ୍ତୁ। ଦ୍ଵିଧା କରନ୍ତୁ ନାହିଁ।

୫) ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାମ ଶେଷ ହେଲେ ବା ନିର୍ଦ୍ଧାରିତ ସମୟରେ ଶେଷ ନ ହେଲେ ଅନ୍ୟମାନଙ୍କୁ ଜଣାଇବାକୁ ଭୁଲନ୍ତୁ ନାହିଁ। କାରଣ ଆପଣଙ୍କ କଲ୍‌ ବା ଖବରକୁ କେହି ହୁଏତ ଅପେକ୍ଷା କରିଥିବେ।

୬) କୌଣସି ବିଷୟରେ ଭୁଲ ଥିବା ନେଇ ଫିଡବ୍ୟାକ୍ ଆସିଲେ ବା ତା’ର ସଂଶୋଧନ ବା ଉନ୍ନତି ଲାଗି ପରାମର୍ଶ ଆସିଲେ ତାହା ଚଟାପଟ ଦେଖନ୍ତୁ। ଭୁଲ ଥିଲେ ସଂଶୋଧନ କରନ୍ତୁ ଓ ତାହା କରିଦେଲେ ବୋଲି ଟିମ୍‌କୁ ଜଣାନ୍ତୁ। ଭୁଲ ନଥିଲେ ବା ସେ ବାବଦରେ ଆପଣଙ୍କର ଭିନ୍ନ ମତ ରହିଥିଲେ ତାହା ଉପସ୍ଥାପନ କରନ୍ତୁ।

କୋଲାବୋରେସନ (Collaboration) – ସହଯୋଗ

କୌଣସି ଦଳଗତ କାମ ବା ଟିମ୍ ୱାର୍କର ଆଉ ଏକ ବଡ଼ ଦିଗ ହେଉଛି ‘କୋଲାବୋରେସନ୍’ ବା ପରସ୍ପର ସହଯୋଗ। ଅର୍ଥାତ୍ ଟିମ୍‌ର ସଦସ୍ୟମାନେ ପରସ୍ପରକୁ ଯେତେ ସହଯୋଗ କରିବେ, କାମ ସେତେ ଶୀଘ୍ର, ଭଲ ଓ ସ୍ମାର୍ଟ ଭାବରେ ହୋଇପାରିବ।

୧) କୌଣସି କାମ ଲାଗି ଖସଡ଼ା ବା ଆଲୋଚନା ବେଳେ ଆପଣଙ୍କର ଦାୟିତ୍ଵ ବିଷୟରେ ଭଲକରି ଜାଣନ୍ତୁ।

୨) ଆପଣ କରୁଥିବା କାମ ଲାଗି ଅନ୍ୟଠାରୁ କ’ଣ ସାହାଯ୍ୟ ଆବଶ୍ୟକ ତାହା ଜାଣନ୍ତୁ। ସେହିପରି ଆପଣ ଆଉ ଜଣଙ୍କୁ କିଭଳି ସାହାଯ୍ୟ କରିପାରିବେ ସେ ବିଷୟରେ ମଧ୍ୟ ଚିନ୍ତା କରନ୍ତୁ। ଆବଶ୍ୟକ ହେଲେ ତାହା ଆପଣଙ୍କ ଟିମ୍‌ଲିଡରଙ୍କଠାରୁ ବୁଝିନିଅନ୍ତୁ।

୩) ଯଦି ଗୋଟିଏ ଦଳ ବା ଟିମ୍‌ରେ ପରସ୍ପରର କାମ ସିଧାସଳଖ ଭାବେ ଯୋଡ଼ା ହୋଇଥାଏ (ଯେମିତି ଗୋଟିଏ କାରଖାନାର ଆସେମ୍ବ୍ଲି ଲାଇନ୍) ବା ପରସ୍ପର ନିର୍ଭରଶୀଳ ହୋଇଥାଏ, ତେବେ ପୂରା ପ୍ରସେସ୍ ଜାଣନ୍ତୁ ଓ କାମ କଲାବେଳେ ପରସ୍ପର ସହ ତାଳମେଳ ରଖନ୍ତୁ।

୪) ଟେଲି କନଫରେନ୍ସିଂ, ହ୍ଵାଟସ୍‌ଆପ୍‌, ଭିଡିଓ ଚାଟ୍ କିମ୍ବା ଦଳର ସମସ୍ତଙ୍କୁ ଏକାଠି ଇମେଲ୍ କରି କାମର ଅଗ୍ରଗତି ବାବଦରେ ନିୟମିତ ଅପଡେଟ୍ କଲାବେଳେ ଦଳଗତ ସହଯୋଗ ବିଷୟରେ ଧ୍ୟାନ ଦିଅନ୍ତୁ।

୫) ଗୋଟିଏ କାମ କଲାବେଳେ ଆପଣ କୌଣସି କାରଣରୁ ଅଟକି ଯାଉଥିଲେ ଅନ୍ୟର ସାହାଯ୍ୟ ମାଗନ୍ତୁ। ଏଥିପାଇଁ ଦ୍ଵିଧା କରନ୍ତୁ ନାହିଁ। ସେହିପରି ଅନ୍ୟ ସାଥୀ ବା ସହଯୋଗୀଙ୍କୁ ଆପଣ ନିଜ ଆଡୁ ସହଯୋଗର ହାତ ବଢ଼ାନ୍ତୁ।

