ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାମ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି କୋର୍ଟ ଏହି ନିର୍ଦ୍ଦଶ ଦେଇଛନ୍ତି। ଆଇନଜୀବୀ ବିଭୁତି ଭୂଷଣ ପ୍ରଧାନ ରଥ ନିର୍ମାଣକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ଲକ୍‌ଡାଉନ୍‌ ନିୟମ ଯୋଗୁଁ ଚଳିତବର୍ଷ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇପାରି ନଥିଲା। ବିଧି ରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହୋଇଥିଲା। ହେଲେ ରଥ ନିର୍ମାଣ କାମ ଆରମ୍ଭ ହୋଇ ନଥିଲା।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ରଥ ନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ହେଲେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି।

ରଥଖଳାରେ ୧୪୮ ଜଣ ମହାରଣା, କମାର ଏବଂ ଭୋଇ ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ଗତକାଲି ତୁମ୍ବ ନିର୍ମାଣ ଶେଷ ହୋଇଛି। ମହାରଣା ଏବଂ ଭୋଇ ସେବାୟତଙ୍କୁ ଭକ୍ତ ନିବାସରେ ରଖାଯାଇଛି। ସେମାନଙ୍କୁ ସ୍ବତନ୍ତ୍ର ବସ୍‌ରେ ରଥଖଳାକୁ ଅଣାଯାଉଛି ଏବଂ ନିଆଯାଉଛି।

ଜୁନ୍‌ ୨୩ରେ ରଥଯାତ୍ରା ପଡୁଛି। ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comment