ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଓ ଲକ୍‌ଡାଉନ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛି ବଡ଼ ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପଢୁଥିବା ସବୁ ପିଲାଙ୍କୁ ପାସ୍‌ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନବରୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍‌ କରାଯିବ। ବାର୍ଷିକ ପରୀକ୍ଷା ହୋଇଥିବା ବିଷୟଗୁଡ଼ିକର ମାର୍କ ହିସାବକୁ ନିଆଯିବ। ଯେଉଁ ବିଷୟରେ ବାର୍ଷିକ ପରୀକ୍ଷା ହୋଇନାହିଁ ସେହି ବିଷୟର ଷାଣ୍ମାସିକ ପରୀକ୍ଷାରେ ରହିଥିବା ନମ୍ବରକୁ ନେଇ ପାସ୍‌ କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ କୌଣସି କାରଣରୁ ଷାଣ୍ମାସିକ ପରୀକ୍ଷା ଦେଇ ନଥିବେ ସମସ୍ତ ୟୁନିଟ୍‌ ଟେଷ୍ଟର ହାରାହାରି ମାର୍କକୁ ହିସାବରେ ନିଆଯିବ। ଏହାସହ ସର୍ବନିମ୍ନ ଉପସ୍ଥାନ ହାର ନିୟମ ବଳବତ୍ତର ରହିବ।

ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ସମସ୍ତ ଓଡ଼ିଆ ମିଡିୟମ ସ୍କୁଲ, ମାଦ୍ରାସା, ସଂସ୍କୃତ ଟୋଲ ପାଇଁ ଏହି ନିୟମ ଲାଗୁ ହେବ।

ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସର୍ତ୍ତମୂଳକ ପାସ୍‌ କରାଯାଇଛି। ଷାଣ୍ମାସିକ ପରୀକ୍ଷା କିମ୍ବା ୟୁନିଟ୍‌ ଟେଷ୍ଟ ଆଧାରରେ ପ୍ରତମ ବର୍ଷର ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବେ। ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିଲେ କଲେଜ ଖୋଲିଲେ ସେମାନଙ୍କର ରିଟେଷ୍ଟ ହେବ।

Comment