ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅଂଶୁମାନ କମିଳା

 ଭାରତୀୟ ଅର୍ଥନୀତି ସେବାରେ ଦେଶରେ ପ୍ରଥମ ସ୍ଥାନ ପାଇ ରାଜ୍ୟର ଯୁବପିଢ଼ି ପାଇଁ ପାଲଟିଛନ୍ତି ପ୍ରେରଣା।

“ଜଣେ ଭଲ ପ୍ରଶାସକ କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇବା ଠିକ୍‌ ନୁହେଁ। ରାଜନୈତିକ ଚାପ କିମ୍ଵା ଅନ୍ୟ କୌଣସି ଚାପର ବଶବର୍ତ୍ତି ହେବା ଉଚିତ ନୁହେଁ। ଚାପ ଯୋଗୁଁ ମୁଁ ଲୋକମାନଙ୍କର ସେବା କରିପାରୁନାହିଁ ବୋଲି ସବୁବେଳେ କହିବା ଠିକ ନୁହେଁ’’, କହିଛନ୍ତି ଅଂଶୁମାନ କମିଳା।

ଭାରତୀୟ ଅର୍ଥନୈତିକ ସେବା(ଆଇଇଏସ୍‌) ପରୀକ୍ଷାରେ ସର୍ବଭାରତୀୟ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କମିଳା। ବିନା କୋଚିଂରେ ସେ ଏହି ସଫଳତା କେମିତି ପାଇଲେ ଏବଂ ତାଙ୍କ ଷ୍ଟ୍ରାଟେଜି ବିଷୟରେ ଚାକିରି ପ୍ଲସ୍‌କୁ ସାକ୍ଷାତକାର ଦେଇ କହିଛନ୍ତି।

ଅଂଶୁମାନ ହେଉଛନ୍ତି ପୂର୍ବତନ ମୁଖ୍ୟ ମହାଡାକପାଳ ସନ୍ତୋଷ କମିଳା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଉତ୍କଳ ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲରେ ଦ୍ଵାଦଶ ପାସ୍‌ କରିଥିଲେ।ଏହାପରେ ସେ ଦିଲ୍ଲୀର ଷ୍ଟିଫେନ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ସେହିପରି ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ସ୍ନାତକୋତ୍ତର କରିବା ସହ ଜେଏନ୍‌ୟୁରେ ଏମ୍‌ଫିଲ କରୁଥିଲେ। ବର୍ତ୍ତମାନ ସେ ମୁମ୍ଵାଇସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅର୍ଥନୀତି ଓ ନୀତି ନିର୍ଦ୍ଧାରଣ ଗବେଷଣା ବିଭାଗର ମ୍ୟାନେଜର ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

ସବୁଦିନ କିଛି ନା କିଛି ପଢ଼ିବା ଦରକାର

୨୦୧୯ ଆଇଇଏସ୍‌ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ କମିଳା ସାରା ଭାରତରେ ୧ ନମ୍ଵର ସ୍ଥାନ ହାସଲ କରିଛନ୍ତି।

‘‘ପରୀକ୍ଷା ଠିକ୍ ପୂର୍ବରୁ ପାଠପଢା ପ୍ରତି ଆଗ୍ରହ ଦେଖାଇବା ଏବଂ  ଅଧିକ ସମୟ ଧରି ପଢିବାକୁ ଚେଷ୍ଟା କରିବା ଏକ ଭୁଲ ଅଭ୍ୟାସ। ସେହିପରି ପରୀକ୍ଷାର ଯଥେଷ୍ଟ ସମୟ ପୂର୍ବରୁ, ବହୁତଗୁଡ଼ିଏ ସମୟ ହାତରେ ଅଛି ବୋଲି ଭାବି ଅଳ୍ପ ଅଳ୍ପ ପଢ଼ିବା ବା ଢିଲା ମାରିବାର ଅଭ୍ୟାସ ମଧ୍ୟ ଠିକ ନୁହେଁ। ସବୁଦିନ କିଛି କିଛି ସମୟ ପାଠପଢ଼ା ପାଇଁ କାଢ଼ିବା ଦରକାର’’, କହିଛନ୍ତି ଅଂଶୁମାନ।

