ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାନ୍ତାଳୀ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅଲ୍‌ଚିକି ଲିପି ସୃଷ୍ଟି କରି ସ୍ମରଣୀୟ ହୋଇ ରହିଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ।

ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ତଥା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଆଜି ଜନ୍ମ ବାର୍ଷିକୀ। ମୟୂରଭଞ୍ଜ ଜିଲ୍ଲାର ଦାଣ୍ଡବସ୍‌ ଗାଁରେ ୧୯୦୫ରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ମୁର୍ମୁ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଯେଉଁ ପଦକ୍ଷେପ ନେଇଥିଲେ ତାହା ଚିର ସ୍ମରଣୀୟ ହୋଇ ରହିଛି।

ସାନ୍ତାଳୀ ସମାଜ, ପରମ୍ପରା, ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଯେଉଁ ଅବଦାନ ରହିଛି ତାହା ଆଜି ବି ଅଭୁଲା ହୋଇ ରହିଛି। ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ମୟୂରଭଞ୍ଜ ରାଜ୍ୟ ଆଦିବାସୀ ମହାସଭା ପକ୍ଷରୁ ତାଙ୍କୁ ‘ଗୁରୁ ଗମ୍‌କେ’ ଉପାଧିରେ ସମ୍ମାନିତ କରାଯାଇଥିଲା।

‘‘ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସଂପ୍ରଦାୟରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଅଲ୍‌ଚିକି ଲିପି ସୃଷ୍ଟି କରି ସେ ସ୍ମରଣୀୟ ହୋଇ ରହିଛନ୍ତି। ଭାରତୀୟ ଭାଷାରେ ସାନ୍ତାଳୀ ଭାଷାକୁ ସ୍ୱତନ୍ତ୍ର ସ୍ଥାନ ଦେବାରେ ସେ ଅକ୍ଲାନ୍ତ ଉଦ୍ୟମ କରିଥିଲେ। ଅଲ୍‌ଚିକି ଲିପି ସୃଷ୍ଟି ହେବା ଫଳରେ ସାନ୍ତାଳୀ ସଂପ୍ରଦାୟର ଲୋକମାନେ ସୋମନଙ୍କର ଭାଷାର ମହତ୍ତ୍ୱକୁ ବୁଝି ପାରିଛନ୍ତି। ପଣ୍ଡିତ ମୁର୍ମୁ ରଚନା କରିଥିବା ନାଟକ ‘ବିଦୁ ଚାନ୍ଦାନ’ ଆଜିର ଦିନରେ ଅନେକ ମହତ୍ତ୍ୱ ରଖିଛି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

ଆଦିବାସୀ ଭାଷାର ମୌଖିକ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଉପଯୁକ୍ତ ଲିପିର ଅଭାବ ରହିଥିଲା। ଏହି ଆବଶ୍ୟକତାକୁ ଅନୁଭବ କରି ଆଗେଇ ଆସିଥିଲେ ପଣ୍ଡିତ ରଘୁନାଥ ମୁର୍ମୁ। ଗଭୀର ଅନୁଶୀଳନ ପରେ ସେ ଅଲ୍‌ଚିକି ଲିପିର ସୃଷ୍ଟି କରିପାରିଥିଲେ। ଫଳରେ ତାଙ୍କ ମାତୃଭାଷାର ପ୍ରଚାର ପ୍ରସାର ହୋଇପାରିଥିଲା।

୧୯୩୫-୩୬ ମସିହାରେ ୩୦ ଅକ୍ଷର ବିଶିଷ୍ଟ ଅଲ୍‌ଚିକି ଲିପି ସୃଷ୍ଟି କରିଥିଲେ ପଣ୍ଡିତ ମୁର୍ମୁ। ତାଙ୍କର ବିଚକ୍ଷଣ ପାଣ୍ଡିତ୍ୟ ଏବଂ ଧୀଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ବିହାର ରାଜ୍ୟରେ ରହୁଥିବା ସାନ୍ତାଳୀ ଆଦିବାସୀମାନେ ଏହି ଲିପିକୁ ଅଗ୍ରହର ସହ ଅଗ୍ରହଣ କରିନେଇଥିଲେ। ଫଳରେ ସାନ୍ତାଳୀ ସାହିତ୍ୟର ନବକଳେବର ସମ୍ଭବ ହୋଇଥିଲା।

‘‘ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ପଣ୍ଡିତ ମୁର୍ମୁଙ୍କର ଯେଉଁ ଅବଦାନ ତାହା ସାରା ବିଶ୍ୱରେ ପଟ୍ଟାନ୍ତର ନାହିଁ। ସାନ୍ତାଳୀ ଭାଷା ଥିଲା, ହେଲେ ତାର ଲିପି ନଥିଲା। ଅଲ୍‌ଚିକି ଲିପି ସୃଷ୍ଟି କରି ସେ ସାନ୍ତାଳୀ ଭାଷାକୁ ସମୃଦ୍ଧ କରିଛନ୍ତି। ଆଧୁନିକ ସମୟରେ ଏହା ଏକ ବିରଳ ସୃଷ୍ଟି। ଭାରତ ବର୍ଷର ସାନ୍ତାଳୀ ଭାଇ ଭଉଣୀମାନେ ତାଙ୍କୁ ଯେତିକି ସମ୍ମାନ ଦିଅନ୍ତି ଓଡ଼ିଶାବାସୀ ମଧ୍ୟ ତାଙ୍କୁ ସେତିକି ଶ୍ରଦ୍ଧା କରନ୍ତି। ତାଙ୍କର ଏହି ଅବଦାନ ପାଇଁ ସେ ସାରା ଭାରତରେ ସ୍ମରଣୀୟ ହୋଇ ରହିବେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ପଣ୍ଡିତ ରଘୁନାଥ ମୁର୍ମୁ ଜଣେ ବିଶିଷ୍ଟ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ‘ଦାଳେଗେ ଧନ’, ‘ଖେରୱାଳ୍‌ ବୀର’, ‘ବିଦୁ ଚାନ୍ଦାନ’ ଆଦି ନାଟକ ରଚନା କରି ସେ ସାନ୍ତାଳୀ ନାଟ୍ୟ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ। ପଣ୍ଡିତ ମୁର୍ମୁ ସୃଷ୍ଟି କରିଥିବା ଅଲ୍‌ଚିକି ଲିପିକୁ ପରବର୍ତ୍ତୀ ସମୟରେ ଭାଷାତତ୍ତ୍ୱ ବିଶାରଦମାନେ ବିଜ୍ଞାନସମ୍ମତ ଲିପି ଭାବେ ଗ୍ରହଣ କରିଥିଲେ।