କନ୍ସେନ୍ଟ୍ରେସନ (Concentration) – ଏକାଗ୍ରତା

କୌଣସି ଦଳଗତ କାର୍ଯ୍ୟର ସଫଳତା ଟିମ୍‌ର ପ୍ରତ୍ୟେକ ବ୍ୟକ୍ତିଙ୍କ ଦକ୍ଷତା, ସହଯୋଗ ଓ ଏକାଗ୍ରତା ବା ଧ୍ୟାନ ଉପରେ ବିଶେଷ ନିର୍ଭର କରେ।

୧) ସମୟର ଚାପ (ଟାଇମ୍ ଲାଇନ୍), ଲମ୍ବା ସମୟ ପର୍ଯ୍ୟନ୍ତ କାମ ହେଉ ବା ଅନ୍ୟ କୌଣସି ଚାପ ଭିତରେ କାମ କରୁଥିଲେ ମଧ୍ୟ ନିଜର କାମ ଉପରେ ପୂରା ଧ୍ୟାନ ଦିଅନ୍ତୁ।

୨) ଗୋଟିଏ ଜରୁରୀ ବା ଜଟିଳ କାମ କଲାବେଳେ ଅନ୍ୟମାନଙ୍କ କଥାବାର୍ତ୍ତା, ମୋବାଇଲ୍ ଫୋନ୍ ବା କିଛି ଜିନିଷ ଦ୍ଵାରା ଧ୍ୟାନ ରଖନ୍ତୁ ନାହିଁ। ଯଦି ନିହାତି ଆବଶ୍ୟକ ମନେକରନ୍ତି ତେବେ ଅନ୍ୟମାନଙ୍କୁ ବିନୀତର ସହ ଜଣାଇ ସେମାନଙ୍କର ସହଯୋଗ ମାଗନ୍ତୁ। ତେବେ କେତେକ କ୍ଷେତ୍ରରେ ଗହଳିରେ କାମ କରିବାକୁ ପଡ଼ିଥାଏ (ଯେମିତି କି କୌଣସି କଂଟ୍ରୋଲ୍‌ ରୁମ କିମ୍ବା କୌଣସି ମିଡିଆହାଉସ୍‌ର ନ୍ୟୁଜ୍‌ରୁମ୍‌)। ତେଣୁ ନିଜେ କିପରି ଧ୍ୟାନ ରଖିପାରିବେ ସେ ଦିଗରେ ରାସ୍ତା ବାହାର କରିନଅନ୍ତୁ।

୩) ଡର, ଆଶଙ୍କା, କାହାର ଚାପ କଥା ଭାବି କେବେ ଭୁଲ କରି ବସନ୍ତୁ ନାହିଁ। ସାମୟିକ ଚାପ ଅନୁଭବ କରୁଥିଲେ ୧୦-୧୫ ମିନିଟ୍ କାମ ବନ୍ଦ କରିଦିଅନ୍ତୁ। ପୁଣି ଫେରିଆସି କାମ କରନ୍ତୁ। ମନେରଘନ୍ତୁ ଯେ, ମଝିରେ ମଝିରେ ମନ ବିଚଳିତ ହେବା ବା ଧ୍ୟାନ ଭଂଗ ହେବା ଏକ ସାଧାରଣ କଥା।

୪) ଆପଣ ଯେତେ ନନ୍-ଲିନିଅର (ଗୋଟିଏ କାମ ବା ବିଷୟରେ ସିଧାସଳଖ ନଯାଇ ଏପଟ ସେପଟ କରିବା ବା ଯେ କୌଣସି ପଏଣ୍ଟରୁ ହଠାତ୍ ଅନ୍ୟ କୌଣସି ଯେ କୌଣସି ପଏଣ୍ଟକୁ ଯିବା) ଷ୍ଟାଇଲ୍‌ରେ କାମ କରିପାରୁଥିଲେ ମଧ୍ୟ, ମଝିରେ ମଝିରେ ଲିନିଅର୍‌ ଏବଂ ଲଜିକାଲ୍‌ ଧାରାରେ ନିଜ କାମକୁ ଦେଖନ୍ତୁ। ଆପଣଙ୍କ କାମରେ କୌଣସି ତ୍ରୁଟିଥିଲେ ଏହା ସୁଧାରିବାରେ ସାହାଯ୍ୟ କରିବ। ତା’ ସାଙ୍ଗକୁ କୌଣସି କାମକୁ ନେଇ ଆପଣଙ୍କଣ ମୁଣ୍ଡବିନ୍ଧା ହେଉଥିଲେ ବା ଅଡୁଆ ସୂତା ରହିଥିଲେ ତାହା ମଧ୍ୟ ସମାଧାନ ହୋଇପାରିବ।

୫) ବାହାରେ, ଭିଡ଼ ଭିତରେ, ଅଫିସ୍‌ରେ ସହଯୋଗୀମାନଙ୍କ ହଲ୍‌ଚଲ୍‌ ଭିତରେ କିମ୍ବା ଘରେ କାମ କଲାବେଳେ ଟିଭିର ସାଉଣ୍ଡ ଭିତରେ ଆପଣ କିଭଳି ନିଜର ଧ୍ୟାନ ବଜାୟ ରଖିବେ ସେ ରାସ୍ତା ବାହାର କରନ୍ତୁ। ଆପଣଙ୍କ ମନ ଯେତେ ଶାନ୍ତ ରହିବ ଓ କାମରେ ଯେତେ ଫୋକସ୍ ରହିବ ଆପଣଙ୍କ ଧ୍ୟାନ ସେତେ ଭଲ ରହିବ।

 (ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Source- www.chakiri.plus

Comment