ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲକଡାଉନ୍ କାରଣରୁ ଏବେ ଶହ ଶହ ପ୍ରବାସୀ ଶ୍ରମିକ ନିଜ କାମରୁ ବାହାରିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି। ନା ଘରକୁ ଫେରି ପାରୁଛନ୍ତି ନା ବାହାର ରାଜ୍ୟରେ କାମ ଖଣ୍ଡିଏ ପାଇପାରୁଛନ୍ତି। ଜୀବନ ଓ ଜୀବିକା ମଧ୍ୟରେ ଯୁଝୁଥିବା ଏମିତି ଜଣେ ଶ୍ରମିକ ଶେଷରେ ଅନ୍ୟ କିଛି ଉପାୟ ନପାଇ ନିଜ ଜୀବନ ହାରିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ହରିୟାଣାରେ ଆତ୍ମହତ୍ୟା କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା କାଟଣାବଣିଆ ପଞ୍ଚାୟତର ବାଜପୁର ଗାଁରେ ଏବେ ଶୋକାକୁଳ ପରିବେଶ। ଏହି ଗାଁର ଗଙ୍ଗାଧର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ହରିୟାଣାର ଜମୁନାନଗର ଅଞ୍ଚଳରେ ଏକ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗଙ୍ଗାଧର ୬ ମାସ ତଳେ ହରିୟାଣାର ଜମୁନାନଗର ଯାଇଥିଲେ। ସେଠାରେ ସେ ଡିକୋ ପ୍ଲାଏଉଡ୍ କମ୍ପାନିରେ କାମକରୁଥିଲେ। ତାଙ୍କ ସହ ସେହି ଗାଁର ଅନ୍ୟ କେତେଜଣ ଯୁବକ ମଧ୍ୟ ସେଠାରେ କାମ କରୁଥିଲେ। ହେଲେ  କରୋନା ଯୋଗୁ ସବୁ ଲକଡାଉନ ହୋଇଯିବାପରେ କମ୍ପାନି ଗେଟରେ ତାଲାପକାଇ ଦେଲା। ଶ୍ରମିକମାନଙ୍କୁ  ମଧ୍ୟ କାମରୁ ଛଟେଇ କରିଦେଇଥିଲା ଫଳରେ କାମ ନପାଇ ଦୁଇ  ଗଙ୍ଗାଧର  ଓ ତାଙ୍କର ସାଥୀମାନେ ଭୋକ ଉପାସରେ ଦିନ କାଟୁଥିଲେ।

ସେଠାକାର ସରକାର ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ ବୋଲି ସେମାନେ ଅଭିଯୋଗ କରି ଆସୁଥିଲେ। ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେମାନେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ। ନଚେତ୍ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ତେବେ ଆଜି ଏହି କଥାକୁ ସତ କରିଦେଇଛନ୍ତି ବାଜପୁର ଗାଁର ଗଙ୍ଗାଧର ବିଶ୍ୱାଳ। ସେଠାକାର ଏକ ଗଛରେ ସେ ବେକରେ ପାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣା ଶୁଣିବା ପରେ ଏବେ ତାଙ୍କ ପରିବାରରେ ଶୋକାକୁଳ ପରିବେଶ ଛାଇ ଯାଇଛି। ଗଙ୍ଗାଧାରଙ୍କ ଘରେ ବୁଢି ମା, ପତ୍ନୀ ଆଉ ଦୁଇ ଛୋଟଛୋଟ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁଅ ଦିବ୍ୟାଙ୍ଗ। ଗଙ୍ଗାଧରଙ୍କ ଏକମାତ୍ର ରୋଜଗାରରେ ତାଙ୍କ ଗରିବ ପରିବାରର ଗୁଜୁରାଣ ମେଣ୍ଟୁଥିଲା। ଏବେ ତାଙ୍କର ଆତ୍ମହତ୍ୟା ପରେ ଏହି ପରିବାରର ଦଃଖ ଆହୁରି ବଢ଼ିଯାଇଛି।

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏହି ଦୁଃଖଦ ଖବର ପାଇ ମର୍ମାହତ ହୋଇଛନ୍ତି। ମୃତ ଗଙ୍ଗାଧରଙ୍କ ପରିବାରକୁ ଭେଟିବାକୁ ରାଜକନିକା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୋକସନ୍ତପ୍ତ ପରିବାରଙ୍କ ନିକଟକୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପଠାଇଛନ୍ତି । ଏଥିସହିତ ହରିୟାଣା ରାଜ୍ୟର ସମ୍ପୃକ୍ତ ଜିଲ୍ଲାପାଳଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ସେଠାକାର ଜିଲ୍ଲାପାଳ ଏହି ଘଟଣାରେ ତଦନ୍ତ କରିବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସେଠିକାର ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିବାପରେ ଏହି ଘଟଣାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Comment