ସାନ୍ତାଳୀ ଭାଷାର ଲିପି ଅଲ୍‌ଚିକିକୁ ପଶ୍ଚିମବଙ୍ଗ ସରକାର ୧୯୭୯ ମସିହା ଜୁଲାଇ ୫ ତାରିଖରେ ସରକାର ଭାଷାର ମାନ୍ୟତା ପ୍ରଦାନ କରିଥିଲେ। ଝାଡ଼ଖଣ୍ଡର ରାଞ୍ଚି ବିଶ୍ୱବିଦ୍ୟାଳୟରେ ସାନ୍ତାଳୀ ଭାଷା, ସାହିତ୍ୟର ଅଧ୍ୟୟନ ନିମନ୍ତେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ଏହାସହ ଏହି ଲିପି ମାଧ୍ୟମରେ ଆଦିବାସୀ ସାହିତ୍ୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

‘‘ପଣ୍ଡିତ ରଘୁନାଥ ମୁର୍ମୁ ଭାରତର ଭାଷା, ସାହିତ୍ୟ ଜଗତରେ ଚିର ପରିଚିତ। ତାଙ୍କ ମତରେ ସାନ୍ତାଳୀ ଜାତି ସ୍ୱାଭିମାନର ସହ ବଞ୍ଚି ରହିବାକୁ ହେଲେ ତାର ଲିପି, ଧର୍ମ, ଭାଷା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେବ। ସେ ବାରିପଦା ଉଚ୍ଚବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଅଲ୍‌ଚିକି ଲିପିର ସୃଷ୍ଟି କରିଥିଲେ। ପରେ ସେ ଅଲ୍‌ଚିକି ଲିପିରେ ପୁସ୍ତକ ଛାପିବା ଅକ୍ଷର ତିଆରି କରି ଟାଟା ନଗରଠାରେ ପ୍ରେସ୍‌ ଖୋଲିଥିଲେ। ଏହି ପ୍ରେସ୍‌ରେ ସେ ତାଙ୍କ ରଚିତ ପୁସ୍ତକ ଛାପିଥିଲେ। ଏହାସହ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଇରଙ୍ଗପୁରଠାରେ ଆସିକା ନାମରେ ଏକ ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ପରେ ବିହାର, ପଶ୍ଚିମବଙ୍ଗ ଏବଂ ଆସାମରେ ଖୋଲା ଯାଇଥିଲା’’, କହିଛନ୍ତି ଗବେଷକ ତଥା ଅବସରପ୍ରାପ୍ତ ପ୍ରଶାସକ ଉଦୟନାଥ ମାଝି।

ପଣ୍ଡିତ ମୁର୍ମୁଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ନୂତନ ଭାବରେ ଉଦ୍‌ଭାବିତ ଅଲ୍‌ଚିକି ଲିପି ମାଧ୍ୟମରେ ସାନ୍ତାଳୀ ତଥା ଆଦିବାସୀ ସଂସ୍କୃତି ସାହିତ୍ୟର ଯଥେଷ୍ଟ ବିକାଶ ସାଧିତ ହୋଇପାରିଛି। ଏହି ସଫଳତା ପାଇଁ ପଣ୍ଡିତ ମୁର୍ମୁ କାଳଜୟୀ ହୋଇ ରହିଛନ୍ତି।

‘‘ପଣ୍ଡିତ ରଘୁନାଥ ମୁର୍ମୁ ଅଲ୍‌ଚିକି ଲିପି ଉଦ୍‌ଭାବନ କରି ସାନ୍ତାଳୀ ଭାଷା ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିଥିଲେ। ଭାରତୀୟ ଭାଷା, ସାହିତ୍ୟ ଜଗତକୁ ପଣ୍ଡିତ ମୁର୍ମୁଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ। ସାନ୍ତାଳୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସ୍ଵତନ୍ତ୍ର ଲିପି ସୃଷ୍ଟି କରି ପଣ୍ଡିତ ମୁର୍ମୁ କାଳଜୟୀ ହୋଇ ରହିଛନ୍ତି’’ କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।

୧୯୮୨ ମସିହା ଫେବ୍ରୁଆରି ୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ସାନ୍ତାଳୀ ଭାଷାର ପ୍ରସାର ପ୍ରଚାର ପାଇଁ ପଣ୍ଡିତ ମୁର୍ମୁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ତାଙ୍କୁ ନିଶ୍ଚିତ ରୂପେ ସ୍ମରଣୀୟ କରି ରଖିବ।

LEAVE A REPLY

Please enter your comment!
Please enter your name here