ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି। ଚଳିତବର୍ଷ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ବିଧି ଅନୁସାରେ ଯେଉଁ ତିଥିରେ ଯାହା ହେବାର ଥିଲା ତାହା ହେବ କି ନାହିଁ ତାକୁନେଇ ଅନିଶ୍ଚିତତା ଲାଗି ରହିଥିଲା। ହେଲେ ମହାରଣା, କମାର ଏବଂ ଭୋଇ ସେବାୟତଙ୍କ ଉଦ୍ୟମ ଯୋଗୁଁ ଏହି ଆଶଙ୍କା ଦୂର ହୋଇଛି। ଆସନ୍ତକାଲି ଭଉଁରୀ ନୀତିରେ ରଥ ଚକରେ ଅଖରେ ଯୋଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ବର୍ତ୍ତମାନସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ୬ଟି ଅନୁକୂଳ ଚକକୁ ଛାଡ଼ି କେବଳ ନନ୍ଦିଘୋଷ ରଥରେ ପଇ ଲାଗି ହେଉଛି। ଅନ୍ୟଟିରେ ଅର ସଂଯୋଗ ହୋଇଛି, କେବଳ ପଇ ଲାଗିବା ବାକି ରହିଛି।

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ଦୁଇଟି ଚକରେ ଅର ପଇ ସଂଯୋଗ ଚାଲିଛି। ୬ଟି ତୁମ୍ବରେ ବିନ୍ଧ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦୁଇଟି ତୁମ୍ବର ବିନ୍ଧ କାମ ଶେଷ ହୋଇଛି।

ସେହିପରି ତାଳଧ୍ୱଜ ରଥ ପାଇଁ ଦୁଇଟି ଚକରେ ପଇ ଲାଗି ହେବାକୁ ଥିବା ବେଳେ ଗୋଟିଏରେ ଅର ସଂଯୋଗ ଶେଷ ହୋଇଛି। ୧୧ଟି ଗୁଜରେ ସିଙ୍ଘ ବିରାଳ ଖୋଦେଇ ସରିଥିବା ବେଳେ ୯ଟି ଜଳଜନ୍ତ୍ର କାର୍ଯ୍ୟ ଶେଷ ହୋଇଛି।

ଗୁରୁବାର ସକାରେ ରଥଖଳାରେ ୧୬୨ ଜଣ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତେ ସୁସ୍ଥ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। କୋଭିଡ୍‌ ୧୯ ପରୀକ୍ଷା ପାଇଁ ଗତକାଲି ୫୫ ଜଣଙ୍କର ସ୍ୱାବ୍‌ ସଂଗ୍ରହ ହୋଇଥିଲା ବେଳେ ଆଜି ୭୫ ଜଣଙ୍କର ସଂଗ୍ରହ ହୋଇଥିଲା।

Comment