‘‘ତୃତୀୟ ଥରରେ ସଫଳ ହେଲି’’

ସର୍ବଭାରତୀୟ ସ୍ତରରେ ଟପ୍ପର ହେବା ଅଂଶୁମାନଙ୍କ କ୍ଷେତ୍ରରେ ଏତେ ସହଜ ନଥିଲା। ସେ ଦୁଇ ଥର ବିଫଳ ହେବା ପରେ ତୃତୀୟ ଥରରେ ସଫଳ ହୋଇଥିଲେ।

‘‘ମୁଁ ଅର୍ଥନୀତି ସଂପର୍କିତ ବିଭିନ୍ନ ଜର୍ନାଲ୍, ରିସର୍ଚ୍ଚ ପେପର୍, ଟେଷ୍ଟ୍ ବୁକ୍, ନ୍ୟୁଜ ପେପର ଆର୍ଟିକିଲ୍ ଆଦି ନିୟମିତ ଭାବରେ ପଢୁଥିଲି। ୟୁ-ଟ୍ୟୁବରେ ବିଶେଷଜ୍ଞମାନଙ୍କର ଭିଡିଓ ମଧ୍ୟ ଦେଖୁଥିଲି। ଅର୍ଥନୀତି କିମ୍ଵା ଅନ୍ୟ କୌଣସି ବିଷୟ ଏତେ ସହଜ ନୁହେଁ। ତେଣୁ ନିଜ ନିଜ ବିଷୟକୁ ଆଗ୍ରହର ସହିତ ପଢିବା ଦରକାର’’,  କହିଛନ୍ତି ଅଂଶୁମାନ।

ଅଂଶୁମାନ ନିର ସଫଳତାର ଶ୍ରେୟ ବାପା, ମା’, ଅଜା, ଗୁରୁଜନ, ଶିକ୍ଷକ, ସାଙ୍ଗସାଥୀମାନଙ୍କୁ ଦେଇଛନ୍ତି। ଅର୍ଥନୀତିରେ ମା’ ଓ ବାପାଙ୍କଠାରୁ ଅନେକ ପ୍ରେରଣା ପାଇଛି ବୋଲି କହିଛନ୍ତି ଅଂଶୁମାନ୍।

 

ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆସିବ

ସାରା ବିଶ୍ଵ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଥିବା ବେଳେ, ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି। ଆଗକୁ ଏଥିରେ ସୁଧାର ଆସିବ ଏବଂ ଦେଶ ଏହି ପରିସ୍ଥିତିରୁ ମୁକୁଳିବ ବୋଲି କହିଛନ୍ତି ଅଂଶୁମାନ୍।

ଆଇଇଏସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଭଲ କରିବେ

ଅର୍ଥନୀତି ବିଷୟରେ ତିଆରି ହୋଇଥିବା ଓଡ଼ିଶାର ନୂଆ ସିଲାବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଓଡ଼ିଶାର ସିଲାବସ୍ ଓ ଦେଶର ଅନ୍ୟାନ୍ୟ ଭଲ ସିଲାବସଗୁଡ଼ିକ ଭିତରେ ଆଉ ଆଗ ଭଳି ଫରକ୍ ନାହିଁ ବୋଲି କୁହନ୍ତି ଅଂଶୁମାନ୍। ସବୁଦିନ ନିଜକୁ ପ୍ରସ୍ତୁତ କରିବା ପାଇଁ ସମୟ କାଢିଲେ ଆଇ.ଇ.ଏସ୍‌ ପରୀକ୍ଷାରେ ଆଗକୁ ଓଡ଼ିଆଙ୍କ ସଂଖ୍ୟା ନିଶ୍ଚିତ ବଢ଼ିବ ବୋଲି ଆଶା ପ୍ରକଟ କରିଛନ୍ତି ଅଂଶୁମାନ।

ଚାକିରି ପ୍ଲସ୍‌ର ପାଠକମାନଙ୍କୁ ଅଂଶୁମାନଙ୍କ ଅନୁଭୂତି ଓ ମାର୍ଗଦର୍ଶନ ନିଶ୍ଚିତ ଭାବରେ ଆଗକୁ ବଢିବାରେ ସହାୟକ ହେବ।

Comment