ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭକ୍ତ ନିବାସରେ ରହିବେ ମହାରଣା ସେବାୟତ
  • ସବୁ ସେବାୟତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା
  • ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରିବେ ସେବାୟତ

୧୨ ଦିନ ବିଳମ୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଛି। ରଥ ଖଳାରେ ମହାରଣା ସେବାୟତମାନେ ରଥ ନିର୍ମାଣରେ ଲାଗିପଡ଼ିଛନ୍ତି। ତେବେ ବିଧି ବିଧାନ ଅନୁସାରେ ଯେଉଁ ତିଥିରେ ଯାହା ହେବା କଥା ତାହା କେମିତି ହେବ ତାକୁନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଛି।

ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ହେବା ପରେ ରଥ ନିର୍ମାଣ ଆରମ୍ଭ ହୋଇଥାଏ। ହେଲେ ଲକ୍‌ଡାଉନ୍‌ ନିୟମ ଯୋଗୁଁ ରଥ ନିର୍ମାଣ ଆରମ୍ଭ ହୋଇ ନଥିଲା। କେବଳ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହୋଇଥିଲା।

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମ ଶେଷ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ। ହେଲେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନନେଇ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ। କେନ୍ଦ୍ର ସରକାର ରଥ ନିର୍ମାଣ କାମକୁ ଅନୁମତି ଦେବା ସହ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଥିଲେ।

କେନ୍ଦ୍ର ସରକାରଙ୍କ ଅନମୁତି ପରେ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏପଟେ ମହାରଣା ସେବାୟତଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଯେଉଁ ମହାରଣା ସେବକମାନେ ରଥ ନିର୍ମାଣରେ ଲାଗିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି। ଏହି ସେବାୟତମାନଙ୍କୁ ଭକ୍ତ ନିବାସରେ ରଖାଯିବ। ସେଠାରେ ହିଁ ସେମାନଙ୍କର ଖାଇବା ପିଇବା ବ୍ୟବସ୍ଥା କରାଯିବ।

ଭକ୍ତ ନିବାସରୁ ରଥଖଳା ଯାଏଁ ସ୍ୱତନ୍ତ୍ର ବସ୍‌ରେ ମହାରଣା ସେବାୟତମାନେ ଯିବା ଆସିବା କରିବେ।

୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଶେଷ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରଥ ନିର୍ମାଣ କାମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ହେଲେ ନିର୍ମାଣ କାମ ଠିକ୍‌ ସମୟରେ ଶେଷ ହେଉଛି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

Comment