ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରଥ ନିର୍ମାଣରେ ଲାଗିଛନ୍ତି ୧୪୮ ଜଣ ମହାରଣା, କମାର ଓ ଭୋଇ ସେବାୟତ
  • ଭକ୍ତ ନିବାସରେ ରହିବା, ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା
  • ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରୁଛନ୍ତି ସେବାୟତ
  • ରଥଖଳାରେ ସାନିଟାଇଜର, ହ୍ୟାଣ୍ଡ ୱାସ୍‌ ବ୍ୟବହାର କରିବାକୁ ପରାମର୍ଶ

ମୁହଁରେ ମାସ୍କ, ହାତରେ ବାରିସି, କରତ ଏବଂ ନିହାଣ ଧରି ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ରଥ ଖଳାରେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥ ଖଳାରେ ପୂରା ସତର୍କତାର ସହ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ। ଯେଉଁ ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ସେମାନଙ୍କୁ କରୋନାଠାରୁ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଉଛି।

ଚଳିତବର୍ଷ କରୋନା ସଙ୍କଟ ପାଇଁ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା, ଭୋଇ ସେବାୟତମାନେ ରଥ ନିର୍ମାଣରେ ଲାଗିପଡ଼ିଛନ୍ତି। କରୋନା ପାଇଁ ରଥ ଖଳାରେ ପୂରା ସତର୍କତା ଅବଲମ୍ବନ କରାଯାଇଛି। ରଥ ଖଳାକୁ ଚାରିପଟେ ଘେର ଦିଆଯାଇଛି। ସାଧାରଣ ଲୋକ ଯେମିତି ରଥ ଖଳାକୁ ପ୍ରବେଶ କରି ନପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ପ୍ରଶାସନ। ଏପରିକି ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିବା ସେବାୟତମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି।

୧୪୮ ଜଣ ମହାରଣା ଏବଂ ଭୋଇ ସେବାୟତମାନଙ୍କ ରହିବା ପାଇଁ ପୁରୀ ଭକ୍ତ ନିବାସରେ ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସେବାୟତମାନେ ସ୍ବତନ୍ତ୍ର ବସରେ ରଥ ଖଳାକୁ ଆସୁଛନ୍ତି ଏବଂ ରଥ ଖଳାରୁ ଭକ୍ତ ନିବାସକୁ ଯାଉଛନ୍ତି।

ରଥ ଖଳାରେ ପ୍ରବେଶ ଓ ପ୍ରସ୍ଥାନ କରିବା ବେଳେ ସେବାୟତମାନଙ୍କର ଥର୍ମାଲ ଗନ୍ ଜରିଆରେ ସ୍କ୍ରିନିଂ କରାଯାଉଛି। ବାରମ୍ବାର ସାନିଟାଇଜର ଏବଂ ହ୍ୟାଣ୍ଡ ୱାସ୍ ଜରିଆରେ ଭଲଭାବେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି।

ରଥ ଖଳାରେ ସାମାଜିକ ଦୂରତା ରକ୍ଷା ଉପରେ ପଦକ୍ଷେପ ନିଆଯାଇଛି। ସେବାୟତମାନେ ୧ ମିଟର ଦୂରତାରେ ରଥ ନିର୍ମାଣ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତିବର୍ଷ ଏହି ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଭିତରେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ମହାରଣା ଓ ଭୋଇ ସେବାୟତମାନଙ୍କୁ ଏକ ନୂଆ ଅନୁଭୂତି ଦେଇଛି।

ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। କରୋନା ପାଇଁ ରଥ ନିର୍ମାଣ ହେବ କି ନାହିଁ ତାହା ଦ୍ୱନ୍ଦ୍ୱରେ ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଅକ୍ଷୟ ତୃତୀୟାରେ ରଥ ଖଳାରେ ରଥକାଠ ଅନୁକୂଳ ନହୋଇ ଶ୍ରୀମନ୍ଦିର ପରିସରରେ ହୋଇଥିଲା।

ଶେଷରେ କେନ୍ଦ୍ର ସରକାର ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଥିଲେ। ଫଳରେ ରଥ ନିର୍ମାଣ କାର୍ଯ୍ୟ ରଥଖଳାରେ ଆଗେଇ ଚାଲିଛି। ହେଲେ ରଥଯାତ୍ରା ହେବା ନହେବା ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ପୁରୀ ଗ୍ରୀନ୍‌ ଜୋନ୍‌ରେ ରହିଥିଲା। ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ନୂଆ କେସ୍‌ ଏହି ଜିଲ୍ଲାରୁ ଆସି ନଥିଲା। ପୁରୀ ଗ୍ରୀନ୍‌ ଜୋନ୍‌ରେ ରହିଥିବାରୁ ରଥଯାତ୍ରା ପାଇଁ ବାଟ ଫିଟିଥିଲା। ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତ ୪ ତାରିଖରେ ପୁରୀ ଜିଲ୍ଲାରୁ ୨ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗ୍ରୀନ୍‌ ଜୋନରୁ ପୁରୀ ଅରେଞ୍ଜ ଜୋନକୁ ଆସିଛି। ଫଳରେ ରଥଯାତ୍ରା କେମିତି ହେବ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

Comment